Latest Odisha News

‘‘ଦାନା’ ମୁକାବିଲା ପାଇଁ ସରକାର ସମ୍ପୂର୍ଣ୍ଣ ପ୍ରସ୍ତୁତ, ଆଦୌ ଆତଙ୍କିତ ହୁଅନ୍ତୁ ନାହିଁ’

ଭୁବନେଶ୍ୱର: ବୁଧବାର ବାତ୍ୟା ମୁକାବିଲା ପ୍ରସ୍ତୁତି ସମ୍ପର୍କରେ ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ସମୀକ୍ଷା ପରେ ଗଣମାଧ୍ୟମ ନିକଟରେ ନିଜର ବିବୃତି ରଖି, ମୁଖ୍ୟମନ୍ତ୍ରୀ ରାଜ୍ୟବାସୀଙ୍କୁ କୌଣସି ପରିସ୍ଥିତିରେ ଭୟଭୀତ ବା ଆତଙ୍କିତ ନ ହେବାକୁ ଅନୁରୋଧ କରିଛନ୍ତି ।

ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ବାତ୍ୟା ମୁକାବିଲା ପାଇଁ ରାଜ୍ୟ ସରକାରଙ୍କ ସମସ୍ତ ସମ୍ପୃକ୍ତ ବିଭାଗ ସମ୍ପୂର୍ଣ୍ଣ ଭାବେ ପ୍ରସ୍ତୁତ ଅଛନ୍ତି। ‘You are in Safe Hands’ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ । ବିପଦ ଟଳିବା ପର୍ଯ୍ୟନ୍ତ ସମସ୍ତେ ସୁରକ୍ଷିତ ଓ ସତର୍କ ରୁହନ୍ତୁ ବୋଲି ମୁଖ୍ୟମନ୍ତ୍ରୀ ନିବେଦନ କରିଥିଲେ।

ପରିସ୍ଥିତିକୁ ତଦାରଖ କରିବା ପାଇଁ ମନ୍ତ୍ରୀମାନଙ୍କୁ ଦାୟିତ୍ୱ ଦିଆଯାଇଛି । ସେମାନେ ସମସ୍ତେ କ୍ୟାବିନେଟ ବୈଠକ ପରେ ଜିଲ୍ଲା ଗସ୍ତରେ ଯାଇଛନ୍ତି । ଏହା ସହିତ ଅଭିଜ୍ଞତା ସମ୍ପନ୍ନ ଅଧିକାରୀମାନଙ୍କୁ ମଧ୍ୟ ଦାୟିତ୍ୱ ଦିଆଯାଇଛି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।

ଯେଉଁ ସବୁ ଜିଲ୍ଲାରେ ବାତ୍ୟାର ସମ୍ଭାବନା ଅଛି, ସେ ସବୁ ଜିଲ୍ଲାରେ ବିପଦଶଙ୍କୁଳ ଅଞ୍ଚଳରୁ ଯୁଦ୍ଧକାଳୀନ ଭିତ୍ତିରେ ଲୋକଙ୍କୁ ବାତ୍ୟା ଆଶ୍ରୟସ୍ଥଳକୁ ସ୍ଥାନାନ୍ତର କରାଯାଉଛି । ବର୍ତ୍ତମାନ ସୁଦ୍ଧା ବିପଦଶଙ୍କୁଳ ଅଞ୍ଚଳରୁ ୩୦ ପ୍ରତିଶତ ଲୋକଙ୍କୁ ସ୍ଥାନାନ୍ତର କରାଯାଇସାରିଛି । ବୁଧବାର ରାତି ସାରା ସ୍ଥାନାନ୍ତର କାର୍ଯ୍ୟ କରାଯାଇଥିବା ବେଳେ, ଗୁରୁବାର ସକାଳ ୧୧ଟା ସୁଦ୍ଧା ୯୦ ପ୍ରତିଶତ ସ୍ଥାନାନ୍ତର ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

ବାତ୍ୟା ଆଶ୍ରୟସ୍ଥଳୀରେ ଲୋକଙ୍କ ପାଇଁ ଶୁଖିଲା ଖାଦ୍ୟ ସହ ରନ୍ଧା ଖାଦ୍ୟ ଓ ସମସ୍ତ ଆନୁସଙ୍ଗିକ ବ୍ୟବସ୍ଥା କରାଯାଇଛି ବୋଲି ସେ କହିଛନ୍ତି।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ, କେନ୍ଦ୍ରାପଡା, ଭଦ୍ରକ, ବାଲେଶ୍ୱର, ଜଗତସିଂହପୁର, କଟକ ଓ ପୁରୀ ଜିଲ୍ଲା ଅଧିକ ପ୍ରଭାବିତ ହେବାର ସମ୍ଭାବନା ଥିବାବେଳେ, ଯଦି ଗତିପଥ ବଦଳେ, ତେବେ ଅନ୍ୟାନ୍ୟ ଜିଲ୍ଲା ମଧ୍ୟ ପ୍ରଭାବିତ ହେବାର ସମ୍ଭାବନା ରହିଛି । ସେଥିପାଇଁ ସରକାର ମଧ୍ୟ ପ୍ରସ୍ତୁତ ରହିଛନ୍ତି ।

ସ୍ୱତନ୍ତ୍ର ରିଲିଫ କମିଶନରଙ୍କ ଜରୁରୀକାଳୀନ ନିୟନ୍ତ୍ରଣ କକ୍ଷ ପରିଦର୍ଶନ କରି ସେଠାରେ ବିଭିନ୍ନ ସାଟେଲାଇଟ ସୂଚନା ସମ୍ପର୍କରେ ଅବଗତ ହୋଇଥିଲେ ଏବଂ ଜରୁରୀକାଳୀନ ଯୋଗାଯୋଗ ବ୍ୟବସ୍ଥା ଅନୁଧ୍ୟାନ କରିଥିଲେ ।

Leave A Reply

Your email address will not be published.