ଅନୁଗୁଳ:ପ୍ରବଳ ଶୀତରୁ ରକ୍ଷା ପାଇବା ପାଇଁ ଘର ସାମ୍ନାରେ ବସି ଖରା ପୁଉଁଥିବା ବେଳେ ମା’ ପୁଅଙ୍କ ଉପରେ ଚଢ଼ିଗଲା ଟ୍ରାକ୍ଟର । ଅନୁଗୁଳ ଜିଲ୍ଲା କିଶୋର ନଗର ଥାନା କରମକଟା ଗାଁରେ ଏହି ଅଭାବନୀୟ ଘଟଣା ଘଟିଛି । ଗାଁ ଦାଣ୍ଡର ଡ୍ରେନ କଡ଼ରେ ବସିଥିଲେ ମାଆ ଓ ପୁଅ । ସେତିକିବେଳେ ଉପରକୁ ମାଡ଼ିଗଲା ଟ୍ରାକ୍ଟର। ଘଟଣା ସ୍ଥଳରେ ୪ ବର୍ଷର ଶିଶୁ ପୁତ୍ର ଶ୍ରେୟାନ୍ ଦେହୁରୀଙ୍କ ମୃତ୍ୟୁ ହୋଇଛି। ମାଆଙ୍କୁ ଗୁରୁତର ଅବସ୍ଥାରେ ଅନୁଗୁଳ ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି।
ସୂଚନା ଅନୁଯାୟୀ, କରମଲକଟା ଗାଁର ଜନ୍ମୀ ଦେହୁରୀ (୨୫) ଖରାରେ ପୁଅ ସହ ବସିଥିଲେ। ଏହି ସମୟରେ ଏହି ଗାଁର ଏକ ଟ୍ରାକ୍ଟର ନିକଟସ୍ଥ ବିଲରୁ ଧାନ ବୋଝେଇ କରିବାକୁ ଯାଉଥିଲା। ଟ୍ରାକ୍ଟରଟି ଭାରସାମ୍ୟ ହରାଇ ମା ଓ ପୁଅଙ୍କୁ ଧକ୍କା ଦେଇଥିଲା। ଦୁର୍ଘଟଣାରେ ମା ଛିଟିକି ପଡ଼ିଥିବା ବେଳେପୁଅ ଉପରେ ଟ୍ରାକ୍ଟରର ଗୋଟିଏ ଚକ ଚଢ଼ି ଯାଇଥିଲା।
ସ୍ଥାନୀୟ ଲୋକ ତୁରନ୍ତ ଉଭୟଙ୍କୁ କିଶୋରନଗର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନେଇଯାଇଥିଲେ। ସେଠାରେ ଡାକ୍ତର ପୁଅକୁ ମୃତ ଘୋଷଣା କରିଥିଲେ। ମା ଗୁରୁତର ଅବସ୍ଥାରେ ପ୍ରଥମେ କିଶୋର ନଗର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ପ୍ରାଥମିକ ଚିକିତ୍ସା ହେଉଥିଲେ । ପରେ ଅବସ୍ଥା ଗୁରୁତର ହେବାରୁ ଡାକ୍ତର ତାଙ୍କୁ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରିଛନ୍ତି ।
ଅନ୍ୟପଟେ କିଶୋର ନଗର ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରିବା ସହ ଘଟଣା ଘଟାଇ ଥିବା ଟ୍ରାକ୍ଟରକୁ ଜବତ କରି ଡ୍ରାଇଭରକୁ ମଧ୍ୟ ଅଟକ ରଖିଛି ।