Latest Odisha News

BREAKING NEWS

‘ଚୁପଚାପ୍‍’ ଚୋରିକୁ ନେଇ ଚର୍ଚ୍ଚାରେ ଲେଖିକା

ଭୁବନେଶ୍ୱର: ଓଡ଼ିଆ ସାହିତ୍ୟରେ ପୁଣି ଥରେ ଚର୍ଚ୍ଚାକୁ ଆସିଛି ଲେଖାଚୋରି ଭଳି ନିନ୍ଦନୀୟ ଘଟଣା । ଫେସବୁକରେ ଏଭଳି ଏକ ଘଟଣାକୁ ନେଇ ସରଗରମ ହୋଇଛି ସମଗ୍ର ରାଜ୍ୟର ଲେଖକୀୟ ବାତାରବଣ । ମତ-ପ୍ରତିମତର ଟଣାଓଟରା ଭିତରେ ଓଡ଼ିଆ ସାହିତ୍ୟର ଅନେକ ପ୍ରତିଷ୍ଠିତ ବହୁପ୍ରସୂ ଲେଖକଙ୍କ ରଚନାର ମୌଳିକତାକୁ ନେଇ ଏବେ ସୃଷ୍ଟି ହୋଇଛି ପ୍ରଶ୍ନବାଚୀ । ଜଣେ ଲେଖକ କୌଣସି ଫିଲ୍ମର କାହାଣୀ ଦ୍ୱାରା ପ୍ରଭାବିତ ହେବା ବଡ଼କଥା ନୁହେଁ; କିନ୍ତୁ ସେ କାହାଣୀକୁ ସାମାନ୍ୟ ଅଦଳବଦଳ କରି ତାକୁ ନିଜ ନାମରେ ଛପାଇ ବାହାବା ନେବା ନିଶ୍ଚିତ ଭାବେ ଦୋଷାବହ ।

ଏକ ମାସିକ ସାହିତ୍ୟ ପତ୍ରିକାର ମେ’ ୨୦୧୯ ସଂଖ୍ୟାରେ ପ୍ରକାଶିତ ମମତାମୟୀ ଚୌଧୁରୀଙ୍କ ‘ଚୁପଚାପ୍‍’ ଶୀର୍ଷକ ଗଳ୍ପକୁ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା । ଗପଟି ବିଲାଲ ହାସନଙ୍କ ନିର୍ଦେଶିତ ବହୁଚର୍ଚ୍ଚିତ ସର୍ଟଫିଲ୍ମ ‘ଚୁପଚାପ୍‍’ର ନକଲ ବୋଲି ଫେସବୁକ ୱାଲରେ ସୂଚନା ଦେଇ ଦୁଃଖ ପ୍ରକାଶ କରିଛନ୍ତି ଜଣାଶୁଣା ଅଭିନେତ୍ରୀ ଭାସ୍ୱତୀ ବସୁ । “ଭାବିନଥିଲି ଏମିତି। ଗପଟି ପଢି ଆଉ ଫିଲ୍ମଟି ଦେଖିସାରିଲା ପରେ ଦୁଃଖ ଲାଗିଲା। ଜଣେ ଓଡ଼ିଆ ହିସାବରେ ଅପମାନ ବି। ଆମେ କଣ ଏତେ ଗରିବ ଯେ ଅନ୍ୟଠାରୁ ମାଗିବାକୁ ପଡ଼ିବ?” ସେ ଲେଖିଛନ୍ତି ।

ଅନ୍ୟ ଏକ ପୋଷ୍ଟରେ ଚିତ୍ରକର-ଲେଖକ ସଂଜୟ ଭଟ୍ଟ ପ୍ରକାଶିତ ଗପର ଫଟୋକପି ସହ ସର୍ଟଫିଲ୍ମର ପୋଷ୍ଟର ଏବଂ ୟୁଟ୍ୟୁବ ଲିଙ୍କ୍‍ ପ୍ରଦାନ କରି ଶ୍ରୀ ଭଟ୍ଟ ଦୁଇଟା ଭିତରୁ ‘କେଉଁଟା ମୌଳିକ’ ବୋଲି ପ୍ରଶ୍ନ ଉଠାଇଛନ୍ତି । ଏହାକୁ ନେଇ କ୍ରମେ ବିବାଦ ଘନେଇବା ଆରମ୍ଭ କରିଛି । ବିଶିଷ୍ଟ ଅନୁବାଦକ ଓ ଗବେଷକ ଅସିତ ମହାନ୍ତି ଏ ସଂପର୍କରେ ମତ ଦେଇଛନ୍ତି, “ମୁଁ ବି ଆଗରୁ ‘ଚୁପଚାପ୍’ ଦେଖିଛି। ଚମତ୍କାର ସର୍ଟ ଫିଲ୍ମ। ଏ ଗପର ଅନେକ ଅଂଶ ସେଇଠୁ ଆସିଥିବା ସ୍ପଷ୍ଟ।”

ଲେଖିକା ମମତାମୟୀ ଏ ବାବଦରେ ନିଜ ଟାଇମଲାଇନରେ ସ୍ପଷ୍ଟୀକରଣ ଦେଇଛନ୍ତି ଯେ କେରଳରେ ଘଟିଥିବା ଗୋଟିଏ ସତ୍ୟଘଟଣା ଉପରେ ଆଧାରିତ ତାଙ୍କର ଏହି ଗଳ୍ପ, ଯାହା ସଂପର୍କରେ ସେ ସମ୍ବାଦପତ୍ରରେ ଏକ ଖବର ପଢ଼ିଥିଲେ । ଆଲୋଚିତ ‘ଚୁପଚାପ’ ସର୍ଟଫିଲ୍ମ ସେ ଦେଖିନାହାନ୍ତି କି ଏହି ଶୀର୍ଷକର କୌଣସି କାହାଣୀ ସେ ପଢ଼ିନାହାନ୍ତି । ଏହି କ୍ରମରେ ସେ ପାଠକମାନଙ୍କୁ ଅନୁରୋଧ ଜଣାଇଛନ୍ତି ଯେ ସତ୍ୟାସତ୍ୟ ନଜାଣି ଦୟାକରି ଏହି ଘଟଣାରେ ତାଙ୍କୁ ଅଯଥା ଘୋଷାରନ୍ତୁ ନାହିଁ ।

ଅନ୍ୟ ପକ୍ଷରେ ଗୁଗଲରେ ଉପଲବ୍ଧ ‘ଚୁପଚାପ’ ଫିଲ୍ମର ସ୍କ୍ରିନିଂ କାର୍ଯ୍ୟକ୍ରମର ଏକ ପୋଷ୍ଟରରୁ ଜଣା ପଡ଼ିଛି ଯେ ଏହା ୨୦୧୮ ମସିହାରେ ମୁକ୍ତିଲାଭ କରିଥିବା ଏକ ଫିଲ୍ମ । ଯେତେବେଳେ କି ମମତାମୟୀଙ୍କ ‘ଚୁପଚାପ’ ଗପ ମେ’ ୨୦୧୯ରେ ପ୍ରକାଶିତ । ଅର୍ଥାତ ଗପ ଲେଖା ହେବାର ବହୁ ଆଗରୁ ଫିଲ୍ମଟି ନିର୍ମିତ ହୋଇସାରିଛି । କେବଳ ସେତିକି ନୁହେଁ ଫିଲ୍ମଟି ୨୦୧୯ ମସିହାର ଫିଲ୍ମଫେୟାର ପୁରସ୍କାର ପାଇଁ ନାମାଙ୍କିତ ହେବା ସହ ସୋସ୍ୟଲ ମିଡ଼ିଆରେ ଚର୍ଚ୍ଚିତ ମଧ୍ୟ ହୋଇଛି ।

ଘଟଣାକ୍ରମରେ ମମତାମୟୀଙ୍କ ଲେଖକ-ସ୍ୱାମୀ ଅନୀଲ କୁମାର ପାଢ଼ୀ ଲେଖିକାଙ୍କ ସପକ୍ଷରେ ଫେସବୁକରେ ଯୁକ୍ତି ବାଢ଼ିଛନ୍ତି । ଯାହା ଘଟଣାକୁ ଏକ ନୂଆ ଅଥଚ ଅଜବ ମୋଡ଼ ଦେଇଛି । ସେ କହିବାକୁ ଚାହିଛନ୍ତି ଯେ ଲେଖିକା ତାଙ୍କ ପିତାଙ୍କ ଦେହାନ୍ତ ପରେ ମାନସିକ ଅବସାଦଗ୍ରସ୍ତ ହୋଇ ଚିକିତ୍ସିତ ହେଉଥିବାବେଳେ ଏ ଗଳ୍ପ ଲେଖିଛନ୍ତି । ସେତେବେଳେ ମମତା ହୁଏତ ୟୁଟ୍ୟୁବର ପ୍ରଭାବରେ ଆସିଥାଇ ପାରନ୍ତି, ଯାହା ତାଙ୍କର ମନେନାହିଁ । ଯଦି ଅଜାଣତରେ ସେ ଏପରି କରିଥାନ୍ତି, ପାଠକମାନେ ଏଥିପାଇଁ ତାଙ୍କୁ ଟ୍ରୋଲ୍‍ କରିବା ଉଚିତନୁହେଁ ।

ତାଙ୍କର ଏହି ପୋଷ୍ଟଟିକୁ ସେ ପରବର୍ତ୍ତୀ ସମୟରେ ଡିଲିଟ୍‍ କରିଥିଲେ ମଧ୍ୟ ତାର ସ୍କ୍ରିନସର୍ଟ ଫେସବୁକରେ ଘୂରିବୁଲୁଛି । ପୁଣି ଅନ୍ୟ ଏକ ପୋଷ୍ଟରେ ନିଜର ମତ ଦେଇ ଶ୍ରୀ ପାଢ଼ୀ ଲେଖିିଛନ୍ତି ଯେ କୌଣସି କାହାଣୀର ପୁନର୍କଥନ ଦୋଷାବହ ନୁହେଁ । ସେ ଲୋକଙ୍କର ଏଭଳି ପ୍ରତିକ୍ରିୟାରେ ବିସ୍ମିତ ହେଉଛନ୍ତି ।

ଫେସବୁକ ଟ୍ୟାଗରୁ ସୂଚନା ପାଇ ବିଳମ୍ବିତ ରାତିରେ ଏ ସଂପର୍କରେ ମୁହଁ ଖୋଲିଛନ୍ତି ସର୍ଟଫିଲ୍ମର ନିର୍ଦେଶକ ବିଲାଲ ହାସନ । ମମତାମୟୀଙ୍କ ପୋଷ୍ଟରେ ମତ ଦେଇ ସେ କେଉଁଠୁ ‘ଚୁପଚାପ୍‍’ କାହାଣୀର ‘ଖବର’ ପଢ଼ିଥିଲେ, ତାର ଉତ୍ସ ସଂପର୍କରେ ଜଣାଇବାକୁ ଦାବି କରିଛନ୍ତି ।

ଏଥିସହିତ ସେ ସୂଚନା ଦେଇଛନ୍ତି ଯେ ସେ ନିଜେ ଏହି ଫିଲ୍ମର କାହାଣୀକାର ଓ ନିର୍ଦେଶକ । କାହାଣୀଟି ୨୦୧୮ରେ ‘ଫିଲ୍ମ ରାଇଟର୍ସ ଆସୋସିଏସନ୍‍’ରେ ପଂଜୀକୃତ ହୋଇଛି । ଯଦି ମମତା କାହାଣୀର ଉତ୍ସ ସଂପର୍କରେ ସଠିକ୍‍ ପ୍ରମାଣ ନଦିଅନ୍ତି, ସେ କପିରାଇଟ୍‍ ଆକ୍ଟରେ ତାଙ୍କ ନାମରେ ଅଭିଯୋଗ ଆଣିବେ ।

ସମାନ୍ତରାଳ ଭାବେ ବିଲାଲ ହାସନ ତାଙ୍କ ନିଜ ଟାଇମଲାଇନ୍ ରେ ପୋଷ୍ଟ କରିଛନ୍ତି ଯେ ‘ଚୁପଚାପ’ ଫିଲ୍ମର କାହାଣୀ ସହ ମିଶୁଥିବା ଏକ ଗପ ଭୁବନେଶ୍ୱରର ଜଣେ ଜଣାଶୁଣା ଲେଖିକା ଏକ ପତ୍ରିକାର ମେ ୨୦୧୯ ସଂଖ୍ୟାରେ ଲେଖିଛନ୍ତି । ସେ କିନ୍ତୁ ଫିଲ୍ମର କାହାଣୀଟି ୨୦୧୭ ମସିହାରେ ଲେଖିଥିଲେ ଓ ପରେ ‘ଫିଲ୍ମ ରାଇଟର୍ସ ଆସୋସିଏସନ୍‍’ରେ ପଂଜିକରଣ ମଧ୍ୟ କରିଥିଲେ। ଭୁବନେଶ୍ୱରର କେତେଜଣ ବନ୍ଧୁ ତାଙ୍କ ଫିଲ୍ମର କାହାଣୀ ସହ ଗଳ୍ପଟି ପୂରା ମିଶୁଛି ବୋଲି ମେସେଜ୍‍ ଦେଇଛନ୍ତି । ସେ ଓଡ଼ିଆ ପଢ଼ି ଜାଣିନଥିବାରୁ ଘଟଣାର ସତ୍ୟାସତ୍ୟ ଜାଣିପାରୁ ନାହାନ୍ତି । ତେବେ ତାଙ୍କ ଫିଲ୍ମର କାହାଣୀ ଚୋରିକରି କେହି ଗପ ଲେଖିଦେଲେ ତାଙ୍କର କିଛି ଯାଏଆସେ ନାହିଁ । ବରଂ ଚୋରି କରିଥିବା ଲେଖକ ଜାଣିବା ଦରକାର ଯେ ‘ଚୋରି କରନା ପାପ୍‍ ହୈ, ନଦୀ କିନାରେ ସାଂପ୍‍ ହୈ’ । ଆଉ ସେଇ ସାପ ଯୋଉଦିନ ଦଂଶିଦବ, ଅସୁବିଧା ହେଇଯିବ ବୋଲି ସେ ପରିହାସ କରିଛନ୍ତି।

ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାରପ୍ରାପ୍ତ ଜଣେ ଲେଖିକାଙ୍କ ଏହି ଘଟଣା କେବଳ ଓଡ଼ିଶା ଭିତରେ ନୁହେଁ, ସୋସିଆଲ୍‍ ମିଡ଼ିଆ ମାଧ୍ୟମରେ ରାଜ୍ୟ ବାହାରେ ମଧ୍ୟ ସମଗ୍ର ଓଡ଼ିଆ ଲେଖକ ଜାତିଙ୍କୁ ଅପଦସ୍ଥ କରିଛି ବୋଲି ଦୁଃଖ ପ୍ରକାଶ କରିଛନ୍ତି ଅନେକ ଲେଖକ ଓ ସାହିତ୍ୟପ୍ରେମୀ ।

Leave A Reply

Your email address will not be published.