ଭୁବନେଶ୍ୱର: ବିଶ୍ୱ ହାତୀ ଦିବସ ଅବସରରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ହାତୀମାନଙ୍କୁ ସୁରକ୍ଷା ଦେବା, ସେମାନଙ୍କର ପ୍ରାକୃତିକ ବାସସ୍ଥାନ ସଂରକ୍ଷଣ ଏବଂ ମଣିଷ-ହାତୀ ସହାବସ୍ଥାନକୁ ସୁଦୃଢ଼ କରିବା ପାଇଁ ଏକାଠି ହେବାକୁ ଲୋକଙ୍କୁ ଆହ୍ୱାନ କରିଛନ୍ତି।
ସେ ଏନେଇ ସୋସିଆଲ ମିଡ଼ିଆରେ ପୋଷ୍ଟ ମଧ୍ଯ କରିଛନ୍ତି। ସେ ଉଲ୍ଲେଖ କରିଛନ୍ତି ଯେ, ହାତୀ ଆମ ପ୍ରାକୃତିକ ପରିବେଶ, ଜୈବ ବିବିଧତା ଏବଂ ଗୌରବମୟ ସଂସ୍କୃତିର ଅନନ୍ୟ ପ୍ରତୀକ। ମହାପ୍ରଭୁଙ୍କ ହାତୀ ବେଶଠାରୁ ଆରମ୍ଭ କରି ମନ୍ଦିର ଗାତ୍ରର ସ୍ଥାପତ୍ୟ ଏବଂ ଆମର ସମୃଦ୍ଧ ଇତିହାସ ପର୍ଯ୍ୟନ୍ତ, ଗଜରାଜ ସଦାସର୍ବଦା ଓଡ଼ିଶାର ସାଂସ୍କୃତିକ ପରିଚୟ ସହ ନିବିଡ଼ ଭାବେ ଜଡ଼ିତ। ବିଶ୍ୱ ହସ୍ତୀ ଦିବସ ଅବସରରେ ଆସନ୍ତୁ ହାତୀମାନଙ୍କ ସୁରକ୍ଷା, ସଂରକ୍ଷଣ ଏବଂ ସେମାନଙ୍କ ପ୍ରାକୃତିକ ବାସସ୍ଥଳୀର ସୁରକ୍ଷିତ ଭବିଷ୍ୟତ ପାଇଁ ସଙ୍କଳ୍ପବଦ୍ଧ ହେବା। ମାନବ-ହାତୀ ସହବସ୍ଥାନକୁ ଆହୁରି ସୁଦୃଢ଼ କରି ପ୍ରକୃତିର ଏହି ଗୌରବମୟ ସମ୍ପଦର ସୁରକ୍ଷା ପାଇଁ ସମସ୍ତେ ଆଗେଇ ଆସିବା।
ତେବେ ବାସସ୍ଥାନ କ୍ଷତି, ମଣିଷ-ବନ୍ୟପ୍ରାଣୀ ସଂଘର୍ଷ ଏବଂ ଅନ୍ୟାନ୍ୟ ଚ୍ୟାଲେଞ୍ଜର ସମ୍ମୁଖୀନ ହେଉଥିବା ହାତୀମାନଙ୍କୁ ସୁରକ୍ଷା ଦେବାର ଜରୁରୀ ଆବଶ୍ୟକତା ବିଷୟରେ ସଚେତନତା ସୃଷ୍ଟି କରିବା ପାଇଁ ପ୍ରତିବର୍ଷ ଅଗଷ୍ଟ ୧୨ ତାରିଖରେ ବିଶ୍ୱ ହାତୀ ଦିବସ ପାଳନ କରାଯାଏ।


Comments are closed.