CM Visits Flood Hit Areas:ବନ୍ୟାଞ୍ଚଳକୁ ବୋଟ୍ରେ ବୁଲି ସ୍ଥିତି ପରଖିଲେ ମୁଖ୍ୟମନ୍ତ୍ରୀ;ଲୋକଙ୍କ ଦୁଃଖଦୁର୍ଦ୍ଦଶା ଶୁଣିଲେ…ଅଧିକାରୀଙ୍କ ସହ କଲେ ଆଲୋଚନା
ଦଶରଥପୁର:ବନ୍ୟା ପରିସ୍ଥିତିର ସମୀକ୍ଷା ପାଇଁ ଆଜି ଯାଜପୁର ଗସ୍ତରେ ଆସିଛନ୍ତି ମୁଖ୍ୟମନ୍ତ୍ରୀ ।ବୋଟ୍ରେ ବନ୍ୟା ପ୍ରଭାବିତ ଅଞ୍ଚଳ ବୁଲି ସ୍ଥିତି ପରଖିଛନ୍ତି ମୁଖ୍ୟମନ୍ତ୍ରୀ । ତାଙ୍କ ସହ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ, ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଏବଂ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ମଧ୍ୟ ଉପସ୍ଥିତ ଥିଲେ ।
ଏହାସହ ରାଜ୍ୟ ଅବକାରୀ ଆୟୁକ୍ତ ତଥା ପୂର୍ବତନ ଜିଲ୍ଲାପାଳ ପି. ଅନ୍ୱେଷା ରେଡ୍ଡି, ସ୍ବତନ୍ତ୍ର ରିଲିଫ କମିଶନର ରାଜେଶ ପ୍ରଭାକର ପାଟିଲ, ଯାଜପୁର ଜିଲ୍ଲାପାଳ ଅମ୍ବର କର ଓ ଏସପି ୟଶ ପ୍ରତାପ ଶ୍ରୀମଲଙ୍କ ସହ ବିଭିନ୍ନ ପ୍ରଶାସନିକ ଅଧିକାରୀ ଉପସ୍ଥିତ ଥିଲେ ।
ଅନ୍ୟପଟେ ବିଂଝାରପୁର ବିଧାୟିକା ପ୍ରମିଳା ମଲ୍ଲିକ, ଯାଜପୁର ବିଧାୟିକା ସୁଜାତା ସାହୁ ଏବଂ ଜିଲ୍ଲା ପରିଷଦ ସଦସ୍ୟା ମାମିନା ମଲ୍ଲିକ ମଧ୍ୟ ଏହି ଅବସରରେ ଉପସ୍ଥିତ ଥିଲେ । ପତିରି ଘାଟରେ ମୁଖ୍ୟମନ୍ତ୍ରୀଙ୍କୁ ସ୍ୱାଗତ କରିବା ପାଇଁ ବହୁ ସଂଖ୍ୟାରେ ଲୋକ ଏକତ୍ରିତ ହୋଇଥିବାବେଳେ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା । ବନ୍ୟା ବିପନ୍ନଙ୍କୁ ତୁରନ୍ତ ସହାୟତା ଓ ଆବଶ୍ୟକ ପଦକ୍ଷେପ ନେବାକୁ ମୁଖ୍ୟମନ୍ତ୍ରୀ ପ୍ରଶାସନକୁ ନିର୍ଦ୍ଦେଶ ଦେଇଥିବା ସୂଚନା ମିଳିଛି ।
ଦଶରଥପୁର ବ୍ଲକର ପତିରି ଘାଟରୁ ସ୍ୱତନ୍ତ୍ର ବୋଟ୍ ଯୋଗେ କସପା ଓ ତରପଦା ପଞ୍ଚାୟତର ବିଭିନ୍ନ ବନ୍ୟା ପ୍ରଭାବିତ ଅଞ୍ଚଳ ବୁଲି ଲୋକଙ୍କ ଦୁଃଖଦୁର୍ଦ୍ଦଶା ଶୁଣିଛନ୍ତି ମୁଖ୍ୟମନ୍ତ୍ରୀ ।
ସୂଚନାଥାଉକି, ବୈତରଣୀ ନଦୀରେ ଚତୁର୍ଥ ବନ୍ୟା ଆସିବା ପରେ ଦଶରଥପୁରବାସୀଙ୍କ ଦୁର୍ଦ୍ଦଶା ବଢ଼ିଛି । ବ୍ଲକର ଅନେକ ସ୍ଥାନରେ ଘାଇ ଓ ବନ୍ଧ ଧସିବା ଯୋଗୁଁ ବନ୍ୟାଜଳ ଗାଁ ଭିତରକୁ ପଶିଛି । ଜୟନ୍ତରା ମହାପାତ୍ରସାହି ନିକଟ ଘେରିବନ୍ଧରେ ପ୍ରାୟ ୧୨୦ ଫୁଟର ଘାଇ ହୋଇଛି। ସେହିପରି କାଣୀ ନଦୀର ତରପଦା ପଞ୍ଚାୟତର ଡୋଭାବିଲ ଓ ପାଟଣା ନିକଟରେ ମଧ୍ୟ ଘାଇ ସୃଷ୍ଟି ହୋଇଛି । ଘାଇ ଦେଇ ବନ୍ୟାଜଳ ପ୍ରବାହିତ ହେବାରୁ ଦଶରଥପୁର ବ୍ଲକର ୧୯ଟି ପଞ୍ଚାୟତର ୫୯ଟି ରାଜସ୍ୱ ଗାଁ ପ୍ରଭାବିତ ହୋଇଛି । ପ୍ରାୟ ୯୦ ହଜାର ୮୬୪ ଜଣ ଲୋକ ବନ୍ୟା ପ୍ରଭାବିତ ହୋଇଥିବା ବେଳେ ୩୮ ହଜାର ୭୨୫ ଜଣଙ୍କୁ ପାଣି ଘେରରୁ ଉଦ୍ଧାର କରାଯାଇଛି। ଆଶ୍ରୟସ୍ଥଳୀରେ ଲୋକଙ୍କୁ ଶୁଖିଲା ଓ ରନ୍ଧା ଖାଦ୍ୟ ଯୋଗାଇ ଦିଆଯାଉଛି ।
ଏପଟେ ସମଗ୍ର ଉତ୍ତର ଓଡ଼ିଶା ପାଇଁ ପୁଣି ଚିନ୍ତା ବଢ଼ିଲା । ୧୭ ଅଗଷ୍ଟ ମଧ୍ୟାହ୍ନର ନଦୀ ଓ ବର୍ଷା ସ୍ଥିତିକୁ ଦେଖିଲେ, ବିଶେଷକରି ବୈତରଣୀ, ଜଳକା ଓ ସାଳନ୍ଦୀ ନଦୀ ଉପରେ ନଜର ରଖିବା ଜରୁରୀ ହୋଇଛି । ୪୫ଟି ବର୍ଷାମାପକ କେନ୍ଦ୍ରରେ ୫୦ ମିଲିମିଟରରୁ ଅଧିକ ବର୍ଷା ରେକର୍ଡ ହୋଇଛି । ଏଥିରୁ ୧୬ଟି କେନ୍ଦ୍ରରେ ୧୦୦ ମିଲିମିଟରରୁ ଅଧିକ ବର୍ଷା ହୋଇଛି । ସର୍ବାଧିକ ୨୧୭ ମିଲିମିଟର ବର୍ଷା ବାଲେଶ୍ୱରର ଭୋଗରାଇରେ ରେକର୍ଡ ହୋଇଛି । ଭଦ୍ରକର ରାଜଘାଟରେ ସାଳନ୍ଦୀ ୧୭.୫ ଫୁଟ୍ରେ ରହିଛି, ଯାହା ୧୭ ଫୁଟ୍ର ଡେଞ୍ଜର ଲେଭଲ୍ଠାରୁ ଉପରେ ରହିଛି ବୋଲି ସୂଚନା ଦେଇଛନ୍ତି ଜଳ ସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ଦିଲୀପ ରାଉତ ।
