Latest Odisha News

ଆଫଗାନିସ୍ତାନ ସଙ୍କଟ, ସର୍ବଦଳୀୟ ବୈଠକ ଡାକିଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ : ଆଫଗାନିସ୍ତାନ ପ୍ରସଙ୍ଗରେ ସର୍ବଦଳୀୟ ବୈଠକ ଡାକିବାକୁ ନିଷ୍ପତ୍ତି ନେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏନେଇ ସୂଚନା ଦେଇଛନ୍ତି କେନ୍ଦ୍ର ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର । ଆସନ୍ତା ୨୬ ତାରିଖ ଦିନ ୧୧ଟାରେ ବସିବ ଏହି ସର୍ବଦଳୀୟ ବୈଠକ । ସର୍ବଦଳୀୟ ବୈଠକରେ ଆଫଗାନିସ୍ତାନରେ ସ୍ଥିତି ଓ ଭାରତର ପଦକ୍ଷେପ ସମ୍ପର୍କରେ ବିରୋଧୀଙ୍କୁ ଅବଗତ କରାଇବେ ବୈଦେଶିକ ମନ୍ତ୍ରୀ । ଜୟଶଙ୍କର ଟ୍ବିଟ କରି କହିଛନ୍ତି, ଆଫଗାନିସ୍ତାନର ଘଟଣାକ୍ରମକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଜନୈତିକ ଦଳର ମୁଖ୍ୟଙ୍କୁ ଅବଗତ କରାଇବା ପାଇଁ ବୈଦେଶିକ ମନ୍ତ୍ରଣାଳୟକୁ ନିର୍ଦ୍ଦେଶ ଦେଇଛନ୍ତି ।

ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ଅଧିକ ବିବରଣୀ ଦେବେ ବୋଲି କହିଛନ୍ତି ଜୟଶଙ୍କର । ଭାରତ ସରକାର ଆଫଗାନିସ୍ତାନରେ ବିଭିନ୍ନ ପ୍ରକଳ୍ପ ପାଇଁ ବିନିଯୋଗ କରିଥିବାରୁ ବିରୋଧୀ କ୍ରମାଗତ ଭାବରେ ପ୍ରଶ୍ନ ଉଠାଉଛନ୍ତି । ଯେତେବେଳେ ତାଲିବାନ ଆଫଗାନିସ୍ତାନକୁ ନିଜ ଅଧୀନକୁ ନେଇସାରିଛି, ଏଭଳି ପରିସ୍ଥିତିରେ ଭାରତ ସରକାରଙ୍କ ରଣନୀତି କ’ଣ ହେବ ସେନେଇ ପ୍ରଶ୍ନ କରୁଛନ୍ତି ବିରୋଧୀ । ଏ ସମସ୍ତ ପ୍ରଶ୍ନର ଉତ୍ତର ଦେବାକୁ ସର୍ବଦଳୀୟ ବୈଠକ ଡକାଯାଇଛି ।

ପର୍ଯ୍ୟାୟକ୍ରମ ଆଫଗାନିସ୍ତାନରୁ ଭାରତୀୟ ଅଣାଯାଉଥିବା ବେଳେ, ଅନ୍ୟମାନଙ୍କୁ ମଧ୍ୟ ଏୟାରଲିଫ୍ଟ କରାଯାଉଛି । ଅନ୍ୟପଟେ ଆମେରିକାକୁ ଦମକ ଦେଇଛି ତାଲିବାନ । କାବୁଲ ବିମାନ ବନ୍ଦରକୁ ଜଗି ରହିଥିବା ଆମେରିକୀୟ ସୈନ୍ୟଙ୍କ ଉପରେ ଆକ୍ରମଣ କରିବାକୁ ଆଇଏସଆଇଏସ ଆତଙ୍କବାଦୀ ଯୋଜନା କରୁଥିବା ଜଣାପଡିଛି ।

Leave A Reply

Your email address will not be published.