ନୂଆଦିଲ୍ଲୀ: ଜନ୍ତର-ମନ୍ତରରେ ବାରଣ ସତ୍ତ୍ୱେ ଜୋରଜବରଦସ୍ତି ପ୍ରବେଶ କରିବା ଏବଂ ପୋଲିସ ବ୍ୟାରିକେଡ୍ ଡେଇଁ ବିକ୍ଷୋଭ ପ୍ରଦର୍ଶନ କରିବା ଅଭିଯୋଗରେ କକ୍ରୋଚ୍ ଜନତା ପାର୍ଟି (CJP) ର ତିନି ପ୍ରମୁଖ ନେତାଙ୍କୁ ଦିଲ୍ଲୀ ପୋଲିସ ଗିରଫ କରି ୫ ଦିନିଆ ନ୍ୟାୟିକ ହେଫାଜତକୁ ପଠାଇଛି। ଗିରଫ ନେତାମାନେ ହେଲେ ସୌରବ ଦାସ, ଆଶୁତୋଷ ରାଙ୍କା ଓ ଆଜିଙ୍କ୍ୟ ସିନ୍ଦେ।
ବିନା ଅନୁମତିରେ ଜନ୍ତରମନ୍ତରରେ ପ୍ରବେଶ ଅଭିଯୋଗରେ ଦିଲ୍ଲୀ ପୋଲିସ ୩ ନେତାଙ୍କୁ ଗିରଫ କରିଛି। କଡ଼ା ପୋଲିସ ସୁରକ୍ଷା ଓ ବ୍ୟାରିକେଡ୍ ସତ୍ତ୍ୱେ ଜନ୍ତରମନ୍ତରରେ ପ୍ରବେଶ କରି ପ୍ରତିବାଦ କରିଛନ୍ତି କକ୍ରୋଚ୍ ଜନତା ପାର୍ଟି ବା CJPର ନେତା ଓ କର୍ମୀ । ମୁଖ୍ୟ ନିର୍ବାଚନ କମିଶନର (CEC) ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବିରେ ଏହି ନେତାମାନେ ବ୍ୟାରିକେଡ୍ ଓ ଗେଟ୍ ଡେଇଁ ଜନ୍ତର-ମନ୍ତରରେ ପ୍ରବେଶ କରିଥିଲେ। ସୂଚନାଯୋଗ୍ୟ ଯେ, ପ୍ରଶାସନ ପକ୍ଷରୁ ନିକଟରେ ଜନ୍ତର-ମନ୍ତରକୁ ପ୍ରତିବାଦ ସ୍ଥଳ ତାଲିକାରୁ ବାଦ୍ (Denotified) କରାଯାଇଥିଲା ଏବଂ ସେଠାରେ ଏକତ୍ରିତ ହେବାକୁ ବାରଣ କରାଯାଇଥିଲା।
ଏହି ନେତାମାନଙ୍କ ବିରୋଧରେ ବେଆଇନ ପ୍ରବେଶ (Trespassing), ପୂର୍ବରୁ ସ୍ଵାକ୍ଷରିତ ଶାନ୍ତି ବଣ୍ଡ୍ ଉଲ୍ଲଂଘନ (Bond Violation) ଏବଂ ସରକାରୀ କାର୍ଯ୍ୟରେ ବାଧା ସୃଷ୍ଟି କରିବା ଭଳି ସଙ୍ଗୀନ ମାମଲା ରୁଜୁ କରାଯାଇଛି। ବୁଧବାର ସକାଳେ ଏହି ତିନି ନେତାଙ୍କୁ ଦିଲ୍ଲୀର ମନ୍ଦିର ମାର୍ଗ ସ୍ଥିତ ମାଜିଷ୍ଟ୍ରେଟ୍ କୋର୍ଟରେ ହାଜର କରାଯିବା ପରେ ସେମାନଙ୍କୁ ୫ ଦିନିଆ ଜେଲ୍ (Judicial Custody) ଦଣ୍ଡାଦେଶ ଶୁଣାଯାଇଛି। ଏହି ଗିରଫଦାରୀକୁ ନେଇ CJP ପ୍ରତିଷ୍ଠାତା ଅଭିଜିତ ଦୀପକେ ଏବଂ ଅନ୍ୟ ସମର୍ଥକମାନେ ତୀବ୍ର ଅସନ୍ତୋଷ ପ୍ରକାଶ କରିବା ସହ ଏହାକୁ ଅଗଣତାନ୍ତ୍ରିକ ବୋଲି ଅଭିହିତ କରିଛନ୍ତି।

