Latest Odisha News

BREAKING NEWS

ତେଲେଙ୍ଗାନାରେ ଜିତିବା ପାଇଁ ଅସନ୍ତୁଷ୍ଟଙ୍କ ପିଠି ଥାପୁଡାଉଛି କଂଗ୍ରେସ !

ଭୁବନେଶ୍ୱର: ତେଲେଙ୍ଗାନା ବିଧାନସଭା ନିର୍ବାଚନରେ କଂଗ୍ରେସ ସପକ୍ଷରେ ସମ୍ଭାବନା ସୃଷ୍ଟି ହୋଇଥିବା କୁହାଯାଉଛି। ଏଭଳି ସ୍ଥିତିରେ ଦଳୀୟ ଟିକେଟ ପାଇଁ ଆଶା କରିଥିବା ବହୁ ଦାବିଦାର ବାଦ ପଡିବା ପରେ ସେମାନେ ସାମୁହିକ ଦଳ ଛାଡିବାକୁ ପ୍ରସ୍ତୁତ ହେଉଥିବା ଚର୍ଚ୍ଚା ହେଉଛି।

ସେସବୁକୁ ରୋକିବା ପାଇଁ କଂଗ୍ରେସ ଅତ୍ୟନ୍ତ ସତର୍କତାର ସହ ପଦକ୍ଷେପ ନେଉଛି। ତେଣୁ ଏଆଇସିସି ସାଧାରଣ ସମ୍ପାଦକ କେ ସି ଭେନୁଗୋପାଳ ଅସନ୍ତୁଷ୍ଟ ନେତାଙ୍କୁ ଭେଟିଛନ୍ତି।

ଯେଉଁ ନେତାଙ୍କୁ ଦଳ ଟିକେଟ ଦେଇନି ଓ ତାଙ୍କ ସମର୍ଥକମାନଙ୍କୁ ବ୍ୟକ୍ତିଗତ ଭାବେ ଭେନୁଗୋପାଳ ଭେଟିଛନ୍ତି। ପାଟନଚେରୁ ନିର୍ବାଚନ ମଣ୍ଡଳୀରୁ ଟିକେଟ ପାଇବାରୁ ବଞ୍ଚିତ ହୋଇଥିବା ନିଲମ ମଧୁଙ୍କ ପାଇଁ ସାଙ୍ଗାରେଡ୍ଡୀ ବିଧାୟକ ଟି ଜଗା ରେଡ୍ଡୀ ବ୍ୟାପକ ଅସନ୍ତୋଷ ପ୍ରକାଶ କରିଥିବା ବେଳେ ଭେନୁଗୋପାଳଙ୍କ ସହ ବୈଠକ ପରେ ସେ ଶାନ୍ତ ହୋଇଛନ୍ତି।

ସେହିପରି ପୁର୍ବତନ ମନ୍ତ୍ରୀ ଜି ଚିନ୍ନା ରେଡ୍ଡିଙ୍କ ନାଁ ପ୍ରଥମେ ଟିକେଟ ଲିଷ୍ଟରେ ଥିଲେ ମଧ୍ୟ ପରବର୍ତ୍ତୀ ପର୍ଯ୍ୟାୟରେ କଟିଯିବାରୁ ସେ ଅସନ୍ତୁଷ୍ଟ ରହିଛନ୍ତି। ତାଙ୍କୁ ମଧ୍ୟ ଶାନ୍ତ କରିବାରେ ଲାଗିଛି ଦଳ।

ଆଶାୟୀଙ୍କୁ କାହିଁକି ଟିକେଟ ମିଳିନି କିମ୍ବା କଟାଯାଇଛି ସେ ସମ୍ପର୍କରେ ନେତାଙ୍କ ସହ ଆଲୋଚନା କରିବା ସହ ଭେନୁଗୋପାଳ ସେମାନଙ୍କୁ ବୁଝାଇଛନ୍ତି। ସେହିପରି ପୂର୍ବତନ କେନ୍ଦ୍ରମନ୍ତ୍ରୀ ବାଲାରାମ ନାଏକଙ୍କୁ ଲୋକସଭା ଟିକେଟ ମିଳିବ ବୋଲି କୁହାଯାଇଛି।

ବରିଷ୍ଠ ନେତା ବେଲାୟା ନାଏକଙ୍କୁ ମଧ୍ୟ ଆଗକୁ ଅଧିକ ସୁଯୋଗ ମିଳିବ ବୋଲି କୁହାଯାଇଛି। ତେଲେଙ୍ଗାନା ଯୁବ ଓ ଛାତ୍ର ସଭାପତିଙ୍କୁ ସେମାନଙ୍କ ପରିଶ୍ରମର ଫଳ ମିଳିବ ବୋଲି ଆଶ୍ୱାସନା ଦିଆଯାଇଛି।

ସେହିପରି ଅନ୍ୟାନ୍ୟ ପ୍ରମୁଖ ସେଲର ମୁଖ୍ୟ ତଥା ଅସନ୍ତୁଷ୍ଟ ନେତାଙ୍କୁ ଭେଟି ଭେନୁଗୋପାଳ ଅସନ୍ତୋଷକୁ ଥମାଇବାକୁ ଉଦ୍ୟମ କରିଛନ୍ତି। ଟିକେଟ ନ ପାଇ କଂଗ୍ରେସର ଜଣେ ବରିଷ୍ଠ ନେତା ବିଷ ପିଇବା ପରେ ସ୍ଥିତି ଜଟିଳ ହୋଇଛି । ଯାହାକୁ ନେଇ କଂଗ୍ରେସ ଅପବାଦର ଶିକାର ହୋଇଛି । ତେଣୁ ଏ ସବୁକୁ ମ୍ୟାନେଜ କରିବା ପାଇଁ ଦଳ ସମସ୍ତ ଉଦ୍ଯମ କରୁଥିବା ଆଲୋଚନା ହେଉଛି ।

ତେଣୁ ତେଲେଙ୍ଗାନାରେ ଏକ ବଡ଼ ଲଢେଇକୁ କଂଗ୍ରେସ ଓଲ୍ହାଇଥିବାବେଳେ ଦଳୀୟ ଅସନ୍ତୋଷ ଯେଭଳି ଦଳ ଉପରେ ପ୍ରଭାବ ନ ପକାଇବ ସେଥିପାଇଁ କେନ୍ଦ୍ରୀୟ ନେତୃତ୍ୱ ସବୁ ଶକ୍ତି ଖଟାଇଥିବା ଚର୍ଚ୍ଚା ହେଉଛି।

Leave A Reply

Your email address will not be published.