Latest Odisha News

ଦେଶର ତୃତୀୟ ଧନୀ ମୁଖ୍ୟମନ୍ତ୍ରୀ ହେଲେ ନବୀନ ପଟ୍ଟନାୟକ, ନାଁରେ ନାହିଁ ଗୋଟିଏ ବି ଅପରାଧିକ ମାମଲା

ଭୁବନେଶ୍ୱର: ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦେଶର ତୃତୀୟ ସର୍ବାଧିକ ଧନୀ ସିଏମ୍ । ଦେଶର ମୁଖ୍ୟମନ୍ତ୍ରୀମାନଙ୍କ ସମ୍ପତ୍ତି ଓ ଅପରାଧିକ ମାମଲା ଆଦି ବିଭିନ୍ନ ପ୍ରସଙ୍ଗକୁ ନେଇ ପ୍ରସ୍ତୁତ ADR ( ଆସୋସିଏସନ ଫର୍‌ ଡେମୋକ୍ରାଟିକ ରିଫର୍ମ୍‌ସ ) ରିପୋର୍ଟରୁ ଏହା ଜଣାପଡ଼ିଛି । ନବୀନଙ୍କ ସ୍ଥାବର ଓ ଅସ୍ଥାବର ସଂପତ୍ତି ମୂଲ୍ୟ ମୋଟ ୬୩ କୋଟି ଟଙ୍କା ।  ୨୦୨୩ର ADR ରିପୋର୍ଟ ଅନୁସାରେ ଦେଶର ଧନୀ ମୁଖ୍ୟମନ୍ତ୍ରୀ ଭାବେ ତାଲିକାର ପ୍ରଥମରେ ଅଛନ୍ତି, ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡୀ । ଜଗନ ମୋହନଙ୍କ ପାଖରେ ରହିଛି ୫୧୦ କୋଟି ଟଙ୍କାର ସମ୍ପତ୍ତି । ଦ୍ୱିତୀୟ ସ୍ଥାନରେ ଅଛନ୍ତି ଅରୁଣାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀ ପେମା ଖଣ୍ଡୁ । ତାଙ୍କ ସମ୍ପତିର ପରିମାଣ ୧୬୩ କୋଟି ।

ତେବେ ଏହି ତାଲିକା‌ରେ ସବୁଠାରୁ ଶେଷରେ ଅଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ମମତାଙ୍କ ନିକଟରେ ୧୫ ଲକ୍ଷ ଟଙ୍କାର ସଂପତ୍ତି ଥିବା ବେଳେ ସେ ଦେଶର ସବୁଠାରୁ ଗରିବ ମୁଖ୍ୟମନ୍ତ୍ରୀ ବୋଲି ରିପୋର୍ଟରେ ପ୍ରକାଶ ପାଇଛି। ସେହିଭଳି କେରଳ ଓ ହରିଆଣା ମୁଖ୍ୟମନ୍ତ୍ରୀଙ୍କ ପାଖରେ ୧ କୋଟି ଟଙ୍କାର ସମ୍ପତ୍ତି ଥିବା ଏଡିଆର୍‌ ରିପୋର୍ଟରେ ଉଲ୍ଲେଖ ହୋଇଛି।

ସେପଟେ ୪ ରାଜ୍ୟର ମଖ୍ୟମନ୍ତ୍ରୀଙ୍କ ନାଁରେ ଅପରାଧିକ ମାମଲା ରହିଛି । ବିଭିନ୍ନ ରାଜନୈତିକ କାର୍ଯ୍ୟକ୍ରମ, ସଭା, ଶୋଭାଯାତ୍ରା ଓ ବିଭିନ୍ନ ବିରୋଧୀ ଦଳ ପକ୍ଷରୁ ବିଭିନ୍ନ ସମୟରେ ଏହି ନେତାମାନଙ୍କ ନାମରେ ମାମଲା ରୁଜୁ ହୋଇଥିବା ଏଡିଆର ରିପୋର୍ଟରେ ଉଲ୍ଲେଖ ରହିଛି । ତେଲେଙ୍ଗାନା, ତାମିଲନାଡୁ, ଆନ୍ଧ୍ର ଓ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀଙ୍କ ନାଁରେ ଅପରାଧିକ ମାମଲା ଥିବା ଜଣାପଡିଛି । ADR ରିପୋର୍ଟ ଅନୁସାରେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀଙ୍କ ନାଁରେ ସର୍ବମୋଟ ମୋଟ ୬୪ଟି ଅପରାଧିକ ମାମଲା ଥିବାବେଳେ, ଏଥି ମଧ୍ୟରୁ ୩୭ଟି ସଙ୍ଗୀନ ମାମଲା ରହିଛି । ସେହିପରି ତାମିଲନାଡୁ ମୁଖ୍ୟମନ୍ତ୍ରୀଙ୍କ ନାଁରେ ସର୍ବମୋଟ ୪୭ଟି ମାମଲା ରହିଛି ଯାହା ଭିତରୁ ୧୦ଟି ସଙ୍ଗୀନ ମାମଲା ରହିଛି । ଆନ୍ଧ୍ର ମୁଖ୍ୟମନ୍ତ୍ରୀଙ୍କ ନାଁରେ ୩୮ ମୋଟ ମାମଲା ଅଛି ଓ ସେଥି ମଧ୍ୟରୁ ୩୫ ସଙ୍ଗୀନ ମାମଲା ଥିବା ସୂଚନା ଦିଆଯାଇଛି । ସେହିପରି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀଙ୍କ ନାଁରେ ୧୮ଟି ମାମଲା ଥିବାବେଳେ ଗୋଟିଏ ସଙ୍ଗୀନ ମାମଲା ରହିଛି । କେବଳ ସେତିକି ନୁହେଁ ଏହି ସବୁ ମୁଖ୍ୟମନ୍ତ୍ରୀଙ୍କ ନାଁରେ ହତ୍ୟା, ହତ୍ୟା ଉଦ୍ୟମ, ଅପହରଣ, ଏବଂ ଅପହରଣ କାର୍ଯ୍ୟକଳାପ ପ୍ରବର୍ତ୍ତାଇବା ପରି ଗମ୍ଭୀର ମାମଲା ରହିଛି । କିନ୍ତୁ ବଡ଼ କଥା ହେଉଛି ଅପରାଧିକ ମାମଲା ତାଲିକାରେ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନାଁ ନାହିଁ । ଯାହାକି ନବୀନଙ୍କ ସ୍ୱଚ୍ଛ ଭାବମୂର୍ତ୍ତୀକୁ ଅଧିକ ଉଜ୍ଜଳ କରିଛି ବୋଲି ରାଜନୈତିକ ସମୀକ୍ଷକ ମତ ଦେଇଛନ୍ତି ।

ସୂଚନାଯୋଗ୍ୟ, କିଛିଦିନ ତଳର ଏଡିଆର୍‌ ରିପୋର୍ଟ ଅନୁସାରେ ଦେଶରେ ଦ୍ୱିତୀୟ ଧନୀ ଆଞ୍ଚଳିକ ଦଳ ଭାବେ ବିଜୁ ଜନତା ଦଳ ମାନ୍ୟତା ପାଇଛି । ଏଥିସହ ବିଜେଡି ଆୟରେ ମଧ୍ୟ ସର୍ବାଧିକ ଅଭିବୃଦ୍ଧି ହାସଲ କରିଛି । ଦେଶର ୩୬ଟି ଛୋଟ ବଡ଼ ଆଞ୍ଚଳିକ ଦଳଙ୍କ ଆୟର ୨୫.୩୩ ପ୍ରତିଶତ ବିଜେଡିର ବୋଲି ଏଡିଆର୍ ରିପୋର୍ଟରେ ତଥ୍ୟ ପ୍ରକାଶ ପାଇସାରିଛି । ଗୋଟିଏ ପଟେ ସମସ୍ତ ଆଞ୍ଚଳିକ ଦଳମାନଙ୍କର ମୋଟ ଆୟ ୧୨୧୩. ୧୩୨ କୋଟି ହୋଇଥିବାବେଳେ, କେବଳ ବିଜେଡିର ଆୟ ରହିଛି ୩୦୭.୨୮୮ କୋଟି । ୨୦୨୧ ମସିହାରେ ଦଳ ଇଲେକ୍ସନ କ୍ୟାମ୍ପେନ ଓ ଅନ୍ୟାନ୍ୟ କାମରେ ୨୮.୫୩ କୋଟି ଖର୍ଚ୍ଚ କରିସାରିବା ପରେ ମଧ୍ୟ ୨୭୮.୬୫୮ କୋଟି ଅର୍ଥାତ୍ ୯୦ ପ୍ରତିଶତରୁ ଅଧିକ ଟଙ୍କା ଦଳ ପାଖରେ ବଳକା ରହିଛି ।

Leave A Reply

Your email address will not be published.