Latest Odisha News

ହନୁମାନ ଜୟନ୍ତୀ ପାଇଁ ଆଗୁଆ ସତର୍କତା, ସବୁ ରାଜ୍ୟକୁ ଆଡଭାଇଜରୀ ଜାରି କଲା ଗୃହ ମନ୍ତ୍ରାଳୟ

ନୂଆଦିଲ୍ଲୀ : ଆସନ୍ତାକାଲି(ଗୁରୁବାର) ପବିତ୍ର ହନୁମାନ ଜୟନ୍ତୀରେ ଯେପରି ରାମନବମୀ ହିଂସାର ପୁନାରାବୃତ୍ତି ନ ଘଟେ ସେଥିପାଇଁ କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ସମସ୍ତ ରାଜ୍ୟକୁ ଆଡଭାଇଜରୀ ଜାରି କରାଯାଇଛି । ହନୁମାନ ଜୟନ୍ତୀର ଶାନ୍ତିପୂର୍ଣ୍ଣ ପାଳନ, ସତର୍କତା ଅବଲମ୍ବନ ସହ ଆଇନ ଶୃଙ୍ଖଳା ରକ୍ଷା କରିବା ସହ ସାମ୍ପ୍ରଦାୟିକ ସୌହାର୍ଦ୍ଦ୍ୟ ବିଗାଡୁଥିବା ଲୋକଙ୍କ ଉପରେ କଡ଼ା ନଜର ରଖିବାକୁ ସବୁ ରାଜ୍ୟକୁ ନିର୍ଦ୍ଦେଶ ଦିଆଯାଇଛି। ଏଥର ଆଇନ ଶୃଙ୍ଖଳା ବଜାୟ ରଖିବାରେ କୌଣସି ଅବହେଳା ବରଦାସ୍ତ କରାଯିବ ନାହିଁ ବୋଲି କହିଛି କେନ୍ଦ୍ର।

ସେପଟେ, ଦିଲ୍ଲୀରେ ମଧ୍ୟ ହନୁମାନ ଜୟନ୍ତୀକୁ ନେଇ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି । ଜାହାଙ୍ଗୀରପୁରୀରେ ଦିଲ୍ଲୀ ପୋଲିସ ତରଫରୁ ଫ୍ଲାଗ୍ ମାର୍ଚ କରାଯାଇଛି। ବଡ଼କଥା ହେଲା ଆସନ୍ତାକାଲି (ଗୁରୁବାର) ହନୁମାନ ଜୟନ୍ତୀ ଅବସରରେ ଜାହାଙ୍ଗୀରପୁରୀ ଅଞ୍ଚଳରେ ଏକ ବିଶାଳ ଶୋଭାଯାତ୍ରା କରିବାକୁ ବିଶ୍ୱ ହିନ୍ଦୁ ପରିଷଦ ଏବଂ ଅନ୍ୟ ହିନ୍ଦୁ ସଂଗଠନଗୁଡ଼ିକୁ ପୋଲିସ ଅନୁମତି ଦେବାକୁ ମନା କରିଦେଇଛି।

ଉଲ୍ଲେଖଯୋଗ୍ୟ, ରାମନବମୀ ଦିନ ବିହାର ଓ ପଶ୍ଚିମବଙ୍ଗର ଅନେକ ଜିଲ୍ଲାରେ ବ୍ୟାପକ ହିଂସାକାଣ୍ଡ ଘଟିଥିଲା ‌। ଗୁରୁତ୍ବପୂର୍ଣ୍ଣ କଥା ହେଲା ରାମ ନବମୀ ଦିନ ଆରମ୍ଭ ହୋଇଥିବା ସାମ୍ପ୍ରଦାୟିକ ହିଂସାର ନିଆଁ ବର୍ତ୍ତମାନ ପର୍ଯ୍ୟନ୍ତ ପୁରାପୁରୁ ଲିଭି ନାହିଁ | ବିଶେଷକରି ପଶ୍ଚିମବଙ୍ଗର ହୁଗଳି ଓ ହାଓ୍ବଡାରେ ସ୍ଥିତି ଏବେ ବି ଉତ୍ତେଜନାପୂର୍ଣ୍ଣ ରହିଛି । ତେଣୁ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ହନୁମାନ ଜୟନ୍ତୀ ପାଇଁ ସତର୍କତାମୂଳକ ପଦକ୍ଷେପ ନେଇଛି।

Comments are closed.