Latest Odisha News

BREAKING NEWS

ଗାଡି ଚଢ଼ାଇଥିବାରୁ ଅନୁତାପ କରୁନି: ବିଧାୟକ ପ୍ରଶାନ୍ତ ଜଗଦ୍ଦେବ

ଭୁବନେଶ୍ୱର: ଖୋର୍ଦ୍ଧା ବାଣପୁରରେ କାର ଚଢ଼ାଇବା ଘଟଣାରେ ଜାମିନରୁ ମୁକୁଳିବା ପରେ ଭିକ୍ଟିମ୍ କାର୍ଡ ଖେଳିବା ଆରମ୍ଭ କରିଛନ୍ତି। ନିଜର ନୀରିହତା ଦେଖାଇବାକୁ ଯାଇ ମାର୍ଚ୍ଚ ୧୨, ୨୦୨୨ ଘଟଣା ବାବଦରେ ମିଡିଆକୁ କହିଛନ୍ତି। ସେଦିନ ବିଜେପି ତାଙ୍କୁ ମାରିବାକୁ ଷଡ଼ଯନ୍ତ୍ର କରିଥିଲା। ତାଙ୍କୁ ବିଜେପି ମାଡ ମାରିବାରୁ ସେ ବେହୋସ ଅବସ୍ଥାକୁ ପଳାଇ ଆସିଥିଲେ। ଆଉ ଭୟରେ ସେ ଏରିଆ ଛାଡିବାକୁ ଚାହିଁବାରୁ କାରର ବ୍ରେକ ବଦଳରେ ଭୁଲରେ ଏକ୍ସିଲେଟରରେ ଗୋଡ ପକାଇ ଦେଇଥିଲେ ବୋଲି ସେ କହିଛନ୍ତି। ତେବେ ସେ ଯାହା କରିଛନ୍ତି ଏଥିପାଇଁ ସେ ଅନୁତାପ କରନ୍ତି ନାହିଁ ବୋଲି କହିଛନ୍ତି।

ସେହିପରି ସେ ମଦ ପିଇଥିବା ନେଇ ଅଭିଯୋଗକୁ ଖାରଜ କରିଛନ୍ତି। ସେ ମନ୍ଦିର ଯାଇ ଆସୁଥିଲେ ପରେ ବିଜେପି ନେତା ଯୋଜନାବନ୍ଧ ଭାବେ ଆକ୍ରମଣ କରିଥିଲେ ବୋଲି କହିଥିଲେ। କିନ୍ତୁ ପ୍ରଶ୍ନ ଉଠୁଛି ପୂର୍ବରୁ ଅନେକ ପ୍ରସଙ୍ଗରେ ସ୍ଥାନୀୟ ପ୍ରଶାସନିକ ଅଧିକାରୀ, ବିଜେପି ନେତାଙ୍କୁ ଗାଳି ଗୁଲଜ କରିବା, ମାରପିଟ କରିବା ଆଦି ଘଟଣାରେ ବିବାଦୀୟ ହୋଇପଡିଥିବା ଏହି ନେତା କାରରେ କାହିଁକି ଆଉ ଗୋଟିଏ କାରର ଗାଡି ନମ୍ବର ରଖିଥିଲେ?

ଚଳିତ ବର୍ଷ ମାର୍ଚ୍ଚ ୧୨ରେ ବ୍ଲକ ଚେୟାରମ୍ୟାନ ନିର୍ବାଚନ ରହିଥିଲା। ଖୋର୍ଦ୍ଧା ବାଣପୁର ଅଂଚଳକୁ ଯାଇଥିଲେ ପ୍ରଶାନ୍ତ ଜଗଦ୍ଦେବ। ଏହି ସମୟରେ ସ୍ଥାନୀୟ ବିଜେପି ନେତା ଏବଂ କର୍ମୀ ତାଙ୍କୁ ଘେରିଯାଇଥିଲେ। ପରେ ଭାଇରାଲ ହୋଇଥିବା ଭିଜୁଆଲ ଅନୁଯାୟୀ ଜଗଦ୍ଦେବ ନିଜେ କାର ଡ୍ରାଇଭିଂ ସିଟରେ ବସିଥିଲେ। ଆଉ ବିଜେପି ନେତା ତାଙ୍କୁ ଆକ୍ରମଣ କରିବା ଆରମ୍ଭ କରିବାରୁ ସେ କାରଟିକୁ ଲୋକଙ୍କ ଉପରେ ଚଢାଇ ଦେଇଥିଲେ। ପରେ କାରଟି ଓଲଟି ଯାଇ ଦୁର୍ଘଟଣାର ଶିକାର ହୋଇଥିଲା। ଏହି ଘଟଣାରେ କିନ୍ତୁ କୌଣସି ବ୍ୟକ୍ତି ମୃତାହତ ହୋଇନାହାନ୍ତି।

ସେତେବେଳେ ଏହି ଘଟଣା ସାରା ରାଜ୍ୟରେ ଚାଞ୍ଚଲ୍ୟ ସୃଷ୍ଟି କରିଥିଲା। ୟୁପି ଲେଖିମପୁର ଖେରୀରେ କେନ୍ଦ୍ରମନ୍ତ୍ରୀ ଅଜୟ ମିଶ୍ରାଙ୍କ ପୁଅ ଆଶିଷ ମିଶ୍ରା ସମାନ ଶୈଳୀରେ ଚାଷୀଙ୍କ ଉପରେ କାର ମଡାଇ ଚର୍ଚ୍ଚାକୁ ଆସିଥିଲେ। ପରେ ଜଗଦ୍ଦେବ ସମାନ ଲିଷ୍ଟରେ ସାମିଲ ହୋଇଥିଲେ। ବିଜେଡି ସଙ୍ଗେସଙ୍ଗେ ଏପରି କାରନାମାକୁ ନିନ୍ଦା କରିବା ସହିତ ପ୍ରଶାନ୍ତଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ। ପରେ ତାଙ୍କୁ ଦଳରୁ ବହିଷ୍କୃତ କରିଥିଲେ।

ଏବେ ବହିଷ୍କାର ନେଇ ଜଗଦ୍ଦେବ କହିଛନ୍ତି, ଦଳରେ ନିଲମ୍ବନ ଏବଂ ବହିଷ୍କାର ଏକ ପ୍ରକ୍ରିୟା। ସେ ଏବେ ବି ଦଳରେ ରହିଛନ୍ତି। ଆଗାମୀ ଦିନରେ ନବୀନ ତାଙ୍କୁ ଯେଉଁ ଆସନରୁ ଲଢିବାକୁ ଟିକେଟ୍ ଦେବେ ସେ ଲଢିବେ ବୋଲି କହିଛନ୍ତି।

Comments are closed.