ରାୟଗଡା: ପୁଣି ଆବାସିକ ବିଦ୍ୟାଳୟରେ ରାଗିଂ ହୋଇଥିବା ଅଭିଯୋଗ। ରାୟଗଡା ଜିଲ୍ଲା ପେଣ୍ଟା ଉଚ୍ଚ ବିଦ୍ୟାଳୟର ଏକ ଆବାସିକ ବିଦ୍ୟାଳୟର ହଷ୍ଟେଲରେ ରାଗିଂ, ଆକ୍ରମଣ ଏବଂ ଛାତ୍ର ନିର୍ଯାତନାର ଅଭିଯୋଗ ଆସିଛି। କନିଷ୍ଠ ଛାତ୍ରଙ୍କୁ ବରିଷ୍ଠ ଛାତ୍ରଙ୍କ ନିର୍ଯାତନା ଅଭିଯୋଗକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି । ଏହାରି ଭିତରେ ସାମ୍ନାକୁ ଆସିଛି ଏକ ଭାଇରଲ ଭିଡିଓ।
ଭାଇରଲ ଭିଡିଓରେ କନିଷ୍ଠ ଛାତ୍ରଙ୍କୁ ବରିଷ୍ଠ ଛାତ୍ରମାନେ ମାଡ଼ ମାରୁଥିବା ଅଭିଯୋଗ ହୋଇଛି। ସୂଚନା ଅନୁଯାୟୀ, ଜଣେ ଷଷ୍ଠ ଶ୍ରେଣୀ ଛାତ୍ରଙ୍କୁ ବରିଷ୍ଠ ଛାତ୍ରମାନେ ରାଗିଂ ଏବଂ ଶାରୀରିକ ନିର୍ଯାତନା ଦେଇଥିବା ଅଭିଯୋଗ ହୋଇଛି। ଏପରିକି ଛାତ୍ରଙ୍କୁ ଲୁଗା ସଫା କରିବାକୁ ବାଧ୍ୟ କରିବା ସହ ଅଶ୍ଳୀଳ ଆଚରଣ କରାଯାଉଥିବା ନେଇ ମଧ୍ୟ ଅଭିଯୋଗ ଉଠିଛି। ନିଜ ସହ ଘଟିଥିବା ଏହି ନିର୍ଯାତନା ସମ୍ପର୍କରେ ଭାଇରଲ ଭିଡିଓ ମାଧ୍ୟମରେ କନିଷ୍ଠ ଛାତ୍ର ଅଭିଯୋଗ ଆଣିଛନ୍ତି।
ତେବେ ଆବାସିକ ବିଦ୍ୟାଳୟ ଭଳି ସ୍ଥାନରେ ଛାତ୍ରଛାତ୍ରୀଙ୍କ ସୁରକ୍ଷା ନେଇ ଏଭଳି ଅଭିଯୋଗ ଉଠିବା ପରେ ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ଭୂମିକାକୁ ନେଇ ମଧ୍ୟ ପ୍ରଶ୍ନ ଉଠିଛି। ସ୍ଥାନୀୟ ବାସିନ୍ଦା ଅଭିଯୋଗ କରିଛନ୍ତି ଯେ ସ୍କୁଲ କର୍ତ୍ତୃପକ୍ଷ ମାମଲାକୁ ଚପାଇବାକୁ ଚେଷ୍ଟା କରିଥିଲେ। ସେମାନେ ପୀଡିତାଙ୍କ ପରିବାରକୁ ଅଭିଯୋଗ କରାଯାଇଥିବା ନିର୍ଯାତନା ବିଷୟରେ ଜଣାଇଥିଲେ। ତେବେ ଏହି ଘଟଣାର ପ୍ରକୃତ ସତ୍ୟ କଣ? କନିଷ୍ଠ ଛାତ୍ରଙ୍କ ଅଭିଯୋଗ ଉପରେ କର୍ତ୍ତୃପକ୍ଷ କି ପଦକ୍ଷେପ ନେଇଛନ୍ତି? ଘଟଣାର ତଦନ୍ତ ପରେ ହିଁ ସମ୍ପୂର୍ଣ୍ଣ ତଥ୍ୟ ସାମ୍ନାକୁ ଆସିବ।

