ବାରିପଦା: ମୟୂରଭଞ୍ଜ ଜିଲ୍ଲା ଖୁଣ୍ଟା ଅଞ୍ଚଳ ଅନ୍ତର୍ଗତ ବାସିପିଠାର ଏସଏସଡି ହାଇସ୍କୁଲରେ ଏକ ରାଗିଂ ଘଟଣା ସାମ୍ନାକୁ ଆସିଛି। ଯାହା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି।
ସେହି ବିଦ୍ୟାଳୟରେ ସିନିୟର ମାନଙ୍କ ନିର୍ଯାତନାରେ ଜଣେ ଷଷ୍ଠ ଶ୍ରେଣୀ ଛାତ୍ର ଗୁରୁତର ଆହତ ହୋଇଥିବା ଜଣାପଡିଛି। ଖବର ପାଇବା ପରେ ପିଡୀତ ଛାତ୍ରଙ୍କ ବାପା ଖୁଣ୍ଟା ଥାନାରେ ଅଭିଯୋଗ କରିଛନ୍ତି। ପୋଲିସ ଏହି ଘଟଣାରେ ତଦନ୍ତ ଆରମ୍ଭ କରିଛି।
ସୂଚନା ଅନୁଯାୟୀ, ସ୍କୁଲ ହଷ୍ଟେଲରେ ସିନିୟରମାନେ ମଦ୍ୟପାନ କରୁଥିବା ଜାଣିପାରି ପିଡୀତ ଛାତ୍ର ଜଣକ ପ୍ରଧାନ ଶିକ୍ଷକଙ୍କୁ ଅଭିଯୋଗ କରିବା ପରେ ଏପରି ଘଟଣା ଘଟିଥିବା ଜଣାପଡିଛି।
ଯାହା ପରେ କିଛି ନବମ ଶ୍ରେଣୀର ଛାତ୍ର ସେହି ଜୁନିୟର ଛାତ୍ରକୁ ଏକ କୋଠରୀରେ ବନ୍ଦ କରି ଶାରୀରିକ ନିର୍ଯାତନା ଦେବାସହ ତାଙ୍କୁ ଲୁହା ରଡ୍ ରେ ପିଟିଥିଲେ। ଏପରିକି ବ୍ଲେଡ୍ ରେ ତାଙ୍କ ହାତ କାଟି କ୍ଷତ ହୋଇଥିବା ସ୍ଥାନରେ ଲୁଣ ମଧ୍ୟ ପକାଇଥିଲେ। ଏହା ବିଷୟରେ କାହାକୁ ଜଣାଇଲେ ତାଙ୍କୁ ହତ୍ୟା କରିବାର ମଧ୍ୟ ଧମକ ଦିଆଯାଇଥିଲା।
ଏହାପରେ ସେ ଭୟଭୀତ ହୋଇ ସ୍କୁଲ ଯିବାକୁ ମନା କରିଦେଇଥିଲେ। ଯାହାଫଳରେ ତାଙ୍କ ବାପା ତାଙ୍କୁ ପଚାରିବା ପରେ ସମଗ୍ର ଘଟଣା ସାମ୍ନାକୁ ଆସିଥିଲା। ତେବେ ଏହି ଘଟଣାଟି ଗତ ଫେବୃଆରୀରୁ ଘଟିଥିବା ବେଳେ ସ୍କୁଲ କର୍ତ୍ତୃପକ୍ଷ ଏହି ଘଟଣାକୁ ଦବାଇ ଦେଇଥିବା ଅଭିଯୋଗ ହୋଇଛି।
Comments are closed.