ନୂଆଦିଲ୍ଲୀ: ଆଇସିସି ଚାମ୍ପିୟନ୍ସ ଟ୍ରଫି ଆଉ ଅଳ୍ପ ଦିନ ପରେ ଆରମ୍ଭ ହେବ । ପାକିସ୍ତାନରେ ହେବାକୁ ଥିବା ଏହି ଟୁର୍ଣ୍ଣାମେଂଟରେ ଭାରତ ତାର ସମସ୍ତ ମ୍ୟାଚ, ସୁରକ୍ଷା ଦୃଷ୍ଟିକୋଣରୁ ଦୁବାଇରେ ଖେଳିବ । ଫେବୃୟାର ୨୦ରୁ ଏହା ଆରମ୍ଭ ହେବ । ଟିମ କମ୍ବିନେଶନ ନେଇ ଭାରତୀୟ ଦଳର ମ୍ୟାନେଜମେଂଟ ଚିନ୍ତାରେ ପଡି ଯାଇଛନ୍ତି । ପେସ ବୋଲରଙ୍କ ଫର୍ମ ଏବଂ ଆଘାତ ସମସ୍ୟା, ୱିକେଟକିପରଙ୍କ ଖରାପ ପ୍ରଦର୍ଶନ ଓ ଅଲରାଉଣ୍ଡରଙ୍କୁ ନେଇ ଟିମ ମ୍ୟାନେଜମେଂଟ ଅଡୁଆରେ ପଡିଛନ୍ତି ।
ୱିକେଟ କିପର ସମସ୍ୟା
୨୦୨୩ ଦିନିକିଆ ବିଶ୍ୱକପ ପରେ କେଏଲ ରାହୁଲ ଦିନିକିଆ କ୍ରିକେଟରେ ଭାରତର ପ୍ରଥମ ପସନ୍ଦ ୱିକେଟ କିପର ସାଜିଥିଲେ । ଭଲ ବ୍ୟାଟିଂ ତାଙ୍କୁ ରିଷଭ ପନ୍ତ,ସଞ୍ଜୁ ସାମସନଙ୍କଠାରୁ ଆଗୁଆ ରଖଥିଲା । ଚୟନ କମିଟି ରାହୁଲଙ୍କ ସହ ରିଷଭ ପନ୍ତଙ୍କୁ ମଧ୍ୟ ଗୁରୁତ୍ୱ ଦେଇଛନ୍ତି । ତେବେ ଚୂଡାନ୍ତ ଏକାଦଶରେ କିଏ ଏହି ଗୁରୁ ଦାୟିତ୍ୱ ତୁଲାଇବ ତାର ଅଙ୍କ ଛିଡୁ ନାହିଁ । ଉଭୟ କ୍ରମାଗତ ସ୍ଥିର ପ୍ରଦର୍ଶନ ଦେବାରେ ବିଫଳ ହେଉଛନ୍ତି ।
କିଏ ତୁଲାଇବ ଅଲରାଉଣ୍ଡର ଦାୟିତ୍ୱ?
ଟି୨୦ରୁ ଭାରତର ଷ୍ଟାର ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ଅବସର ନେଇ ସାରିଛନ୍ତି । ଦିନିକିଆରେ ଜାଡେଜା ଏବଂ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ପ୍ରଦର୍ଶନ ଭଲ ରହିଛି । ଏହା ମଧ୍ୟରେ ଯୁବ ଅଲରାଉଣ୍ଡର ୱାଶିଂଟନ ସୁନ୍ଦର, ଅକ୍ଷର ପଟେଲ ନିଜ ଉପସ୍ଥିତି ଜାହୀର କରି ସାରିଛନ୍ତି । ସିନିୟର ଓ ଜୁନିୟର ମଧ୍ୟରେ କାହାକୁ ଗୁରୁତ୍ୱ ଦିଆଯିବ ସେ ନେଇ ଟିମ ମ୍ୟାନେଜମେଂଟ ଦ୍ୱନ୍ଦ୍ୱରେ ରହିଛି ।
କାହା ଉପରେ ବାଜି ଲଗାଇବ ଟିମ ମ୍ୟାନେଜମେଂଟ
ଯଶପ୍ରୀତ ବୁମରାହ, ମହମ୍ମଦ ସାମୀ, ଅର୍ଶଦୀପ ସିଂଙ୍କୁ ଏଥିପାଇଁ ଚୟନ କରାଯାଇଛି । ଇତି ମଧ୍ୟରେ ବୁମରାହ ଓ ସାମୀଙ୍କ ଫିଟନେସ ସମସ୍ୟା ଦଳକୁ ବିଶେଷ ଭାବେ ପ୍ରଭାବିତ କରିବ ବୋଲି ଆଶା କରାଯାଉଛି । ଯଦି ଏହି ଦୁଇ ଖେଳାଳି ନ ଖେଳିବେ ତେବେ କାହା ଉପରେ ଟିମ ମ୍ୟାନେଜମେଂଟ ବାଜି ଲଗାଇବ ତାହା ସ୍ପଷ୍ଟ ହୋଇ ପାରୁନି । ଇଂଲଣ୍ଡ ବିପକ୍ଷ ଦିନିକିଆ ସିରିଜ ପରେ ଅବଶ୍ୟ ସବୁ କିଛି ସ୍ପଷ୍ଟ ହୋଇଯିବ ବୋଲି ଆଶା କରାଯାଉଛି ।
ବ୍ୟୁରୋ ରିପୋର୍ଟ ଓଡ଼ିଶା ସମ୍ବାଦ
Comments are closed.