Latest Odisha News

ଡରାଇଲାଣି ଆଣ୍ଟାର୍କଟିକା: ତରଳୁଛି ଗ୍ଲାସିୟର, ପାଲଟିଲାଣି ସବୁଜିମା

ନୂଆଦିଲ୍ଲୀ: ଧିରେ ଧିରେ ପରିବର୍ତ୍ତନ ଚକ୍ରରେ ବଦଳି ଚାଲିଛି ପୃଥିବୀ । ଜଳବାୟୁ ପରିବର୍ତ୍ତନର କୁପ୍ରଭାବରେ ପ୍ରଭାବିତ ହୋଇ ଏବେ ପ୍ରକୃତି ବିଭିନ୍ନ ସ୍ଥାନରେ ତାର କରାଳ ରୂପ ଦେଖାଉଛି । କାହିଁ କେତେ କାଳରୁ ବରଫରେ ଆଚ୍ଛାଦିତ ହୋଇ ପଡିରହିଥିବା ଆଣ୍ଟାର୍କଟିକା ବି ଏଥିରେ ପ୍ରଭାବିତ ହେବାକୁ ଲାଗିଛି । ବରଫାବୃତ୍ତ ଆଣ୍ଟାର୍କଟିକାର କିଛି ଅଂଶ ଏବେ ତରଳିବାକୁ ଆରମ୍ଭ କରିଛି । ଖାଲି ତରଳି ନାହିଁ ଆଶ୍ଚର୍ଯ୍ୟର କଥା ହେଉଛି ଏହା ଧିରେ ଧିରେ ସବୁଜିମା ଦେଖାଯିବାକୁ ଆରମ୍ଭ କଲାଣି । ତେବେ ଏହି ସବୁଜିମା ଦେଖାଯାଇଥିବା ଅଞ୍ଚଳଗୁଡିକରେ ବିଶେଷ କରି ଶୈବାଳ ଜାତୀୟ ଉଦ୍ଭିଦର ହାର ବୃଦ୍ଧି ପାଇବାରେ ଲାଗିଛି ।

ଯାହାକୁ ନେଇ ଆଣ୍ଟାର୍କଟିକା ଉପଦ୍ୱୀପରେ ଗଛଲତା ବୃଦ୍ଧି ସ୍ତରକୁ ବିଶ୍ଳେଷଣ କରିବା ଲାଗି ବୈଜ୍ଞାନିକମାନେ ଉପଗ୍ରହର ଫଟୋ ଓ ତଥ୍ୟକୁ ବ୍ୟବହାର କରି ଏହା ଉପରେ ଅଧ୍ୟୟନ ଆରମ୍ଭ କରିଥିଲେ । ଏହା ଅଧ୍ୟୟନ କହୁଛି, ଯେ ବିଗତ ୪ ଦଶନ୍ଧି ମଧ୍ୟରେ ଏଠାରେ ଶୈବାଳ ଜାତୀୟ ଉଦ୍ଭିଦ ୧୦ ଗୁଣରୁ ଅଧିକ ବଢ଼ିଛନ୍ତି । ତେବେ ଇଂଲଣ୍ଡର ଏକ୍ସଟେର ଓ  ହାର୍ଟଫୋର୍ଡସାୟାର ବିଶ୍ୱବିଦ୍ୟାଳୟର  ବୈଜ୍ଞାନିକ ଓ ବ୍ରିଟିଶ୍‌ ଆଣ୍ଟର୍କଟିକ୍‌ ସର୍ଭେ ପକ୍ଷରୁ ଏହି ସର୍ଭେ କରାଯାଇଥିବା ବେଳେ ଏହା ଶୁକ୍ରବାର ପ୍ରକାଶ ପାଇଥିବା ଜର୍ଣ୍ଣାଲ ନେଚର୍‌ ଜିଓସାଇନ୍ସରେ ବିସ୍ତୃତ ଭାବେ ବର୍ଣ୍ଣନା କରାଯାଇଛି । ଯାହା ଏବେ ସାରା ବିଶ୍ବର ଦୃଷ୍ଟି ଆକର୍ଷଣ କରିଛି ।

ତେବେ ଅଧ୍ୟୟନ କହୁଛି, ୧୯୮୬ରେ  ଆଣ୍ଟାର୍କଟିକା ଉପଦ୍ୱୀପରେ ୦.୪ ବର୍ଗ  ମାଇଲ୍‌ରୁ କମ୍‌ କ୍ଷେତ୍ରରେ ଗଛଲତା  ଥିଲା । କିନ୍ତୁ ୨୦୨୧ରେ ଏହା ପ୍ରାୟ ୫  ବର୍ଗ ମାଇଲ୍‌ ଯାଏ ପହଞ୍ଚିଯାଇଛି । ଗତ ୪  ଦଶନ୍ଧି ମଧ୍ୟରେ ଏହି ଅଞ୍ଚଳରେ ସବୁଜିମାର କ୍ଷେତ୍ର ବୃଦ୍ଧି ପାଇବାରେ ଲାଗିଛି । କେବଳ ୨୦୧୬ରୁ ୨୦୨୧, ୫ ବର୍ଷ ମଧ୍ୟରେ ୩୦ ପ୍ରତିଶତରୁ ଅଧିକ ବୃଦ୍ଧି ହୋଇଛି ।  ଏହାକୁ ନେଇ ଅଧ୍ୟନ କରୁଥିବା ଏକ୍ସଟେର ବିଶ୍ୱବିଦ୍ୟାଳୟରେ ପରିବେଶ ବୈଜ୍ଞାନିକ ଥୋମାସ୍‌ ରୋଲାଣ୍ଡ କହିଛନ୍ତି,  ଆଣ୍ଟାର୍କଟିକା ଏବେ ମଧ୍ୟ ପୂରା ବରଫ ଓ ପଥର ଦ୍ୱାରା ଆବୃତ୍ତ । କିନ୍ତୁ ଏହି ଛୋଟିଆ ସବୁଜ ଅଞ୍ଚଳ ନାଟକୀୟ ଭାବେ ୧୯୮୦ର  ମଧ୍ୟଭାଗରୁ ଧିରେ ଧିରେ ବଢ଼ିବାରେ ଲାଗିଛି । ଯାହା ଦେଖିଲା ପରେ ଏହା ସ୍ପଷ୍ଟ ହୋଇଛି ଯେ, ବର୍ତ୍ତମାନ ମନୁଷ୍ୟକୃତ ଜଳବାୟୁ ପରିବର୍ତ୍ତନର ପ୍ରଭାବର କୌଣସି ସୀମା ନାହିଁ । ଯାହା ଆଣ୍ଟାର୍କଟିକା ଉପଦ୍ୱୀପର ଏହି ଦୁର୍ଗମ ଅଞ୍ଚଳରେ ମଧ୍ୟ ଦୃଶ୍ୟପଟ୍ଟକୁ ବଦଳାଇଦେଇଛି । ତେବେ ମହାକାଶରୁ ଏହାର ପ୍ରଭାବ ଯେ କେତେ ବିସ୍ତାର ହୋଇଛି ତାହା ସ୍ପଷ୍ଟ ଭାବେ ଜଣାପଡୁଛି ।

ତେବେ ଜଳବାୟୁ ପରିବର୍ତ୍ତନର ଧାରାରେ ପୃଥିବୀର ସବୁଠୁ ଥଣ୍ଡା ସ୍ଥାନ ଆଣ୍ଟାର୍କଟିକା ଏବେ ଅତ୍ୟଧିକ ଗରମ ଯୋଗୁଁ ଏଭଳି ସ୍ଥିତିରେ ପହଞ୍ଚିଛି । ପୂର୍ବରୁ ଆଣ୍ଟର୍କଟିକା ତରଳିବା ସାରା ବିଶ୍ବର ମୁଣ୍ଡ ବିନ୍ଧାର କାରଣ ହୋଇଥିବା ବେଳେ ଏବେ ଏଠି ପ୍ରବାଳଙ୍କ ସଂଖ୍ୟା ବୃଦ୍ଧି ପାଇବା ମଧ୍ୟ ବିପଦ ଘନାଉଥିବାର ସଙ୍କେତ ଦେଉଛି । କାରଣ ସବୁଜିମା ଯେତେ ବଢିବ, ସେତେ ମାଟି ସୃଷ୍ଟି ହୋଇ ଚାଲିବ । ଯାହା ବିଦେଶୀ ପ୍ରଜାତି ପାଇଁ ଅନୁକୂଳ ପରିବେଶ ସୃଷ୍ଟି କରିବ । ଫଳରେ ଦେଶୀ ଜୀବଜନ୍ତୁଙ୍କ ପାଇଁ ଏହା ବିପଦ ସୃଷ୍ଟି କରିବ । ବୀଜ, ବୀଜାଣୁ ଓ ଗଛର ଅଂଶ ସହଜରେ ପର୍ଯ୍ୟଟକ ଓ ଗବେଷକମାନଙ୍କର ଜୋତା କିମ୍ବା ଉପକରଣ ମାଧ୍ୟମରେ କିମ୍ବା ପ୍ରବାସୀ ପକ୍ଷୀ ଓ ବାୟୁ ସହ ଜଡ଼ିତ ବିଭିନ୍ନ ପାରମ୍ପରିକ ମାର୍ଗ ଦ୍ୱାରା ଆଣ୍ଟାର୍କଟିକା ଯାଏଁ ନିଜର ରାସ୍ତା ଖୋଜିନେବେ । ଯାହା ବିପଦର କେନ୍ଦ୍ର ବିନ୍ଦୁ ପାଲଟିବ ବୋଲି ବେଜ୍ଞାନିକ ମାନେ କହିଛନ୍ତି ।  ଏଥିସହିତ ସମୟ ସହିତ ଏହି ସବୁଜିମା ପରିସର ବୃଦ୍ଧି ଉପଦ୍ୱୀପର ସୌର ବିକିରଣକୁ ପୁଣି ଅନ୍ତରୀକ୍ଷକୁ ପ୍ରତିବିମ୍ବିତ କରିବା ପ୍ରକ୍ରିୟାକୁ ମଧ୍ୟ ବାଧା ଦେବ । ଉପଦ୍ବୀପର ସୌର ବିକିରଣକୁ ପ୍ରତିବିମ୍ବିତ କରିବାର କ୍ଷମତାକୁ ମଧ୍ୟ ହ୍ରାସ କରିବ । କାରଣ ଗାଢ଼ ରଙ୍ଗର ପୃଷ୍ଠ ଅଧିକ ଉତ୍ତାପକୁ ଅବଶୋଷଣ କରିଥାଏ । ଯାହା  ବାସ୍ତବରେ ଚିନ୍ତାଜନକ ।

ତେବେ କହିରଖୁଛୁ, ଚଳିତବର୍ଷ ଗ୍ରୀଷ୍ମଦିନରେ ମନୁଷ୍ୟକୃତ ଜଳବାୟୁ ପରିବର୍ତ୍ତନର ପ୍ରଭାବରେ ଆଣ୍ଟାର୍କଟିକା ମହାଦେଶର କିଛି ଅଂଶରେ ଗ୍ରୀଷ୍ମ ପ୍ରବାହ ରେକର୍ଡ ଭାଙ୍ଗିଥିଲା । ଜୁଲାଇ ମାସର ମଧ୍ୟଭାଗରେ ତାପମାତ୍ରା ସ୍ୱାଭାବିକ ଠାରୁ ୫୦ ଡିଗ୍ରୀ ଫାରେନ୍‌ହାଇଟ୍‌ ଉପରକୁ ଉଠିଥିଲା । ଖାଲି ସେତିକି ନୁହେଁ ଜୀବାଶ୍ମ ଇନ୍ଧନ ଜନିତ ପ୍ରଦୂଷଣ ସାରା ବିଶ୍ୱକୁ ଉତ୍ତପ୍ତ କରିଚାଲିଥିବାବେଳେ ଏବେ ଏହାର ପ୍ରଭାବରେ କାଳେ ଆଣ୍ଟାର୍କଟିକା ଆଗକୁ ଆହୁରି ଉତ୍ତପ୍ତ ହୋଇଚାଲିବ ବୋଲି କହିଛନ୍ତି ବୈଜ୍ଞାନିକ । ଯାହା ଦ୍ବାରା ଏହାର ସବୁଜିମା କ୍ଷେତ୍ର ମଧ୍ୟ ବୃଦ୍ଧି ପାଇବ ।

Comments are closed.