ଭୁବନେଶ୍ଵର: ବର୍ତ୍ତମାନର ଯୁଗରେ ମୋବାଇଲ ପାଇଁ ପାଗଳ ଆବାଳ ବୃଦ୍ଧ ବନିତା । ସତେ ଯେପରି ମୋବାଇଲ ବର୍ତ୍ତମାନର ଯୁବପିଢି ହେଉ କି ଛୋଟ ଛୁଆ ସମସ୍ତଙ୍କ ପାଇଁ ଏକ ବିମାରୀ ସଦୃଶ୍ୟ ହୋଇଗଲାଣି । ସାଧାରଣତଃ ଦେଖିବାକୁ ମିଳେ ଯେ ଯଦି କୌଣସି ଛୋଟ ପିଲା କାନ୍ଦୁଛି ତେବେ ତାଙ୍କର ଅଭିଭାବକ ତାଙ୍କୁ ମୋବାଇଲ ଦେଇ ବସେଇ ଦେଉଛନ୍ତି । କିନ୍ତୁ ସେମାନେ ଏହା ବୁଝନ୍ତି ନାହିଁ ଯେ , ମୋବାଇଲ୍ ସେମାନଙ୍କ ପିଲାମାନଙ୍କୁ ମାନସିକ ବିକୃତ କରାଉଛି | ୨ ବର୍ଷରୁ କମ୍ ବୟସର ପିଲା ମାନଙ୍କଠାରେ ଭର୍ଚୁଆଲ୍ ଅଟିଜିମ୍ ରୋଗ ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି ।
ଯଦି ଆପଣଙ୍କର ପିଲା ୨ ବର୍ଷ ବୟସ ପରେ ମଧ୍ୟ ସଠିକ୍ ଭାବରେ କହିବାରେ ସକ୍ଷମ ନୁହଁନ୍ତି, ଅନେକ ସମୟରେ ବିରକ୍ତ ହେଉଛି, ପରିବାର ସଦସ୍ୟଙ୍କୁ ମଧ୍ୟ ଚିହ୍ନି ପାରୁନି, ସମାନ କାମକୁ ବାରମ୍ବାର ପୁନରାବୃତ୍ତି କରୁଛି ତେବେ ଆପଣ ମାନେ ସତର୍କ ହୋଇଯାଆନ୍ତୁ । କାରଣ ଆପଣଙ୍କ ପିଲା ଭର୍ଚୁଆଲ୍ ଅଟିଜିମ ରୋଗର ଶିକାର ହେବାକୁ ଯାଉଛନ୍ତି | ଏହି ରୋଗ ଏତେ ସାଂଘାତିକ ଯେ, ଏହା ଆପଣଙ୍କ ପିଲାଙ୍କୁ ମାନସିକ ସ୍ତରରେ ମଧ୍ୟ ଅକ୍ଷମ କରିପାରେ |
ଏଭଳି ରୋଗରେ ଆକ୍ରାନ୍ତ ପିଲାମାନଙ୍କୁ ସୁସ୍ଥ କରିବା ପାଇଁ ପିତାମାତାଙ୍କୁ ନିଜ ଭିତରେ କିଛି ପରିବର୍ତ୍ତନ କରିବାକୁ ପଡିବ । ସର୍ବପ୍ରଥମେ, ନିଜ ପିଲାମାନଙ୍କୁ ବେଶି ସମୟ ଦିଅନ୍ତୁ । ସେମାନଙ୍କ ସହ ବାର୍ତ୍ତଳାପ କରନ୍ତୁ ଏବଂ ତାଙ୍କ ସହ ନିଜେ ଖେଳନ୍ତୁ । ସଂଗୀତ ଏବଂ କଳା ପରି ସୃଜନଶୀଳ କାର୍ଯ୍ୟକଳାପରେ ପିଲାମାନଙ୍କୁ ଜଡିତ ରଖନ୍ତୁ । ସେମାନଙ୍କର ଶୋଇବା ଶୈଳୀକୁ ସଂଶୋଧନ କରିବାକୁ ଚେଷ୍ଟା କରନ୍ତୁ । ଏହି ଜିନିଷଗୁଡିକ ପ୍ରତି ଧ୍ୟାନ ଦେଲେ ପିଲାଟି ଧୀରେ ଧୀରେ ମୋବାଇଲଠାରୁ ଦୂରେଇ ଯିବ ।
Comments are closed.