Latest Odisha News

ନିଜ ରାଜ୍ୟରେ ସବୁଠୁ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ତାଲିକାର ଶୀର୍ଷରେ ନବୀନ ପଟ୍ଟନାୟକ: ଇଣ୍ଡିଆ ଟୁଡେ ସର୍ଭେ

ଭୁବନେଶ୍ବର: ପୁଣି ସବୁଠାରୁ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ତାଲିକାର ଶୀର୍ଷରେ ଅଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ‘ଇଣ୍ଡିଆ ଟୁଡେ ମୁଡ୍‌ସ ଅଫ୍‌ ଦ ନେସନ’ ସର୍ଭେରେ ନିଜ ରାଜ୍ୟରେ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ଭାବେ ନବୀନ ପଟ୍ଟନାୟକ ପୁଣି ଅନ୍ୟ ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କୁ ପଛରେ ପକାଇଛନ୍ତି । ନିର୍ବାଚନକୁ ଅଳ୍ପଦିନ ଥିବା ବେଳେ ଇଣ୍ଡିଆ ଟୁଡେ ଗ୍ରୁପ ପକ୍ଷରୁ ନିକଟରେ ପ୍ରକାଶ ପାଇଥିବା ମୁଡ ଅଫ ନେସନ ସର୍ଭେରୁ ଏହି ତଥ୍ୟ ସାମ୍ନାକୁ ଆସିଛି ।

ନିଜ ରାଜ୍ୟରେ ଲୋକପ୍ରିୟତା ମାମଲାରେ ଅନ୍ୟ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ଏଥର ମଧ୍ୟ ନବୀନ ପଟ୍ଟନାୟକ ପଛରେ ପକାଇ ଦେଇଛନ୍ତି । ସର୍ଭେ ରିପୋର୍ଟରେ ନବୀନ ପଟ୍ଟନାୟକଙ୍କୁ ଓଡିଶାର ୫୨.୭ ପ୍ରତିଶତ ଲୋକ ପସନ୍ଦ କରିଛନ୍ତି । ଓଡ଼ିଶାରେ ସର୍ଭେ ଟିମ୍‌ ୩ ହଜାର ୭୬୦ ଜଣଙ୍କ ମତ ନେଇଥିଲା । ସେଥିରୁ ୫୨.୭ ଲୋକେ ମୁଖ୍ୟମନ୍ତ୍ରୀ ଭାବେ ନବୀନଙ୍କ କାମରେ ବେଶ୍‌ ସନ୍ତୁଷ୍ଟ ଥିବା ମତ ରଖିଥିଲେ ।

ତେବେ ୨୦୨୩ରେ ନବୀନଙ୍କୁ ୬୧ ଦଶମିକ ୩ ପ୍ରତିଶତ ଲୋକ ପସନ୍ଦ କରିଥିବା ବେଳେ ୨୦୨୪ରେ ୫୨ ଦଶମିକ ୭ ପ୍ରତିଶତ ଲୋକ ମୁଖ୍ୟମନ୍ତ୍ରୀଙ୍କ କାମରେ ସନ୍ତୋଷ ପ୍ରକାଶ କରିଛନ୍ତି । ଏଥିରୁ ଜଣାପଡୁଛି ଯେ, ୨୦୨୩ ତୁଳନାରେ ମୁଖ୍ୟମନ୍ତ୍ରୀଙ୍କ ଲୋକପ୍ରିୟତା କମିଛି ।

ସେହିପରି ସର୍ଭେ ତାଲିକାର ଦ୍ୱିତୀୟରେ ଅଛନ୍ତି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ । ମୁଖ୍ୟମନ୍ତ୍ରୀ ଭାବେ ଯୋଗୀଙ୍କ କାର୍ଯ୍ୟରେ ଉତ୍ତରପ୍ରଦେଶର ୫୧.୩ ଲୋକେ ଖୁସ୍‌ ଅଛନ୍ତି । ସେହିପରି ତୃତୀୟରେ ଅଛନ୍ତି ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା । ଆସାମର ୪୮.୬ ଲୋକେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟରେ ସନ୍ତୁଷ୍ଟ ଅଛନ୍ତି । ଚତୁର୍ଥ ସ୍ଥାନରେ ଗୁଜରାଟ ମୁଖ୍ୟମନ୍ତ୍ରୀ ଭୁପେନ୍ଦ୍ରଭାଇ ପଟେଲ । ତାଙ୍କୁ ୪୨.୬ ଲୋକ ପସନ୍ଦ କରୁଛନ୍ତି ।

ପଞ୍ଚମରେ ତ୍ରିପୁରା ମୁଖ୍ୟମନ୍ତ୍ରୀ ମାଣିକ ସାହା । ତାଙ୍କର ଲୋକପ୍ରିୟତା ହାର ରହିଛି ୪୧.୪ । ଷଷ୍ଠ ସ୍ଥାନରେ ଗୋଆ ମୁଖ୍ୟମନ୍ତ୍ରୀ ପ୍ରମୋଦ ସାୱନ୍ତ, ସପ୍ତମ ସ୍ଥାନରେ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମି, ଅଷ୍ଟମ ସ୍ଥାନରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍‌, ନବମରେ ତାମିଲନାଡ଼ୁ ମୁଖ୍ୟମନ୍ତ୍ରୀ ଏମ୍‌.କେ ଷ୍ଟାଲିନ ଓ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଅଛନ୍ତି ।

Comments are closed.