Latest Odisha News

BREAKING NEWS

Anti-Paper Leak Amendments: ପେପର ଲିକ୍‌ରେ ଆଉ ନିସ୍ତାର ନାହିଁ; ୧୦ ବର୍ଷ ଜେଲକୁ ୧୦ କୋଟି ଜରିମାନା…ସୋମବାର ଲୋକସଭାରେ ଆସିବ ନୂଆ ବିଲ୍

ନୂଆଦିଲ୍ଲୀ: ସର୍ବସାଧାରଣ ପରୀକ୍ଷାରେ ପ୍ରଶ୍ନପତ୍ର ଲିକ୍ ଓ ଅନ୍ୟାନ୍ୟ ଅନିୟମିତତାକୁ ରୋକିବା ପାଇଁ କେନ୍ଦ୍ର ସରକାର ଆଇନକୁ ଆହୁରି କଡ଼ା କରିବାକୁ ଯାଉଛନ୍ତି। ‘ପବ୍ଲିକ ଏଗ୍ଜାମିନେସନ୍ସ (ପ୍ରିଭେନସନ ଅଫ୍ ଅନଫେୟାର ମିନ୍ସ) ସଂଶୋଧନ ବିଲ୍-୨୦୨୬’ ସୋମବାର ଲୋକସଭାରେ ଉପସ୍ଥାପନ ହେବ। ଦୁଇ ବର୍ଷ ପୂର୍ବରୁ ପ୍ରଣୟନ ହୋଇଥିବା ଆଇନକୁ ସଂଶୋଧନ କରି ଏଥିରେ ଅଧିକ କଠୋର ବ୍ୟବସ୍ଥା ଆଣିବାକୁ ପ୍ରସ୍ତାବ ରହିଛି।

ଏହି ବିଲ୍ ଅନୁସାରେ ପ୍ରତ୍ୟେକ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ପେପର ଲିକ୍ ମାମଲାର ଶୀଘ୍ର ଶୁଣାଣି ପାଇଁ ସ୍ୱତନ୍ତ୍ର ଫାଷ୍ଟ-ଟ୍ରାକ୍ କୋର୍ଟ ଗଠନ କରାଯିବ। ଏହି କୋର୍ଟରେ ଚାର୍ଜସିଟ୍ ଦାଖଲ ହେବାର ତିନି ମାସ ମଧ୍ୟରେ ବିଚାର ପ୍ରକ୍ରିୟା ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି।

ବିଲ୍‌ରେ ପ୍ରସ୍ତାବ ରହିଛି ଯେ, ପେପର ଲିକ୍ ମାମଲାର ତଦନ୍ତ ସର୍ବାଧିକ ଦୁଇ ମାସ ମଧ୍ୟରେ ସମାପ୍ତ କରିବାକୁ ପଡ଼ିବ। ଆବଶ୍ୟକ ପଡ଼ିଲେ କେନ୍ଦ୍ର ସରକାର ଏଭଳି ମାମଲାର ତଦନ୍ତ ପାଇଁ ସ୍ୱତନ୍ତ୍ର ଟାସ୍କ ଫୋର୍ସ ମଧ୍ୟ ଗଠନ କରିପାରିବେ। ପ୍ରଶ୍ନପତ୍ର ଲିକ୍ କିମ୍ବା ପରୀକ୍ଷାରେ ଅନିୟମିତତାରେ ସମ୍ପୃକ୍ତ ବ୍ୟକ୍ତିଙ୍କ ପାଇଁ ସର୍ବନିମ୍ନ ୫ ବର୍ଷ ଓ ସର୍ବାଧିକ ୧୦ ବର୍ଷ କାରାଦଣ୍ଡ ସହ ୫୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଜରିମାନା ପ୍ରସ୍ତାବ ରହିଛି। ସଂଗଠିତ ଅପରାଧ କିମ୍ବା ବଡ଼ ରାକେଟ୍ ସହ ଜଡ଼ିତ ଥିଲେ ଅତିକମରେ ୭ ବର୍ଷ ଜେଲ୍ ଏବଂ ୧୦ କୋଟି ଟଙ୍କା ପର୍ଯ୍ୟନ୍ତ ଜରିମାନା ଦେବାକୁ ପଡ଼ିବ।

ପୁରୁଣା ଆଇନରେ କ’ଣ ଥିଲା?

ବର୍ତ୍ତମାନ ଲାଗୁ ଥିବା ପବ୍ଲିକ ଏଗ୍ଜାମିନେସନ୍ସ (ପ୍ରିଭେନସନ ଅଫ୍ ଅନଫେୟାର ମିନ୍ସ) ଆକ୍ଟ-୨୦୨୪ରେ ପେପର ଲିକ୍ ଭଳି ଅପରାଧ ପାଇଁ ୩ରୁ ୫ ବର୍ଷ ଜେଲ୍ ବ୍ୟବସ୍ଥା ରହିଥିଲା। ସଂଗଠିତ ଅପରାଧରେ ୫ରୁ ୧୦ ବର୍ଷ ଜେଲ୍ ଓ ଅତିକମରେ ୧ କୋଟି ଟଙ୍କା ଜରିମାନା ଥିଲା। ନୂଆ ସଂଶୋଧନରେ ଏହାକୁ ଆହୁରି କଠୋର କରାଯାଇଛି।

ଲୋକସଭାର କାର୍ଯ୍ୟସୂଚୀ ଅନୁସାରେ, ସୋମବାର ବିଲ୍‌କୁ ଉପସ୍ଥାପନ, ଆଲୋଚନା ଓ ପାରିତ କରିବା ପାଇଁ ତାଲିକାଭୁକ୍ତ କରାଯାଇଛି। ସାଧାରଣତଃ ଗୋଟିଏ ଦିନରେ ବିଲ୍ ଉପସ୍ଥାପନ ଓ ପାରିତ ହୁଏ ନାହିଁ। ତେଣୁ ଏହାକୁ ନେଇ ରାଜନୈତିକ ମହଲରେ ମଧ୍ୟ ଚର୍ଚ୍ଚା ଜୋର ଧରିଛି।

NEET ପେପର ଲିକ୍ ଘଟଣାକୁ ନେଇ ଛାତ୍ର ଆନ୍ଦୋଳନ ଦେଶବ୍ୟାପୀ ରୂପ ନେବା ପରେ କେନ୍ଦ୍ର ସରକାର ଏହି ନୂଆ ବିଲ୍ ଆଣିବାକୁ ଘୋଷଣା କରିଥିଲେ। ଛାତ୍ର ସଂଗଠନ ଓ ବିରୋଧୀ ଦଳର ଲଗାତାର ପ୍ରତିବାଦ ଯୋଗୁଁ ସଂସଦର ପ୍ରଥମ ପର୍ଯ୍ୟାୟ କାର୍ଯ୍ୟବାହୀ ମଧ୍ୟ ପ୍ରଭାବିତ ହୋଇଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ପ୍ରତିଶ୍ରୁତି ଦେଇଥିଲେ ଯେ, NEET-UG ପେପର ଲିକ୍ ଭଳି ଘଟଣାକୁ ରୋକିବା ପାଇଁ କଡ଼ା ଆଇନ ଆସିବ ଏବଂ ଅଭିଯୁକ୍ତଙ୍କ ବିଚାର ଫାଷ୍ଟ-ଟ୍ରାକ୍ କୋର୍ଟରେ ହେବ।

ଏପଟେ କକ୍ରୋଚ ଜନତା ପାର୍ଟି (CJP) ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ସହ ସରକାର ଅନ୍ୟ ଦାବି ମାନିବା ପରେ ୩୬ ଦିନିଆ ଆନ୍ଦୋଳନ ପ୍ରତ୍ୟାହାର କରିଛି।

ନୂଆ ସଂଶୋଧନ ବିଲ୍‌ରେ ୧୫ ପ୍ରକାରର କାର୍ଯ୍ୟକୁ ବେଆଇନ ବୋଲି ସ୍ପଷ୍ଟ କରାଯାଇଛି। ସେଥିମଧ୍ୟରେ ରହିଛି, ପ୍ରଶ୍ନପତ୍ର ଲିକ୍ କରିବା, OMR ସିଟ୍‌ରେ କାରଚୁପି କରିବା, ନକଲି ୱେବସାଇଟ୍ ତିଆରି କରିବା, ଜାଲ୍ ଆଡମିଟ୍ କାର୍ଡ ଜାରି କରିବା, ପରୀକ୍ଷା ପ୍ରକ୍ରିୟାରେ ଡିଜିଟାଲ କିମ୍ବା ଅନ୍ୟ କୌଣସି ପ୍ରକାର ହସ୍ତକ୍ଷେପ କରିବା । ଏହାଛଡ଼ା ପରୀକ୍ଷା ପୂର୍ବ ପ୍ରସ୍ତୁତି, ବାୟୋମେଟ୍ରିକ୍ ପଞ୍ଜୀକରଣ, ପ୍ରଶ୍ନପତ୍ର ପ୍ରସ୍ତୁତି ଓ ସୁରକ୍ଷା, ପରୀକ୍ଷା କେନ୍ଦ୍ରର ଅଡିଟ୍, ପରୀକ୍ଷା ପରବର୍ତ୍ତୀ ପ୍ରକ୍ରିୟା ଓ ସ୍କ୍ରାଇବ୍ ବ୍ୟବସ୍ଥା ପାଇଁ ମଧ୍ୟ ସ୍ୱତନ୍ତ୍ର ନିୟମାବଳୀ ପ୍ରସ୍ତୁତ କରିବାର ବ୍ୟବସ୍ଥା ଏହି ବିଲ୍‌ରେ ରହିଛି।

ଏହି ସଂଶୋଧନ ବିଲ୍‌କୁ ଶୁକ୍ରବାର କେନ୍ଦ୍ର କ୍ୟାବିନେଟ୍ ଅନୁମୋଦନ କରିଥିବା ବେଳେ, ସଂସଦରେ ପାରିତ ହେଲେ ପରୀକ୍ଷାରେ ଅନିୟମିତତା ବିରୋଧରେ ଦେଶର ସବୁଠାରୁ କଠୋର ଆଇନ ଭାବେ ଏହା ଲାଗୁ ହେବ।

Leave A Reply

Your email address will not be published.