Latest Odisha News

ଗାଈ ଓ ମଇଁଷି ପାଇଁ ଚାଷୀଙ୍କୁ ମିଳିବ ୩୦ ହଜାର ଟଙ୍କା

ଭୁବନେଶ୍ବର : ବାତ୍ୟା ୟାସ୍‌ରେ କ୍ଷତିଗ୍ରସ୍ତ ହୋଇଥିବା ଚାଷୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପ୍ୟାଜେକ ଘୋଷଣା । ପ୍ରଭାବିତ ଜିଲ୍ଲାର ୩୩ ପ୍ରତିଶତରୁ ଅଧିକ କ୍ଷତିଗ୍ରସ୍ତ ଚାଷୀଙ୍କ ସ୍ବଳ୍ପ ମିଆଦୀ ଋଣ ହେବ ମଧ୍ୟମ ମିଆଦୀ ହେବ । ସେହିପରି ବାତ୍ୟାରେ ଦୁଧି ଆଳୀ ଗାଈ, ମଇଁଷି, ଛେଳି, ମେଣ୍ଢା ଓ କୁକୁଡା ହରାଇଥିବା ଚାଷୀ ମାନଙ୍କୁ ମଧ୍ୟ ସହାୟତା ପ୍ରଦାନ କରାଯିବ । ଦୁଧିଆଳୀ ଗାଈ ଓ ମଇଁଷି ପାଇଁ ୩୦ ହଜାର ଟଙ୍କା ସହାୟତା ଘୋଷଣା କରାଯାଇଛି । ଏହାସହ କ୍ଷୀର ଦେଉ ନଥିବା ପ୍ରାଣୀ ମାନଙ୍କ ପାଇଁ ୨୫ ହଜାର ଟଙ୍କାର ସହାୟତା ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ।

ସର୍ବାଧିକ ୬ଟି ବାଛୁରୀ ପାଇଁ ପ୍ରତି ବାଛୁରୀ ପାଇଁ ୧୬ ହଜାର, ୩୦ଟି ଛେଳି/ମେଣ୍ଢା ପର୍ଯ୍ୟନ୍ତ ୩୦୦୦ ଟଙ୍କା ଏବଂ ପ୍ରତି କୁକୁଡା ପିଚ୍ଛା ୫୦ ଟଙ୍କା ଲେଖାଏ, ସର୍ବାଧିକ ୫୦୦୦ ଟଙ୍କା ଲେଖାଏ ପ୍ରତି କ୍ଷତିଗ୍ରସ୍ତ ଚାଷୀଙ୍କୁ ଦିଆଯିବ । ବାତ୍ୟାରେ ଭାଙ୍ଗି ଯାଇଥିବା ଗୁହାଳର ପୁନନିର୍ମାଣ ପାଇଁ ୨୧୦୦ ଟଙ୍କା ସହାୟତା ଦିଆଯିବ । ବାତ୍ୟାରେ କ୍ଷତିଗ୍ରସ୍ତ ମତ୍ସ୍ୟ ଚାଷୀଙ୍କୁ ସେମାନଙ୍କର ଆଂଶିକ ଭାବରେ ଭାଙ୍ଗିଥିବା ଡଙ୍ଗାର ମରାମତି ପାଇଁ ୪୧୦୦ ଟଙ୍କା ଲେଖାଏ, ଆଂଶିକ ଭାବରେ କ୍ଷତିଗ୍ରସ୍ତ ମାଛଧରା ଜାଲ ମରାମତି ପାଇଁ ୨୧୦୦ ଟଙ୍କା ଲେଖାଏ ଟଙ୍କା ମିଳିବ । ସେହିପରି ପୁରା ଭାଙ୍ଗିଯାଇଥିବା ଡଙ୍ଗା ନିର୍ମାଣ ପାଇଁ ୯୬୦୦ ଟଙ୍କା ଲେଖାଏ ଏବଂ ପୁରା ନଷ୍ଟ ହୋଇଯାଇଥିବା ମାଛଧରା ଜାଲ କ୍ଷେତ୍ରରେ ୨୬୦୦ ଟଙ୍କା ସହାୟତା ପ୍ରଦାନ କରାଯିବ ।

ଖାଲି ସେତିକି ନୁହେଁ ବାତ୍ୟାରେ ପଟୁ ମାଟି ମାଡି ଯାଇଥିବା ମାଛ ଚାଷ ଫାର୍ମ ବା ମାଛ ବିହନ ଫାର୍ମର ପୁନରୁଦ୍ଧାର ପାଇଁ ହେକ୍ଟର ପିଚ୍ଛା ୧୨ ହଜାର ୨୦୦ ଟଙ୍କା ଏବଂ କ୍ଷତିଗ୍ରସ୍ତ ମାଛ ବିହନ ଫାର୍ମ ପାଇଁ ହେକ୍ଟର ପିଚ୍ଛା ୮୨୦୦ ଟଙ୍କା ଇନ୍‌ପୁଟ ସବ୍‌ସିଡି ଯୋଗାଇ ଦିଆଯିବ । ଏହାସହ ବାତ୍ୟାରେ ମଧ୍ୟ ଅନେକ ହସ୍ତତନ୍ତ ଓ ହସ୍ତଶିଳ୍ପ କାରିଗର କ୍ଷତିଗ୍ରସ୍ତ ହୋଇଛନ୍ତି । ତେଣୁ କ୍ଷତିଗ୍ରସ୍ତ କାରିଗରମାନଙ୍କୁ ସେମାନଙ୍କର ଉପକରଣ ପାଇଁ ୪୧୦୦ ଟଙ୍କା ଲେଖାଏ ଏବଂ ନଷ୍ଟ ହୋଇଥିବା କଞ୍ଚା ମାଲ ତଥା ତିଆରି ହୋଇଥିବା ଜିନିଷ ପାଇଁ ପ୍ରତି କାରିଗରଙ୍କୁ ୪୧୦୦ ଟଙ୍କା ଲେଖାଏ ପ୍ରଦାନ କରାଯିବ ।

ଏରି, ମଲବେରୀ ଓ ଟସର ଚାଷୀ ମାନଙ୍କ ପାଇଁ ଇନ୍‌ପୁଟ ସବ୍‌ସିଡି ଭାବେ ହେକ୍ଟର ପିଚ୍ଛା ୪୮୦୦ ଟଙ୍କା ଏବଂ ମୁଗ ଚାଷୀଙ୍କ ପାଇଁ ହେକ୍ଟର ପିଚ୍ଛା ୬୦୦୦ ଟଙ୍କା ଲେଖାଏ ସହାୟତା ଦିଆଯିବ । କ୍ଷତିଗ୍ରସ୍ତ ଲୋକଙ୍କୁ ରୋଜଗାର ଯୋଗାଇବା ପାଇଁ MGNREGS ଯୋଜନାରେ ବ୍ୟାପକ ନିଯୁକ୍ତି ସୁଯୋଗ ସୃଷ୍ଟି କରାଯିବ । ଏଥିରେ ଗ୍ରାମ ପଂଚାୟତ ରାସ୍ତା, ଖେଳ ପଡିଆ, କେନାଲ, ମାଟିବନ୍ଧ ଆଦିର ମରାମତି ଓ ରକ୍ଷଣା ବେକ୍ଷଣ ସହିତ ଗାଈ ଗୁହାଳ, ଛେଳି ଗୁହାଳ ଓ ଗୋଖାଦ୍ୟ ଚାଷ ଉପରେ ମଧ୍ୟ ଗୁରୁତ୍ବ ଦିଆଯିବ । ଯୋଗ୍ୟ ହିତାଧିକାରୀଙ୍କୁ ଏସଡିଆରଏଫ କିମ୍ବା ଏନଡିଆରଏଫ ନିୟମ ଅନୁଯାୟୀ ଗୃହ ନିର୍ମାଣ ଓ ଅନ୍ୟ ସହାୟତା ପ୍ରଦାନ କରାଯିବ ।

Leave A Reply

Your email address will not be published.