Latest Odisha News

ଛତିଶଗଡରେ ଓଡିଶାକୁ ଜିତାଇଦେବେ ପୁରନ୍ଦର !

ଭୁବନେଶ୍ୱର: ଛତିଶଗଡ ବିଧାନସଭା ନିର୍ବାଚନ ପାଇଁ ହେଭିୱେଟ ମାନେ ପ୍ରତ୍ୟେକ ଦିନ ପ୍ରଚାରକୁ ଓଲ୍ହାଉଛନ୍ତି। ଉଭୟ ପ୍ରମୁଖ ଦଳ କଂଗ୍ରେସ ଓ ବିଜେପିର କେନ୍ଦ୍ରୀୟ ନେତୃତ୍ୱ ପ୍ରଚାରରେ ଲାଗି ପଡିଛନ୍ତି।

ଏସବୁ ଭିତରେ ଛତିଶଗଡରେ ଓଡ଼ିଆ ପ୍ରାର୍ଥୀ ପୁରନ୍ଦର ମିଶ୍ରଙ୍କୁ ନେଇ ଜୋରଦାର ଚର୍ଚ୍ଚା। ଜଣେ ଓଡ଼ିଆ ହୋଇ ଛତିଶଗଡରୁ ବିଜେପି ଟିକେଟରେ ଲଢ଼ୁଥିବାରୁ ତାଙ୍କୁ ନେଇ ଓଡ଼ିଶାରେ ଚର୍ଚ୍ଚା ହେଉଛି।

ଛତିଶଗଡରେ ବହୁ ସଂଖ୍ୟକ ଓଡ଼ିଆ ରହୁଥିବା ବେଳେ ଓଡ଼ିଆ ସମାଜରେ ପୁରନ୍ଦରଙ୍କର ବେଶ ପ୍ରଭାବ ରହିଛି। ପୁରନ୍ଦର ମଧ୍ୟ ଭିନ୍ନ ଢଙ୍ଗରେ ପ୍ରଚାରକୁ ଓଲ୍ହାଇ ଏବେ ସାରା ଛତିଶଗଡ଼ରେ ଚର୍ଚ୍ଚାରେ ରହିଛନ୍ତି।

ରାୟପୁର ଉତ୍ତର ସିଟରୁ ଲଢ଼ୁଥିବା ପୁରନ୍ଦର ରିକ୍ସା ଚଳାଇ ପ୍ରଚାର କରି ଚର୍ଚ୍ଚାକୁ ଆସିଛନ୍ତି। ରିକ୍ସା ଚଳାଇ ନିଜେ ଲୋକଙ୍କ ପାଖରେ ପହଞ୍ଚୁଛନ୍ତି ପୁରନ୍ଦର। ଏହି ସିଟରୁ କଂଗ୍ରେସ ପ୍ରାର୍ଥୀ ହୋଇଥିବା କୂଳଦୀପ ଜୁନେଜା ସ୍କୁଟରରେ ପ୍ରଚାର କରୁଥିବାବେଳେ ବିଜେପି ପ୍ରାର୍ଥୀ ପୁରନ୍ଦର ରିକ୍ସାରେ ପ୍ରଚାରକୁ ଓଲ୍ହାଇଛନ୍ତି।

ରିକ୍ସା ଚଳାଉଥିବା ଭାଇଙ୍କ ସ୍ନେହ ତାଙ୍କୁ ତାଙ୍କ ଭିତରକୁ ଆଣିଛି ବୋଲି ସେ କହିଛନ୍ତି। କଂଗ୍ରେସର ବର୍ତ୍ତମାନ ବିଧାୟକ ତଥା ପ୍ରାର୍ଥୀ କୂଳଦୀପଙ୍କୁ କଟାକ୍ଷ କରି ସେ କହିଛନ୍ତି କି ସ୍କୁଟର ଚଳାଇ ନେତାଗିରି କରୁଥିବା ଉତ୍ତର ବିଧାୟକ ବନ୍ୟାର ଦୁର୍ଗତି ଆଣିଛନ୍ତି। ଅଞ୍ଚଳର ରାସ୍ତାରେ ଖାଲ ହିଁ ଖାଲ। ଯେଉଁଥିପାଇଁ କେବଳ ରିକ୍ସାରେ ହିଁ ଯାଇହେବ।

ଏହି ପ୍ରଚାର ଅବସରରେ ସେ ଓଡ଼ିଆ କାର୍ଡ ଖେଳିଛନ୍ତି। ଓଡ଼ିଆ ସମାଜର ଲୋକେ ସହରରେ ରିକ୍ସା ଚଳାଇ ଜୀବନ ଯାପନ କରୁଥିବା ସେ କହିଛନ୍ତି। ଏପରିକି ଜିତିବାର ଦୃଢୋକ୍ତି ପ୍ରକାଶ କରିବା ସହ ଜିତିବା ପରେ ମଧ୍ୟ ସେ ରିକ୍ସାରେ ବିଧାନସଭା ଯିବେ ବୋଲି କହିଛନ୍ତି।

ରାୟପୁର ଉତ୍ତର ବିଧାନସଭା କ୍ଷେତ୍ରର ସବୁ ଗଳିକନ୍ଦିର ରାସ୍ତା ଠିକ କରିବା ତାଙ୍କ ପ୍ରାଥମିକତା ହେବ ବୋଲି କହିଛନ୍ତି ପୁରନ୍ଦର। ବହୁ ସମୟ ଧରି ଛତିଶଗଡ଼ରେ ରାଜନୈତିକ ଓ ସାମାଜିକ ଜୀବନ ସହ ଜଡିତ ଥିବା ପୁରନ୍ଦର ମିଶ୍ର ଜଗନ୍ନାଥଙ୍କ ରଥଯାତ୍ରା କରି ଛତିଶଗଡ଼ରେ ବେଶ ଚର୍ଚ୍ଚିତ ହୋଇଥିଲେ।

ପୂର୍ବତନ ମୁଖ୍ୟମନ୍ତ୍ରୀ ଅଜିତ ଯୋଗୀଙ୍କ ସମୟରେ ସେ କଂଗ୍ରେସ ସହ ଜଡିତ ଥିଲେ। କିନ୍ତୁ ପରେ ବିଜେପିକୁ ଆସିଥିଲେ। ବିଜେପିକୁ ଆସିବା ପରେ ସେ ରାଜନୀତିରେ ବେଶ ସକ୍ରିୟ ରହି ଆସିଛନ୍ତି।

ଦଳର ବହୁ ସାଙ୍ଗଠନିକ ପଦପଦବୀରେ ସେ କାମ କରିବା ସହ ଛତିଶଗଡ ସର୍ବ ଓଡ଼ିଆ ସମାଜର ସେ ରାଜ୍ୟ ଅଧ୍ୟକ୍ଷ ଅଛନ୍ତି। କିଛି ବର୍ଷ ଧରି ଛତିଶଗଡ଼ରେ ଓଡ଼ିଆ ଲୋକଙ୍କ ସଂଖ୍ୟା ମଧ୍ୟ ବଢିଛି।

ଛତିଶଗଡ଼ରେ ଓଡ଼ିଆ ମତଦାତାଙ୍କ ସଂଖ୍ୟା ପ୍ରାୟ ୧୫ ଲକ୍ଷ ବୋଲି କୁହାଯାଉଛି। ମୋଟ ଓଡ଼ିଆ ଜନସଂଖ୍ୟା ୩୫ ଲକ୍ଷ ବୋଲି କୁହାଯାଉଛି। ବିଭିନ୍ନ ବର୍ଗ ଓ ଜାତିର ଓଡ଼ିଆ ଲୋକେ ସେଠାରେ ସ୍ଥାୟୀ ଭାବେ ବସବାସ କରୁଛନ୍ତି।

ରାୟପୁର ଜିଲ୍ଲାରେ ସବୁଠୁ ଅଧିକ ଓଡ଼ିଆ ବସବାସ କରୁଛନ୍ତି। ଏହାବାଦ ଦୁର୍ଗ ଭିଲାଇ, ମହାସମୁନ୍ଦ, ରାୟଗଡ, ଗରିୟାବନ୍ଦ, ଯସପୁର ଓ ଜଗଦଲପୁରରେ ଓଡ଼ିଆଙ୍କ ଉପସ୍ଥିତି ରହିଛି।

ତେଣୁ ପୁରନ୍ଦରଙ୍କୁ ଦଳୀୟ ପ୍ରାର୍ଥୀ କରି ଛତିଶଗଡ଼ର ଓଡ଼ିଆଙ୍କୁ ବିଜେପି ଟାର୍ଗେଟ କରିଥିବା କୁହାଯାଉଛି। ତେଣୁ ଜଣେ ଓଡ଼ିଆ ଭାବେ ପୁରନ୍ଦରଙ୍କୁ ଛତିଶଗଡର ଓଡିଆମାନେ ଦଳ ମତ ନିର୍ବିଶେଷରେ ଭୋଟ ଦେବେ କି ଓ ପୁରନ୍ଦରଙ୍କ ପାଇଁ ଛତିଶଗଡ ଓଡ଼ିଆ ସମାଜର ଭୋଟ ଅଧିକ ସଂଖ୍ୟାରେ ବିଜେପିକୁ ମିଳିବ କି ତାକୁ ନେଇ ଆଲୋଚନା ଜୋର ଧରିଛି।

କିନ୍ତୁ ପୂର୍ବ ନିର୍ବାଚନରେ ବିଜେପି ଏସସି ବର୍ଗ ପାଇଁ ସଂରକ୍ଷିତ ସିଟ ସରାୟପାଲିରେ ଶ୍ୟାମ ତାଣ୍ଡିଙ୍କୁ ପ୍ରାର୍ଥୀ କରି ଏଭଳି ଉଦ୍ୟମ କରିଥିଲେ ମଧ୍ୟ ବିଫଳ ହୋଇଥିବା କୁହାଯାଏ। ତେଣୁ ଏଥର ବିଜେପିର ଏହି ରାଜନୈତିକ କୌଶଳ କେତେ କାମ ଦେଉଛି ତା ଉପରେ ନଜର।

Leave A Reply

Your email address will not be published.