Latest Odisha News

ବଣ୍ଡା ଘାଟିରୁ ମେଡିକାଲ କ୍ୟାରିୟର: ମଙ୍ଗଳା ମୁଦୁଲିଙ୍କୁ ସମ୍ବର୍ଦ୍ଧିତ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର :ପାଠ ପଢିବାର ଇଚ୍ଛାଶକ୍ତି ଆଗରେ ହାର ମାନିଛି ଅଭାବ ଅନଟନ । ଦିନେ ପାଠ ପଢିବାକୁ ସ୍ବପ୍ନ ଦେଖୁଥିବା ବଣ୍ଡାଘାଟିର ପୁଅ ବନିବେ ଡାକ୍ତର । ନିଟ୍‌(NEET) ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ଡାକ୍ତରୀ ପାଠ ପଢିବାର ସୁଯୋଗ ପାଇଛନ୍ତି ମାଲକାନଗିରି ବଣ୍ଡାଘାଟିର ପୁଅ ମଙ୍ଗଳା ମୁଦିଲି। ଗତକାଲି ଲୋକସେବା ଭବନଠାରେ ବ୍ରହ୍ମପୁର ଏମ୍‌.କେ.ସି.ଜି ମେଡିକାଲ କଲେଜରେ ଏମ୍‌ବିବିଏସ୍‌ ପାଠ୍ୟକ୍ରମ ପାଇଁ ନିଟ୍‌-୨୦୨୪ ଦ୍ବାରା ଯୋଗ୍ୟ ବିବେଚିତ ହୋଇଥିବା ମାଲକାନଗିରି ଜିଲ୍ଲା ଖଇରପୁଟ ବ୍ଲକ୍‌ ଅନ୍ତର୍ଗତ ବଡବେଲ ଗ୍ରାମର ବଣ୍ଡା ଜନଜାତି ଛାତ୍ର ମଙ୍ଗଳା ମୁଦୁଲିଙ୍କୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସମ୍ବର୍ଦ୍ଧିତ କରିଛନ୍ତି।

ଫୁଲତୋଡା ଓ ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରିବା ସହିତ ଏକ ଲାପଟପ୍‌ ମଧ୍ୟ ମୁଖ୍ୟମନ୍ତ୍ରୀ ତାଙ୍କୁ ଉପହାର ଦେଇଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ତାଙ୍କର ଉଜ୍ଜଳ ଭବିଷ୍ୟତ କାମନା କରିବା ସହିତ ଆଶୀର୍ବାଦ କରି କହିଥିଲେ ଯେ ବଣ୍ଡା ସମାଜର ପ୍ରଥମ ଡାକ୍ତର ଭାବେ ଭଲ ପାଠ ପଢି, ଭଲ ଡାକ୍ତର ହୋଇ ତୁମ ଅଞ୍ଚଳବାସୀଙ୍କର ସେବା କର। ମୁଖ୍ୟମନ୍ତ୍ରୀ ଆହୁରି ମଧ୍ୟ କହିଥିଲେ ଯେ ଦୃଢ ଇଚ୍ଛା ଶକ୍ତି ଆଗରେ ଆର୍ଥିକ ଅନଟନ ଓ ଅଭାବ ଅସୁବିଧା ସବୁକିଛି ହାର୍‌ ମାନିଥାଏ। ତାହାର ଜ୍ବଳନ୍ତ ଉଦାହରଣ ହେଉଛନ୍ତି ମଙ୍ଗଳା ମୁଦୁଲି।

ମଙ୍ଗଳାଙ୍କ ମେଡିକାଲ ପାଠ୍ୟକ୍ରମ ଜାରି ରଖିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ସମସ୍ତ ପ୍ରକାର ସହଯୋଗ ଯୋଗାଇ ଦିଆଯିବ ବୋଲି ସେ କହିଥିଲେ। ମଙ୍ଗଳାଙ୍କ ପରି ଅନୁସୂଚିତ ଜନଜାତି ଓ ଜାତି ବର୍ଗର ଗରିବ କୃତୀ ଛାତ୍ରଛାତ୍ରୀ ମାନଙ୍କୁ ମଧ୍ୟ ସେମାନଙ୍କ ପାଠପଢା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ସହଯୋଗ ପ୍ରଦାନ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ମାଝୀ କହିଛନ୍ତି ।

Comments are closed.