ଭୁବନେଶ୍ୱର: ରାଜ୍ୟବ୍ୟାପୀ ଖଡ଼ି ଛୁଆଁ ସହ ନୂଆ ଶ୍ରେଣୀ ଗୃହରେ ପିଲାଙ୍କ ପାଇଁ ପ୍ରବେଶ ଉତ୍ସବ ପାଳନ ହୋଇଛି । ରାଜଭବନ ସରକାରୀ ସ୍କୁଲରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗ ଦେଇ କୁନି କୁନି ପିଲାମାନଙ୍କୁ ଖଡ଼ି ଛୁଆଁଇଛନ୍ତି । ଓଡ଼ିଆ ପକ୍ଷ ପାଳନ ଅବସରରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏହି ପ୍ରବେଶ ଉତ୍ସବ ଓ ଖଡ଼ି ଛୁଆଁ ଉତ୍ସବ ପାଳନ କରାଯାଇଛି ।
କୋମଳମତି ଶିଶୁଙ୍କ ଶିକ୍ଷା କ୍ଷେତ୍ରରେ ନୂଆ ପରିକଳ୍ପନା ଆଣିବା ପାଇଁ ଏଭଲି ଏକ ନିଷ୍ପତ୍ତି ନିଆଯାଇଥିଲା । ପୂର୍ବ ବର୍ଷ ମଧ୍ୟ ଏଭଳି ଏକ ଭବ୍ୟ କାର୍ଯ୍ୟକ୍ରମ ଆୟୋଜନ ହୋଇଥିଲା । ଚଳିତ ବର୍ଷ ପିଲାମାନଙ୍କ ସହ ଅଭିଭାବକ ମାନେ ମଧ୍ୟ ସାମିଲ ହେବେ । ଏହା ସହ ଶିକ୍ଷା ସଚେତନତା ରଥ ମଧ୍ୟ ଜିଲ୍ଲାରୁ ଜିଲ୍ଲା ଗଡିବ । ୬ ତାରିଖରୁ ୧୦ ତାରିଖ ଯାଏ ଗଡିବ ଶିକ୍ଷା ରଥ ।
ଶିଶୁ ବାଟିକାରେ ନାମ ଲେଖାଉଥିବା ସମସ୍ତ ଛାତ୍ରଛାତ୍ରୀମାନଙ୍କ ପାଇଁ କେନ୍ଦ୍ର ସରକାରଙ୍କ ଦ୍ବାରା ‘ଯାଦୁଇ ପିଟାରା’ ବା ଯାଦୁ ପେଡ଼ିକୁ ପ୍ରାଧାନ୍ୟ ଦିଆଯାଇଛି। ରାଜ୍ୟରେ ପ୍ରତ୍ୟେକ DIET ଦ୍ବାରା ଯାଦୁ ପେଡ଼ି ସାମଗ୍ରୀ ବିକଶିତ କରାଯାଇଛି। ପେଡ଼ିରେ ଛାତ୍ରଛାତ୍ରୀମାନଙ୍କ ପାଇଁ ଖେଳନା, ପେନସିଲ୍, କବିତା ପୋଷ୍ଟର, ଗପ କାର୍ଡ଼, ଚିତ୍ର କାର୍ଡ଼, ସଂଖ୍ୟାଜ୍ଞାନ ପାଇଁ ଶିକ୍ଷଣ ସାମଗ୍ରୀ କିଟ୍ ଇତ୍ୟାଦି ରହିଛି ।