Latest Odisha News

ଗୁରୁଦିବସରେ ଲଞ୍ଚ ହେଲା ଶିକ୍ଷାର୍ଥୀଙ୍କ ସ୍ୱାର୍ଥରେ ବିଭିନ୍ନ କାର୍ଯ୍ୟକ୍ରମ: ଜାଣନ୍ତୁ, କେଉଁ ପୋର୍ଟାଲ ରେ ମିଳିବ କି ସୁବିଧା…..

ଭୁବନେଶ୍ୱର: ଆଜି ଗୁରୁଦିବସ ଅବସରରେ ରାଜ୍ୟସ୍ତରୀୟ ଗୁରୁଦିବସ ଉତ୍ସବ ଏବଂ ବିଦ୍ୟାର୍ଥୀ ସମ୍ବର୍ଦ୍ଧନା ସମାରୋହ ଅନୁଷ୍ଠିତ ହୋଇଯାଇଛି। ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି, ଶିକ୍ଷକମାନେ ଭବିଷ୍ୟତ ସମାଜର ମାର୍ଗଦର୍ଶକ। ସେ କେବଳ ବିଦ୍ୟାର୍ଥୀ ମାନଙ୍କ ଭବିଷ୍ୟତ ଗଢନ୍ତି ନାହିଁ। ସେମାନେ ପୁରା ସମାଜର ଭବିଷ୍ୟତ ନିର୍ମାଣ କରନ୍ତି। ତେଣୁ ସେମାନେ କେବଳ ଉତ୍ତମ ଶିକ୍ଷାରେ ସନ୍ତୁଷ୍ଟ ନହୋଇ ପିଲାମାନେ କିପରି ଜୀବନର ମୂଲ୍ୟବୋଧ, ନୀତି ଓ ଆଦର୍ଶକୁ ଅନୁସରଣ କରିବେ ସେଥିପ୍ରତି ମଧ୍ୟ ଧ୍ୟାନ ଦେବା ଆବଶ୍ୟକ।

ଖାଲି ସେତିକି ନୁହେଁ , ପ୍ରାଥମିକ ଶିକ୍ଷାରେ କିପରି ଭାଷା ଓ ସଂସ୍କୃତିକୁ ମଧ୍ୟ ସ୍ଥାନ ଦିଆଯିବ ସେଥିପାଇଁ ବ୍ୟବସ୍ଥା ରହିଛି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ।
ଏଥିସହିତ ଏହି ରାଜ୍ୟସ୍ତରୀୟ ଗୁରୁଦିବସ ଉତ୍ସବ ଏବଂ ବିଦ୍ୟାର୍ଥୀ ସମ୍ବର୍ଦ୍ଧନା ସମାରୋହରେ ରାଜ୍ୟ ସରକାରଙ୍କ ପକ୍ଷରୁ ବହୁ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଛି।
ନିପୁଣ ଓଡ଼ିଶା’ : ପ୍ରାଥମିକ ବିଦ୍ୟାଳୟରେ ସାର୍ବଜନୀନ ମୌଳିକ ସାକ୍ଷରତା ଏବଂ ସଂଖ୍ୟାଜ୍ଞାନ ହାସଲ କରିବା ଉଦ୍ଦେଶ୍ୟରେ ଏହି କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି। ଯେଉଁଥିରେ ଶିକ୍ଷକମାନେ ମୌଳିକ ଭାଷା ଓ ସଂଖ୍ୟାଜ୍ଞାନ (FLN)ର ଅନୁମୋଦିତ କୌଶଳକୁ ବ୍ୟବହାର କରି ପିଲାମାନଙ୍କ ଶିକ୍ଷଣକୁ ସୁନିଶ୍ଚିତ କରିବେ ।
‘ଡିଜିଟାଲ ଏଜୁକେସନ ଏମ୍ପାୱାରମେଣ୍ଟ କାର୍ଯ୍ୟକ୍ରମ’ (ଡିପ୍) : ବିଦ୍ୟାର୍ଥୀଙ୍କୁ ଡିଜିଟାଲ ସାକ୍ଷରତା ଏବଂ କୋଡିଂ ଶିକ୍ଷା ଦେବା ପାଇଁ ଏହି ଆରମ୍ଭ କରାଯାଇଛି। ଏହାଦ୍ଵାରା ବିଦ୍ୟାର୍ଥୀମାନେ ଆଗାମୀ ଦିନରେ କମ୍ପ୍ୟୁଟର ଶିକ୍ଷା ଓ କୋଡିଂରେ ସଫଳତା ପାଇବେ।
ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟର ପୋର୍ଟାଲ (ଶିକ୍ଷା ଜ୍ୟୋତି): ଏହି ପୋର୍ଟାଲ ମାଧ୍ୟମରେ ଛାତ୍ରଛାତ୍ରୀ ରାଜ୍ୟରେ ଉଚ୍ଚ ମାଧ୍ୟମିକ ଶିକ୍ଷା ସମ୍ବନ୍ଧୀୟ ସମସ୍ତ ସୂଚନା, ଏକାଡେମିକ୍ କ୍ୟାଲେଣ୍ଡର, ପରୀକ୍ଷା କାର୍ଯ୍ୟସୂଚୀ, ଫଳାଫଳ ଏବଂ ବିଜ୍ଞପ୍ତି ସହଜରେ ପାଇପାରିବେ ।
କ୍ୟାରିୟର ଗାଇଡାନ୍ସ ପୋର୍ଟାଲ: କ୍ୟାରିୟର ଗାଇଡାନ୍ସ ପୋର୍ଟାଲ ମାଧ୍ୟମରେ ବିଦ୍ୟାର୍ଥୀମାନେ ବିଭିନ୍ନ ପ୍ରକାର କ୍ୟାରିଅର ବିଷୟରେ ସୂଚନା ପାଇପାରିବେ । ଏହା ବିଭାଗର ୧୦୦ ଦିନିଆ କାର୍ଯ୍ୟ ଯୋଜନାର ଏକ ଅଂଶ।
ଘରୋଇ ବିଦ୍ୟାଳୟ ପରିଚାଳନା ପୋର୍ଟାଲ: ରାଜ୍ୟରେ ଥିବା ସମସ୍ତ ଘରୋଇ ବିଦ୍ୟାଳୟର ପରିଚାଳନା ପ୍ରକ୍ରିୟାକୁ ସରଳ କରିବା ପାଇଁ ଏହି ପୋର୍ଟାଲର ଶୁଭାରମ୍ଭ ହୋଇଛି। ବିଦ୍ୟାଳୟ ଖୋଲିବା, ମାନ୍ୟତା ପ୍ରମାଣପତ୍ର ଏବଂ ‘ନୋ ଅବଜେକ୍ସନ ସାର୍ଟିଫିକେଟ୍’ ଭଳି ବିଭିନ୍ନ ସେବା ପାଇଁ ଏହି ପୋର୍ଟାଲ ମାଧ୍ୟମରେ ଆବେଦନ କରିପାରିବେ।

Comments are closed.