Latest Odisha News

BREAKING NEWS

‘ଏସୀୟ ପାରା ଗେମ୍ସ’ ପଦକ ବିଜେତା ଜୟନ୍ତୀ ବେହେରାଙ୍କୁ ୧୦ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଇଣ୍ଡୋନେସିଆର ଜାକର୍ତ୍ତାଠାରେ ଅନୁଷ୍ଠିତ ହୋଇଥିବା ଏସୀୟ ପାରା ଗେମ୍ସରେ ବ୍ରୋଞ୍ଜ ପଦକ ହାସଲ କରିଥିବା ଓଡ଼ିଆ ଝିଅ ଜୟନ୍ତୀ ବେହେରାଙ୍କ ଲାଗି ୧୦ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ମୁଖ୍ୟମନ୍ତ୍ରୀ ଟ୍ୱିଟ୍ଟ୍ କରି ଜୟନ୍ତୀଙ୍କୁ ଶୁଭେଚ୍ଛା ଜଣେଇବା ସହିତ ତାଙ୍କ ବାର୍ତ୍ତାରେ କହିଛନ୍ତି, ଜୟନ୍ତୀଙ୍କ ସଫଳତାରେ ଓଡ଼ିଶା ଆଜି ଗର୍ବିତ ।
ଇଣ୍ଡୋନେସିଆର ଜାକର୍ତ୍ତାଠାରେ ଅନୁଷ୍ଠିତ ହେଉଥିବା ଏସୀୟ ପାରା ଗେମ୍ସର ଦୌଡ଼ ପ୍ରତିଯୋଗିତାରେ ଓଡ଼ିଆ ଧାବିକା ଜୟନ୍ତୀ ୨୭.୪୫ ସେକେଣ୍ଡରେ ଅତିକ୍ରମ କରି ତୃତୀୟ ସ୍ଥାନ ହାସଲ କରିଥିଲେ । ଚୀନ ଧାବିକା ଲି ଲୁ ୨୫.୮୨ ସମୟ ନେଇ ୧ମ ଏବଂ ଅନ୍ୟ ଜଣେ ଚୀନ ଧାବିକା ୱାଙ୍ଗ ୱାପିଙ୍ଗ୍ ୨୬.୪୫ ସେକେଣ୍ଡ ନେଇ ୨ୟ ସ୍ଥାନ ହାସଲ କରିଥିଲେ ।

ଜାକର୍ତ୍ତାଠାରେ ଚାଲିଥିବା ଏହି ଏସୀୟ ପାରା ଗେମ୍ସରେ ଭାରତୀୟ ପାରା ଖେଳାଳିମାନେ ଏଯାଏଁ ୪ଟି ସ୍ୱର୍ଣ୍ଣ, ୬ଟି ରୌପ୍ୟ ଏବଂ ୧୦ଟି କାଂସ୍ୟ ପଦକ ହାସଲ କରିପାରିଛନ୍ତି ।

ଜୟନ୍ତୀଙ୍କୁ ଏକବର୍ଷ ହୋଇଥିବା ବେଳେ ତାଙ୍କ ବାମ ହାତ ଏବଂ ଅଣ୍ଟା ନିଆଁରେ ପୋଡ଼ି ହୋଇ ଯାଇଥିଲା । ସେ ମଧ୍ୟ ୨୦୧୭ ମସିହାରେ ଦୁବାଇରେ ଅନୁଷ୍ଠିତ ହୋଇଥିବା ଏସିଆନ ୟୁଥ ପାରା ଗେମ୍ସରେ ୧୦୦ ମିଟର ଦୌଡ଼ରେ ରୌପ୍ୟ ପଦକ ହାସଲ କରିଥିଲେ ।

ସୂଚନାଯୋଗ୍ୟ, ପୁରୀ ସାକ୍ଷୀଗୋପାଳ ଅଞ୍ଚଳର ବାସିନ୍ଦା ଜୟନ୍ତୀ ବେହେରା ମଧ୍ୟ ୨୦୧୭ ମସିହାରେ ସ୍ୱିଜରଲ୍ୟାଣ୍ଡର ନୋଟୱିଲରେ ଅନୁଷ୍ଠିତ ହୋଇଥିବା ବିଶ୍ୱ ଜୁନିୟର ପାରା ଆଥଲେଟିକ୍ସ ଚାମ୍ପିୟନସିପରେ ୪୦୦ ମିଟର ଦୌଡ଼ରେ ସ୍ୱର୍ଣ୍ଣ ପଦକ ହାସଲ କରିଥିଲେ ।

Leave A Reply

Your email address will not be published.