Latest Odisha News

ବଢିଲା କାର୍ଯ୍ୟକାଳ, ମୋହନ ସରକାରରେ ଆହୁଜାଙ୍କୁ ଆହୁରି ବର୍ଷେ..

ଭୁବନେଶ୍ବର: ବଢିଲା ମୁଖ୍ୟ ଶାସନ ସଚିବଙ୍କ କାର୍ଯ୍ୟକାଳ । ମୋହନ ସରକାରରେ ଆହୁରି ବର୍ଷେ କାମ କରିବେ ମୁଖ୍ୟ ଶାସନ ସଚିବ ଆଇଏଏସ ମନୋଜ ଆହୁଜା । ମୁଖ୍ୟ ଶାସନ ସଚିବଙ୍କ କାର୍ଯ୍ୟକାଳକୁ ୧ ବର୍ଷ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି ରାଜ୍ୟ ସରକାର । ଆସନ୍ତା ୩୧ ତାରିଖରେ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ ଶେଷ ହେଉଥିଲା ।

ରାଜ୍ୟ ସରକାର ଆହୁଜାଙ୍କ କାର୍ଯ୍ୟଦକ୍ଷତା ଏବଂ ନୂଆ ସରକାରର କାର୍ଯ୍ୟକ୍ରମରେ ତାଙ୍କର ଭୂମିକାକୁ ଦେଖି କାର୍ଯ୍ୟକାଳକୁ ଆହୁରି ୧ ବର୍ଷ ପାଇଁ ବୃଦ୍ଧି କରିଛନ୍ତି । ଡିସେମ୍ୱର ୩୧ରେ ବରିଷ୍ଠ ଆଇଏଏସ ଅଧିକାରୀ ମନୋଜ ଆହୁଜାଙ୍କ ୩୪ ବର୍ଷର ଚାକିରୀ କାର୍ଯ୍ୟକାଳ ସରୁଥିବା ଥିବା ବେଳେ କାର୍ଯ୍ୟ ଅବଧିକୁ ଆହୁରି ବଢାଇଛନ୍ତି ରାଜ୍ୟ ସରକାର ।

ତେବେ କେନ୍ଦ୍ରୀୟ ଡେପୁଟେସନରେ ଆସିଥିବା ୧୯୯୦ ବ୍ୟାଚର ଆଇଏଏସ ମନୋଜ ଆହୁଜା ୬ ମାସ ଭିତରେ ନୂଆ ସରକାରଙ୍କ କାର୍ଯ୍ୟକ୍ରମକୁ କାର୍ଯ୍ୟକାରୀ କରାଇବାରେ ସଫଳ ହୋଇଛନ୍ତି । ୨୪ ନିର୍ବାଚନ ପ୍ରତିଶ୍ରୁତି ପୂରଣ କରିବାରେ ମଧ୍ୟ ବଡ ଭୂମିକା ନିଭାଇଛନ୍ତି ଆହୁଜା ।

ତେବେ କାହିଁକି ମୋହନ ସରକାରଙ୍କ ପ୍ରଥମ ପସନ୍ଦ ଆହୁଜା?

୧୯୯୦ ବ୍ୟାଚ୍‌ର ବରିଷ୍ଠ ଆଇଏଏସ୍‌ ମନୋଜ ଆହୁଜା କେନ୍ଦ୍ରୀୟ ଡେପୁଟେସନରୁ ଫେରି ଜୁନ୍ ୩୦ ତାରିଖରେ ରାଜ୍ୟର ମୁଖ୍ୟ ଶାସନ ସଚିବ ସହିତ ସାଧାରଣ ପ୍ରଶାସନ (ଜିଏ) ଓ ସାଧାରଣ ଅଭିଯୋଗ (ପିଜି)ର ସଚିବ ଭାର ସମ୍ଭାଳିଥିଲେ । ପ୍ରଧାନମନ୍ତ୍ରୀ ମୋଦି ଏବଂ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କର କାଳେ ଅତି ବିଶ୍ବସ୍ତ ବରିଷ୍ଠ ଆଇଏଏସ ଆହୁଜା । କାର୍ଯ୍ୟଭାର ସମ୍ଭାଳିବା ପରେ ମନୋଜଙ୍କ ନେତୃତ୍ବରେ ଇନପୁଟ ସବସିଡି, ସୁଭଦ୍ରା ଭଳି ଲୋକାଭିମୁଖି ଯୋଜନାର କ୍ରିୟାନ୍ବୟନ ହୋଇଛି । ଓଡିଶାକୁ ଶିଳ୍ପ କରିଡର ଭାବେ ପ୍ରତିଷ୍ଠା କରିବା ପାଇଁ ମଧ୍ୟ ରାଜ୍ୟ ବାହାରେ ବଡ ଭୂମିକା ନିଭାଇଛନ୍ତି ମନୋଜ । ଏଥିସହିତ ଆସନ୍ତା ବର୍ଷ ଜାନୁଆରୀ ୭ ଏବଂ ୮ରେ କିପରି ପ୍ରବାସୀ ଓଡିଶା କାର୍ଯ୍ୟକ୍ରମ ସଫଳତାର ସହ ହେବ ତାହାର ମଧ୍ୟ ନେତୃତ୍ବ ନେଉଛନ୍ତି ଆହୁଜା । ଆଉ ଜାନୁଆରୀ ଶେଷ ସପ୍ତାହରେ ଉତ୍କର୍ଷ ଓଡିଶା ମେଗା ଇଭେଣ୍ଟ ମଧ୍ୟ ଅନୁଷ୍ଠିତ ହେବାକୁ ଯାଉଛି । ଯେଉଁଥିରେ ମନୋଜଙ୍କ ଭୂମିକା ବେଶ୍ ଗୁରୁତ୍ବପୂର୍ଣ୍ଣ ।

Leave A Reply

Your email address will not be published.