Latest Odisha News

ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କୁ ଦର୍ଶନ କରିବା ପରେ ବାବା ଲିଙ୍ଗରାଜଙ୍କୁ ଦର୍ଶନ କଲେ କେନ୍ଦ୍ରମନ୍ତ୍ରୀ

ପୁରୀ: ଗତକାଲି ରାଜ୍ୟର ୨୧ଟି ଲୋକସଭା ଆସନରୁ ୧୮ଟି ଲୋକସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ବିଜେପି । ପଶ୍ଚିମ ଓଡ଼ିଶା ତଥା ହାଇପ୍ରୋଫାଇଲ ଆସନ ସମ୍ବଲପୁରରୁ ଏଥରର ପ୍ରାର୍ଥୀ ହୋଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସେହିପରି ପୁରୀ ଲୋକସଭା ଆସନରୁ ପାର୍ଥୀ ହୋଇଛନ୍ତି ସମ୍ବିତ ପାତ୍ର । ପାର୍ଥୀ ଘୋଷଣା ପରେ ସକାଳୁ ସକାଳୁ ପୁରି ଯାଇ ଶ୍ରୀଜିଉଙ୍କୁ ଦର୍ଶନ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ସମ୍ବିତ ପାତ୍ର । ଧର୍ମେନ୍ଦ୍ରଙ୍କ ସହ ତାଙ୍କ ପତ୍ନୀ ଜଗନ୍ନାଥଙ୍କ ଦର୍ଶନ କରିଥିଲେ । ଏହି ସମୟରେ ଦଳର ବହୁ କର୍ମୀ ମଧ୍ୟ ଉପସ୍ଥିତ ଥିଲେ ।

ପୁରୀରେ ମହାପ୍ରଭୁଙ୍କୁ ଦର୍ଶନ କରିବା ପରେ ଭୁବନେଶ୍ଵର ଆସି ବାବା ଲିଙ୍ଗରାଜଙ୍କୁ ଦର୍ଶନ କରିଛନ୍ତି କେନ୍ଦ୍ରମନ୍ତ୍ରୀ । ସମ୍ବଲପୁରରୁ ପାର୍ଥୀ ଭାବରେ ଛିଡା କରିଥିବାରୁ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇ ବା ସହ ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ନିର୍ଦ୍ଦେଶରେ ଗୁଣ୍ଡୁଚି ମୂଷା ପରି ସମ୍ବଲପୁରର ବିକାଶ ପାଇଁ କାମ କରିବି ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ପବିତ୍ର ଦୋଳ ପୂର୍ଣ୍ଣିମାରେ ମହାପ୍ରଭୁଙ୍କ ଦର୍ଶନ ପାଇବା ବଡ ସୌଭାଗ୍ୟର ବିଷୟ । ଆଗାମୀ ଲୋକସଭା ଓ ବିଧାନସଭା ନିର୍ବାଚନ ପୂର୍ବରୁ ମହାପ୍ରଭୁଙ୍କ ଆଶୀର୍ବାଦ ପାଇଁ ମହାପ୍ରଭୁଙ୍କ ନିକଟକୁ ଆସିଛି ।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସଂକଳ୍ପ, ବିକାଶଧାରା, ଗତ ୧୦ ବର୍ଷର ଉପଲବ୍ଧି ଏବଂ ଆଗାମୀ ୨୫ ବର୍ଷର ସ୍ବପ୍ନକୁ ନେଇ ବିଜେପି ନିର୍ବାଚନ ଲଢ଼ିବ । ପରିବର୍ତ୍ତନ ଏକ ପ୍ରକ୍ରିୟା । ମହାପ୍ରଭୁ ଶ୍ରଜଗନ୍ନାଥ ମଧ୍ୟ ନବକଳେବର ହୋଇ ପରିବର୍ତ୍ତନକୁ ସ୍ବୀକାର କରିଛନ୍ତି । ଏଣୁ ଆଗାମୀ ନିର୍ବାଚନରେ ଓଡ଼ିଶାରେ ପରିବର୍ତ୍ତନ ହେବ । ଉଭୟ ରାଜ୍ୟ ଏବଂ ଦେଶରେ ଡବଲ ଇଞ୍ଜିନ ସରକାର ଗଠନ ନେଇ ମହାପ୍ରଭୁଙ୍କ ଆଶୀର୍ବାଦ ନେବା ପାଇଁ ବିଜେପି କର୍ମକର୍ତ୍ତାଙ୍କ ସହ ଆସିଥିଲି । ଗଣତନ୍ତ୍ରରେ ପରିଶ୍ରମର ବିକଳ୍ପ ନାହିଁ । ଯିଏ ଲୋକଙ୍କ ସହ ରହିବ, ସେବା କରିବ ସେହି ଲୋକଙ୍କ ସମର୍ଥନ ହାସଲ କରିବ ବୋଲି କହିଛନ୍ତି ଧର୍ମେନ୍ଦ୍ର ପ୍ରଧାନ ।

ସେପଟେ ବିଜେପି ରାଷ୍ଟ୍ରୀୟ ପ୍ରବକ୍ତା ସମ୍ବିତ ପାତ୍ର ମହାପ୍ରଭୁଙ୍କ ଦର୍ଶନ ପାଇ ଅତ୍ୟନ୍ତ ଆନନ୍ଦିତ ବୋଲି କହିଛନ୍ତି । ପୁରୀରୁ ପୁଣି ଥରେ ପ୍ରାର୍ଥୀ ପାଇଁ ମନୋନୟନ ହୋଇଥିବାରୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ପାଖରେ ମୁଁ କୃତଜ୍ଞ । ୨୦୧୪ ପୂର୍ବରୁ ଦେଶରେ ଜାତିବାଦକୁ ନେଇ ରାଜନୀତି ହେଉଥିଲା । ହେଲେ ନରେନ୍ଦ୍ର ମୋଦି ପ୍ରଧାନମନ୍ତ୍ରୀ ହେବା ପରେ ତାହା ବନ୍ଦ ହୋଇ ଯାଇଛି । କେବଳ ବିକାଶ ହିଁ ରାଜନୀତିର ବାର୍ତ୍ତା ହୋଇଛି । ପ୍ରଧାନମନ୍ତ୍ରୀଙ୍କ ଜନ କଲ୍ୟାଣ ମୂଳକ କାର୍ଯ୍ୟ ପାଇଁ ନରେନ୍ଦ୍ର ମୋଦି ଭାରତର ଜନ ନାୟକ ପାଲଟି ଯାଇଛନ୍ତି ବୋଲି କହିଛନ୍ତି ସମ୍ବିତ ପାତ୍ର ।

Leave A Reply

Your email address will not be published.