Latest Odisha News

ଛଳନା ଓ ବର୍ବରତାର ଅନ୍ୟନାମ କମ୍ୟୁନିଷ୍ଟ ଚୀନ୍

ସୋମେଶ ମହାପାତ୍ରଙ୍କ ନିୟମିତ ସ୍ତମ୍ଭ: ସାମ୍ପ୍ରତିକୀ

ଭାରତର ନୂଆ କେନ୍ଦ୍ରଶାସିତ ଅଞ୍ଚଳ ଲଦାଖର ପୂର୍ବରେ ଅବସ୍ଥିତ ସାମରିକ ଦୃଷ୍ଟିରୁ ଗୁରୁତ୍ବପୂର୍ଣ୍ଣ ଗଲୱାନ୍‌ ନଦୀ ଉପତ୍ୟକାକୁ କବ୍ଚାକରିବା ଲକ୍ଷ୍ୟରେ ଚୀନ୍ ଜୁନ୍ ୧୫ତାରିଖ ଦିନ ଯେଉଁ ଖଳବୁଦ୍ଧି ପ୍ରୟୋଗକଲା ତାହା ଦେଶବାସୀଙ୍କୁ ସ୍ତବ୍ଧକରିଦେଇଛି| ସେଦିନ ରାତିର ଅନ୍ଧକାରରେ ଉକ୍ତ ଏଲ୍ଏସି ବା ପ୍ରକୃତ ନିୟନ୍ତ୍ରଣ ସୀମାରେଖାରେ ଚୀନ୍ ସେନାର କାର୍ଯ୍ୟକୁ ପ୍ରତିରୋଧ କରିଥିବା ଭାରତୀୟ ସୈନିକମାନଙ୍କ ଉପରେ ସେମାନଙ୍କ ଅପ୍ରତ୍ୟାଶିତ ପ୍ରଚଣ୍ଡ ଆକ୍ରମଣର ଜବାବରେ ଘଟିଥିବା ସଂଘର୍ଷ ଯୋଗୁ ଭାରତର ଜଣେ ସେନା ଅଧିକାରୀଙ୍କ ସମେତ ୨୦ଜଣ ପ୍ରତିରକ୍ଷା କର୍ମୀ ଶହୀଦ ହୋଇଛନ୍ତି| ଅନୁମାନ କରାଯାଉଛି, ଗୁଳିଗୋଳା ବ୍ୟବହାରକୁ ଦୁଇଦେଶ ମଧ୍ୟରେ ହୋଇଥିବା ଚୁକ୍ତିରେ ନିଷିଦ୍ଧ କରାଯାଇଥିବା ଯୋଗୁ ଧର୍ମକୁ ଆଖିଠାର ମାରି ଚୀନାସୈନିକ ଦଳ ବର୍ବର ଭାବେ ଠେଙ୍ଗା ଓ ଟେକାପଥର ମାରି ଭାରତୀୟ ସୈନିକମାନଙ୍କୁ ଲହୁଲୁହାଣ କରିବା ପରେ ହୁଏତ ଉଭୟ ପକ୍ଷରୁ ମାରଣାସ୍ତ୍ର ବ୍ୟବହାର କରାଯାଇଥାଇପାରେ| ଏଭଳି ସ୍ଥିତିରେ ଭାରତୀୟ ସେନାର ପାଲଟା କାର୍ଯ୍ୟାନୁଷ୍ଠାନରେ ଚୀନା ପ୍ଲାଟୁନ୍ ରେ ଅନେକ ମୃତାହତ ହୋଇଥିଲେ ମଧ୍ୟ ସର୍ବଦା ତଥ୍ୟ ଲୁଚାଇବାକୁ ନୀତି କରିଥିବା ଚୀନ୍ ସରକାର ଏନେଇ କୌଣସି ବୟାନ ଦେଉନାହାଁନ୍ତି| କିନ୍ତୁ ଆମେରିକୀୟ ଗୁପ୍ତଚର ସଂସ୍ଥା ଭିତିରି ଖବର ସଂଗ୍ରହକରି କହିଛି, ୩୫ ଚୀନା ସୈନିକଙ୍କ ପ୍ରାଣହାନି ହୋଇଥିଲା ବେଳେ ଅନେକ ଆହତ ହୋଇଛନ୍ତି| ପାକିସ୍ତାନର କାରଗିଲ୍ ଦୁଃସାହସ ପରି ଲଦାଖରେ ପରିକଳ୍ପିତ ଚୀନ୍ ର ଏହି ଷଡ଼ଯନ୍ତ୍ର ଶେଷରେ ପଣ୍ଡ ହୋଇଯାଇଛି| ତଥାପି ଏହି ଅଞ୍ଚଳ ଚୀନ୍ ର ସୀମାନ୍ତର୍ଗତ ବୋଲି ବୟାନବାଜି ଜାରିରହିଛି ଯାହାକୁ ଭାରତର ବୈଦେଶିକ ମନ୍ତ୍ରଣାଳୟ ପ୍ରତ୍ୟାଖ୍ୟାନ କରିଦେଇଛି|

କାରଣ ପ୍ରାମାଣିକତା ଅନୁସାରେ, ୧୯୬୨ ମସିହାରେ ଯୁଦ୍ଧ ଶେଷହେବା ପରେ ଚୀନ୍ ପକ୍ଷରୁ ଜାରିକରାଯାଇଥିବା ମାନଚିତ୍ରରେ ସାୟକ ନଦୀ ପର୍ଯ୍ୟନ୍ତ ତାହାର ସୀମାରେଖାକୁ ଦର୍ଶାଇଥିଲା| ସେହିଠାରୁ ଆଗକୁ ଥିବା ଗଲୱାନ୍‌ ସର୍ବଦା ଭାରତର ଅଞ୍ଚଳ ହୋଇ ରହିଆସିଛି, ଯେଉଁଠାରେ ଏଲ୍‌ଏସି ଆଧାରରେ ପାନଗଙ୍ଗ ଲେକ୍ ବିବାଦ ଭଳି ସମସ୍ୟା ନଥିଲା| ବରଂ ୧୯୬୧ରେ ଗଲୱାନ୍‌ ନଦୀ ଉପତ୍ୟକାରେ ଭାରତ ଏକ ଆର୍ମି-ପୋଷ୍ଟ ସ୍ଥାପନ କରିଥିଲା| ୧୯୬୨ରେ ଆକ୍ରମଣ ସମୟରେ ଚୀନ୍ ଏହି ପୋଷ୍ଟକୁ ପ୍ରଥମେ ଅଧିକାରକରି ଭାରତରେ ପ୍ରବେଶ କରିଥିଲା ଏବଂ ପରବର୍ତ୍ତୀକାଳରେ ରାଜିନାମା ଅନୁଯାୟୀ ଏଠାରୁ ହଟିଯାଇଥିଲା|

ଏବେ ଅସ୍ପଷ୍ଟ ଏଲ୍‌ଏସିକୁ ଆଳକରି ଚୀନ୍ ଭାରତର ଲେହ ଠାରୁ କାରାକୋରମ୍ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ହୋଇସାରିଥିବା ସାମରିକ ଦୃଷ୍ଟିରୁ ଗୁରୁତ୍ବପୂର୍ଣ୍ଣ ଡାରବକ୍-ସାୟକ୍-ଦୌଲତବେଗ୍ ଓଲ୍ଡି ରୋଡ ଉପରେ ନଜରରଖିବା ଓ ଇଛାନୁଯାୟୀ ସଫଳ ଆକ୍ରମଣ ଉଦ୍ଦେଶ୍ୟରେ ଗଲୱାନ୍‌ ଅକ୍ତିଆର କରିବାକୁ ଚକ୍ରାନ୍ତ କରୁଛି| ତେବେ ଏହି ଦ୍ବନ୍ଦ୍ବ ସୃଷ୍ଟିକାରୀ ଏଲ୍‌ଏସି  ପ୍ରସଙ୍ଗରେ ବିଶେଷକଥା ହେଲା, ଚୀନ୍ ବ୍ରିଟିଶ୍ ଶାସନ କାଳରୁ ଅର୍ଥାତ୍ ୧୮୪୬ ଆଙ୍ଗଲୋ-ଶିଖ୍ ସମର ଠାରୁ ୨୦୨୦ ଯାଏଁ ଦୀର୍ଘ ୧୭୪ ବର୍ଷ ଧରି ଏହାର ସମାଧାନକୁ ପ୍ରତିହତ କରିଆସିଛି| ତେଣୁ ଏହି କାରଣରୁ ଲଦାଖର ୮୨୬ଟି ସ୍ଥାନରେ ଏଲ୍‌ଏସିରେ ନିଜନିଜ ଅଞ୍ଚଳର ଦାବୀ ନେଇ ବାରମ୍ବାର ବିବାଦ ଦେଖାଦେଉଛି| ଏହାକୁ ତୁଟାଇବା ଚୀନ୍ ର ଉଦ୍ଦେଶ୍ୟ ନୁହେଁ| କାରଣ ଏପ୍ରକାର କନ୍ଦଳ ଜରିଆରେ ବିଶ୍ବର ନେତୃତ୍ବ ନେବାର ଶକ୍ତିରଖିଥିବା ଭାରତର ଶାସନରେ ଚିରକାଳ ଅସ୍ଥିରତା ଓ ଅଶାନ୍ତି ସୃଷ୍ଟିକରି ନିଜର ଆସ୍ଥାନ ଦୃଢ଼କରିପାରିବର ଇଛାପୋଷଣ କରୁଛି ଚୀନ୍|

ଇତିହାସକୁ ଅବଲୋକନକଲେ ୧୯୬୭ ମସିହା ପରେ ଦୁଇଦେଶ ମଧ୍ୟରେ ଏହା ହେଉଛି ସବୁଠୁ ବଡ଼ଧରଣର ସଂଘର୍ଷ| ତେବେ ସେହିବର୍ଷ ଭାରତ-ଚୀନ ସୀମାନ୍ତରେ ସିକିମ୍ ସ୍ଥିତ ନାଥୁ-ଲା ପାସ୍ ଠାରେ ହୋଇଥିବା ମୁହାଁମୁହିଁ ସ୍ଥିତି କାରଣରୁ ଭାରତର ୮୮ଜଣ ଜବାନ ପ୍ରାଣ ହରାଇଥିବାବେଳେ ଚୀନ୍ ର ୩୦୦ ସୈନିକଙ୍କ ଜୀବନ ଯାଇଥିଲା| ଏହାର ୮ବର୍ଷ ପରେ ୧୯୭୫ରେ ଅରୁଣାଚଳ ପ୍ରଦେଶର ଟୁଲୁଙ୍ଗ-ଲା ପାସ୍ ଠାରେ ଭାରତୀୟ ସେନାର ନିୟମିତ ପହରାଦାରି ସମୟରେ ଚୀନ୍ ସେନାର ଅତର୍କିତ ଗୁଳିମାଡ଼ରେ ୪ଜଣ ସୈନିକ ଟଳି ପଡ଼ିଥିଲେ| ଏହି ଟୁଙ୍ଗ୍-ଲା ପାସ୍ ଦେଇ ୧୯୬୨ରେ ଚୀନ୍ ଆସାମ-ଅରୁଣାଚଳ ପ୍ରଦେଶ ନିକଟବର୍ତ୍ତୀ ବୋମଡି-ଲା ପାସ୍ ଯାଏଁ ସୈନ୍ୟବାହିନୀ ପଠାଇଥିଲା|

ସେହିପରି ୨୦୧୭ରେ ଡୋକଲାମ୍ ଅବରୋଧ ଥିଲା ଏକ ଜଟିଳ ପରିସ୍ଥିତି, ଭାରତର ସୈନ୍ୟବାହିନୀ ଯାହାର ମୁକାବିଲା କରିବାରେ ସଫଳକାମ ହୋଇଥିଲା ଓ ଚୀନ୍ କୁ କଡ୍ଡା ଜବାବ ମିଳିଥିଲା| ଏସମସ୍ତ ବିବାଦାସ୍ପଦ ଘଟଣାର ପୃଷ୍ଠଭୂମିରେ ୧୪ହଜାର ଫୁଟ୍ ଉପରେ ସଙ୍ଘଟିତ ଗତ ଜୁନ୍ ୧୫ ତାରିଖର ଦୁର୍ଭାଗ୍ୟଜନକ ଘଟଣା ପୂର୍ବରୁ ଦୀର୍ଘ କିଛି ସପ୍ତାହ ଧରି ଉତ୍ତେଜନା ଲାଗିରହିଥିଲା ଏବଂ ସାମରିକ ଅଧିକାରୀସ୍ତରୀୟ ୫ଦଫା ଆଲୋଚନା ଶେଷରେ ଜୁନ୍ ୬ରେ ଉତ୍ତେଜନା ପ୍ରଶମନ ପାଇଁ ପ୍ରକ୍ରିୟା ଆରମ୍ଭକରିବାକୁ ନିଷ୍ପତ୍ତି ନିଆଯାଇଥିଲା|

ଏଥିରେ ଭାରତର ଲେହ କର୍ପସ୍ କମାଣ୍ଡର ଲେପ୍ଟନାଣ୍ଟ ଜେନେରାଲ ହରିନ୍ଦର ସିଂ ଏବଂ ଚୀନ୍ ର ଦକ୍ଷିଣ ସିନ୍ ଜିଆଙ୍ଗ ସାମରିକ କ୍ଷେତ୍ର ଦାୟିତ୍ବରେ ଥିବା ମେଜର ଜେନେରାଲ ଲିଉ ଲିନ୍ ଚୁସୁଲ୍ ଠାରେ ବୈଠକକରି ନିଷ୍ପତ୍ତି ନେଇସାରିଥିଲେ| ମାତ୍ର ଗଲୱାନ୍‌ ଠାରେ ଥିବା ଚୀନା ପ୍ଲାଟୁନ୍ ଏହାକୁ ଅବମାନନାକରି କିମ୍ବା ଛଳନାର ଆଶ୍ରୟ ନେଇଥିବା ଉକ୍ତ ଅଧିକାରୀଙ୍କ ଗୋପନ ନିର୍ଦ୍ଦେଶରେ ରକ୍ତମୁଖା ହୋଇପଡ଼ିଥିଲେ|

ବିଶେଷଜ୍ଞମାନଙ୍କ ବିଶ୍ଳେଷଣ ଅନୁସାରେ, ବର୍ତ୍ତମାନ ଚୀନ୍ ଗଲ୍‌ଓବାନ୍ କୁ ନେଇ ଯେଉଁ ବିପଜ୍ଜନକ ଖେଳ ଖେଳୁଛି ତାହା ଏକଛତ୍ରବାଦୀ କମ୍ୟୁନିଷ୍ଟ ସରକାର ବିରୋଧରେ ହେଉଥିବା ନିଜଦେଶର ଜନସାଧାରଣଙ୍କ ପ୍ରବଳ ଅସନ୍ତୋଷକୁ ବାଟବଣାକରିବା ଉଦ୍ଦେଶ୍ୟରେ କରୁଛି|

ଅଧିକ ପଢନ୍ତୁ: ଫ୍ଲଏଡ-ପରବର୍ତ୍ତୀ ବିଶ୍ୱ

କାରଣ ଚୀନ୍ ବାହାରେ ଯେତେଯାହା ପ୍ରଚାରକଲେ ମଧ୍ୟ କରୋନା ବାସ୍ତବରେ ଦେଶର ଅର୍ଥବ୍ୟବସ୍ଥାକୁ ଧରାଶାୟୀ କରିବା ସହିତ ସଂଖ୍ୟାଗରିଷ୍ଠ ଦେଶବାସୀଙ୍କୁ ସର୍ବସ୍ୱାନ୍ତ କରିସାରିଲାଣି| ଏହି ମହାମାରୀଜନିତ ଦୁର୍ଦ୍ଦଶାରୁ ଅର୍ଥାତ୍ ସେମାନଙ୍କୁ ଚିକିତ୍ସା ଓ ଆର୍ଥିକ ଦୃଷ୍ଟିରୁ ଉଦ୍ଧାରକରିବାରେ ଚୀନା ସରକାର ସମ୍ପୂର୍ଣ୍ଣ ବିଫଳ ହୋଇଥିବା ବିଭିନ୍ନ ସୂତ୍ରରୁ ସଙ୍କେତ ମିଳିବାରେ ଲାଗିଛି|

କୁହାଯାଉଛି, ଏହି ଆଭ୍ୟନ୍ତରୀଣ ଚାପ ବ୍ୟତୀତ ତାଇୱାନ୍‌, ହଂକଂରେ ସ୍ଥାନୀୟ ପ୍ରଶାସନ ତଥା ଜନତାର କ୍ଷୋଭକୁ ଦବାଇବା ଏବଂ ଦକ୍ଷିଣ-ଚୀନ୍ ସାଗରରେ ପତିଆରା ଜାହିରକରିବା ଲାଗି ଏହାକୁ ଡରାଇବାର ଅସ୍ତ୍ର ଭାବରେ ବ୍ୟବହାର କରିବାକୁ ସ୍ଥିରକରି ଏପରି ଆଚରଣ କରୁଛି| ପୁନଶ୍ଚ କରୋନା ବିବାଦରେ ବିଶ୍ବରେ ଏକଘରିକିଆ ହୋଇପଡ଼ିଥିବାରୁ ଏକ ରାଷ୍ଟ୍ରୀୟ ଉଗ୍ରତା ପ୍ରଦର୍ଶନ ଜରିଆରେ ଅନୁକୂଳ ଲୋକମତ ସୃଷ୍ଟିକରିବାରେ ଏହାକୁ ବିଶେଷ ପାରମ୍ପରିକ କୌଶଳ ଭାବେ ବିବେଚନା କରାଯାଇପାରେ|

ଅନ୍ୟକେତେକ ରାଜନୀତିକ ବିଶେଷଜ୍ଞଙ୍କ ମତ ହେଲା, ୧୯୬୨ ଯୁଦ୍ଧ ପର ଠାରୁ ଚୀନ୍ ର ଅକ୍ତିଆରେ ରହିଥିବା ଅକ୍ସାଇ ଚୀନ୍ ତଥା ୧୯୪୮ରୁ ପାକିସ୍ତାନ ଅଧିକୃତ କାଶ୍ମୀର ଅଞ୍ଚଳକୁ ପୁଣି ଥରେ ଫେରାଇଆଣିବାକୁ ଭାରତ ସରକାରଙ୍କ ସ୍ୱରାଷ୍ଟ୍ରମନ୍ତ୍ରୀ ପାର୍ଲାମେଣ୍ଟରେ ବିବୃତି ଦେବା ପରେ ଚୀନ୍ ବିଚଳିତ ହୋଇପଡ଼ିଛି| ପିଓକେକୁ ନେଇ ବିବ୍ରତହେବାର ହେତୁ ହେଉଛି, ସେହି ବିବାଦୀୟ ଅଞ୍ଚଳରେ ଚୀନ୍ ସିପିଇସି (ଚାଇନା-ପାକିସ୍ତାନ ଇକୋନମିକ କରିଡର) ପ୍ରତିଷ୍ଠାକରିଛି| ଏଠାରେ ବ୍ୟାବସାୟିକ ଉଦ୍ଦେଶ୍ୟ ବ୍ୟତୀତ ସାମରିକ ଦୃଷ୍ଟିରୁ ଭାରତକୁ ଘେରିବାର ଲକ୍ଷ୍ୟ ରଖିଛି|

ମାତ୍ର ଭାରତ ସେହି ଅଞ୍ଚଳରେ ଅଚାନକ ସାମରିକ କାର୍ଯ୍ୟାନୁଷ୍ଠାନକଲେ ଚୀନ୍ ର ବିପୁଳ କ୍ଷତିହେବ| ଏସବୁ ଏବେ ହିଂସ୍ର ଚୀନା ସରକାର ଓ ବର୍ବରତାରେ ତାଲିମପ୍ରାପ୍ତ ଚୀନା ସେନାର ଗାତ୍ରଦାହର କାରଣ ହୋଇଛି| ତେଣୁ ଛଳନା ଓ ବିଶ୍ୱାସଘାତକତାକୁ ଅସ୍ତ୍ରକରି ଚୀନ୍ ଅଯଥା ବିଭ୍ରାଟ ସୃଷ୍ଟିକରୁଛି| ତେଣୁ ଏହାର ଜବାବ କେବଳ ସାମରିକ ଭାବେ ନୁହେଁ, ବହୁମୁଖୀ ହେବା ଆବଶ୍ୟକ| ଉଭୟ ସାମରିକ ଓ ଆର୍ଥିକ ଦୃଷ୍ଟିରୁ ସରକାର ତଥା ଦେଶର ଜନସାଧାରଣ ଏହି ସଂଗ୍ରାମରେ ଭାଗୀଦାର ହେବାକୁ ପଡ଼ିବ| ଚୀନ୍ ରୁ ଆମଦାନୀ ହେଉଥିବା ବିପୁଳ ତଥା ଗୁରୁତ୍ୱପୂର୍ଣ୍ଣ ଆମଦାନୀର ବିକଳ୍ପ ଭାବେ ସରକାରଙ୍କୁ ସେସବୁ ଦେଶରେ ଉତ୍ପାଦନ କରିବା ସହିତ ଜନସାଧାରଣ ଅନେକ ଚୀନା ସାମଗ୍ରୀକୁ ବଏକଟ୍ କରିପାରିବେ| ତେବେଯାଇ ଚୀନ୍ ର ଚେତାପଶିବ|

ଇମେଲ୍‌: someshmahapatra58@gmail.com

( ସ୍ତମ୍ଭକାର ଜଣେ ବରିଷ୍ଠ ସାମ୍ବାଦିକ )

ବିଶେଷ ଦ୍ରଷ୍ଟବ୍ୟ: ଏହି ସ୍ତମ୍ଭରେ ପ୍ରକାଶିତ ହୋଇଥିବା ବିଚାର ବା ମତ ସମ୍ପୂର୍ଣ୍ଣ ଭାବେ ଲେଖକଙ୍କର ନିଜସ୍ୱ ଅଟେ । ଏହି ସ୍ତମ୍ଭରେ ପ୍ରକାଶିତ କୌଣସି ଅଂଶ ଲାଗି www.odishasambad.in ର ସମ୍ପାଦନା ମଣ୍ଡଳୀ ଦାୟୀ ନୁହଁନ୍ତି ।

Comments are closed.