ନୂଆଦିଲ୍ଲୀ: ପାର୍ବଣ ସିଜିନରେ ଲକ୍ଷ୍ମୀ ବିଳାସ ବ୍ୟାଙ୍କ ଗ୍ରାହକଙ୍କ ପାଇଁ ଖରାପ ଖବର । ମାସେ ପାଇଁ ଟଙ୍କା ଉଠାଣ ଭପରେ କଟକଣା ଲଗାଇଛି ଭାରତୀୟ ରିଜର୍ଭ ବ୍ୟାଙ୍କ। ଡିସେମ୍ବର ୧୬ ତାରିଖ ଯାଏ ଗ୍ରାହକ ୨୫ ହଜାରରୁ ଅଧିକ ଟଙ୍କା ଉଠାଇ ପାରିବେ ନାହିଁ। କେନ୍ଦ୍ର ଅର୍ଥ ମନ୍ତ୍ରାଳୟର ନିର୍ଦ୍ଦେଶ ପରେ କଟକଣା ଲଗାଇଛି ଆରବିଆଇ ।
ଲକ୍ଷ୍ମୀ ବିଳାସ ବ୍ୟାଙ୍କ ଉପରେ ମାସେ ପାଇଁ ମୋରେଟୋରିୟମ୍ ଲାଗିଛି। ଏହି ସମୟ ଭିତରେ ଆରବିଆଇର ଲିଖିତ ଅନୁମତି ବିନା ବ୍ୟାଙ୍କ କର୍ତ୍ତୃପକ୍ଷ ଆକାଉଣ୍ଟଧାରୀଙ୍କୁ ୨୫ ହଜାରରୁ ଅଧିକ ଟଙ୍କା ଦେଇପାରିବେ ନାହିଁ। ଏଭଳି ନିଷ୍ପତ୍ତି ନେବା ଜରୁରୀ ଥିଲା ବୋଲି କହିଛି ଭାରତୀୟ ରିଜର୍ଭ ବ୍ୟାଙ୍କ। କାରଣ ବ୍ୟାଙ୍କର ଋଣ ଭାର ବୃଦ୍ଧି ହେଉଥିବାରୁ ଅଧିକ କ୍ଷତି ଆଶଙ୍କା ରହିଛି।
ତେବେ କିଛି କ୍ଷେତ୍ରରେ ଟଙ୍କା ଉଠାଣ କଟକଣାକୁ କୋହଳ କରାଯାଇଛି। ସ୍ବାସ୍ଥ୍ୟଗତ ସମସ୍ଯା, ବିବାହ, ଉଚ୍ଚଶିକ୍ଷା ଆଦି କ୍ଷେତ୍ରରେ ଆରବିଆଇ ଅନୁମତିରେ ୨୫ ହଜାରରୁ ଅଧିକ ଟଙ୍କା ଉଠାଇ ପାରିବେ।
ସେହିପରି ଆରବିଆଇ ଓ କେନ୍ଦ୍ର ସରକାରଙ୍କ ପରାମର୍ଶ ଅନୁସାରେ ଲକ୍ଷ୍ମୀ ବିଳାସ ବ୍ୟାଙ୍କର ଆର୍ଥିକ ସ୍ଥିତିରେ ଅବନତି କାରଣରୁ ମାସେ ପାଇଁ ବ୍ୟାଙ୍କର ନିର୍ଦ୍ଦେଶକ ବୋର୍ଡକୁ ବଦଳି କରାଯାଇଛି। ଏଭଳି ସ୍ଥିତିରେ ଭୟଭୀତ ନହେବା ପାଇଁ ଲକ୍ଷ୍ମୀ ବିଳାସ ବ୍ୟାଙ୍କ ଗ୍ରାହକଙ୍କୁ କହିଛି ରିଜର୍ଭ ବ୍ୟାଙ୍କ।
Comments are closed.