Latest Odisha News

BREAKING NEWS

ରାଜ୍ୟରେ ଆଂଶିକ କୋହଳ ହେଲା କଟକଣା, କେଉଁଠି ଖୋଲିବ, କେଉଁଠି ପଡ଼ିବ ତାଲା, ଜାଣନ୍ତୁ

ଭୁବନେଶ୍ବର : ରାଜ୍ୟରେ ସାମାନ୍ୟ କୋହଳ ହେଲା ଲକଡାଉନ୍‌ କଟକଣା । ଜୁଲାଇ ପହିଲା ଯାଏଁ ରାଜ୍ୟରେ ଲାଗୁ ହେବ ଆଂଶିକ ଲକ୍‌ଡାଉନ୍ । ଏନେଇ ଘୋଷଣା କରିଛନ୍ତି ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର । ତେବେ ନୂଆ ଗାଇଡଲାଇନ୍ ଅନୁସାରେ ରାଜ୍ୟର ସମସ୍ତ ଜିଲ୍ଲାକୁ ଦୁଇଟି କାଟେଗୋରୀରେ ବିଭକ୍ତ କରାଯାଇଛି । ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାର ୧୭ ଜିଲ୍ଲାକୁ କାଟେଗୋରୀ – Aରେ ରଖାଯାଇଥିବା ବେଳେ, ଉପକୂଳ ଓ ଉତ୍ତର ଓଡ଼ିଶାର ୧୩ଟି ଜିଲ୍ଲାକୁ କାଟେଗୋରୀ – Bରେ ରଖାଯାଇଛି ।

କାଟେଗୋରୀ – Aରେ ଥିବା ଜିଲ୍ଲା ଗୁଡିକ ହେଲା ସୁନ୍ଦରଗଡ଼, ଝାରସୁଗୁଡା, ବରଗଡ, ସମ୍ବଲପୁର, ଦେବଗଡ, କଳାହାଣ୍ଡି, ବଲାଙ୍ଗୀର, ନୂଆପଡା, ସୁବର୍ଣ୍ଣପୁର, କନ୍ଧମାଳ, ଗଞ୍ଜାମ, ଗଜପତି, ବୌଦ୍ଧ, ରାୟଗଡ଼ା, ନବରଙ୍ଗପୁର, କୋରାପୁଟ ଓ ମାଲକାନଗିରି ଜିଲ୍ଲା ରହିଛି । ସେହିପରି କାଟେଗୋରୀ – Bରେ ଥିବା ଜିଲ୍ଲା ଗୁଡିକ ହେଲା ଖୋର୍ଦ୍ଧା, ପୁରୀ, ନୟାଗଡ, କଟକ, କେନ୍ଦ୍ରାପଡା, ଜଗତସିଂହପୁର, ଯାଜପୁର, ଅନୁଗୁଳ, ଢେଙ୍କାନାଳ, ବାଲେଶ୍ବର, ଭଦ୍ରକ, ମୟୂରଭଞ୍ଜ ଓ କେନ୍ଦୁଝର ଜିଲ୍ଲା ।

ନୂଆ ନିର୍ଦ୍ଦେଶନାମା ଅନୁସାରେ, କାଟେଗୋରୀ – Aରେ ଥିବା ଜିଲ୍ଲାରେ ସକାଳ ୬ଟାରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ଦୋକାନ ବଜାର ଖୋଲା ରହିବ । ଅତ୍ୟାବଶ୍ୟକୀୟ ସାମଗ୍ରୀ ଦୋକାନ ମଧ୍ୟ ଖୋଲା ରହିବ । ଧର୍ମାନୁଷ୍ଠାନ, ସୁମିଂ ପୁଲ, ରାଜନୈତିକ କାର୍ଯ୍ୟକ୍ରମ ପୂର୍ବଭଳି ବନ୍ଦ ରହିବ । ସେହିପରି କାଟେଗୋରୀ – Bରେ ଥିବା ଜିଲ୍ଲାରେ ସକାଳ ୬ଟାରୁ ଦିନ ଗୋଟାଏ ପର୍ଯ୍ୟନ୍ତ ବଜାର ଖୋଲା ରହିବ । ସକାଳ ୬ଟାରୁ ୯ଟା ପର୍ଯ୍ୟନ୍ତ ମର୍ଣ୍ଣିଂ ଓ୍ବାକ୍ ପାଇଁ ଅନୁମତି ଦିଆଯାଇଛି ।

ଏହାସହ ସମସ୍ତ ଜିଲ୍ଲାରେ ବ୍ୟାଙ୍କିଂ, ଶିଳ୍ପ ସଂସ୍ଥା, ମତ୍ସ୍ୟ ଓ ପଶୁପାଳନ, ହୋମ୍ ଡେଲିଭେରୀ, ପେଟ୍ରୋଲ ପମ୍ପ ସେବା କାର୍ଯ୍ୟ ଜାରି ରହିବ । କ୍ଷୀର ବ୍ୟବସାୟୀଙ୍କ ସ୍ବାର୍ଥକୁ ଦୃଷ୍ଟିରେ ରଖି ମିଠା ଦୋକାନ ଖୋଲା ରହିବ । ସାଇକେଲ ଓ ଅଟୋମୋବାଇଲ ମରାମତି ଦୋକାନ ଖୋଲା ରହିବ । ମାଲ ପରିବହନ କରୁଥିବା ଗାଡ଼ି ଚଳାଚଳ କରିବ, କିନ୍ତୁ ବସ ଚଳାଚଳ କରିବ ନାହିଁ । ସେହିପରି ସମସ୍ତ ଜିଲ୍ଲାରେ ସପ୍ତାହାନ୍ତ ସଟ୍‌ଡାଉନ ଓ ନାଇଟ୍ କର୍ଫ୍ୟୁ ବଳବତ୍ତର ରହିବ । ବିବାହ, ଶୁଦ୍ଧିକ୍ରିୟା ଓ ସାମାଜିକ କାର୍ଯ୍ୟକ୍ରମରେ ପୂର୍ବଭଳି କଟକଣା ବଳବତ୍ତର ରହିବ । ମନ୍ଦିର ବନ୍ଦ ରହିବ କିନ୍ତୁ ନୀତିକାନ୍ତି ଚାଲୁ ରହିବ । ଏହାସହ ସିନେମା ହଲ ବନ୍ଦ ରହିବା ସହ ସୁଟିଂ ବନ୍ଦ ରହିବ ବୋଲି ସରକାର ନିର୍ଦ୍ଦେଶ ଦେଇଛନ୍ତି । ଏହାସହ ଟିକାକରଣ କାର୍ଯ୍ୟ ଜାରି ରଖିବାକୁ ଘୋଷଣା କରିଛନ୍ତି ମୁଖ୍ୟ ଶାସନ ସଚିବ ।

Leave A Reply

Your email address will not be published.