Latest Odisha News

କଟକରେ ନେତାଜୀ ବସ୍‌ ଟର୍ମିନାଲକୁ ଦେଶରେ ମଡେଲ ଟର୍ମିନାଲ ଭାବରେ ଗଢାଯିବ: ମୁଖ୍ୟମନ୍ତ୍ରୀ

କଟକ: ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଜୟନ୍ତୀ ଅବସରରେ କଟକରେ ତାଙ୍କ ନାଁରେ ଅତ୍ୟାଧୁନିକ ବସ୍ ଟର୍ମିନାଲର ଶିଳାନ୍ୟାସ ହୋଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଖାନନଗରଠାରେ ପ୍ରସ୍ତାବିତ ବସ୍ ଟର୍ମିନାଲର ଆଜି ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି । ତାପୂର୍ବରୁ ମୁଖ୍ୟମନ୍ତ୍ରୀ ଓଡ଼ିଆ ବଜାର ସ୍ଥିତ ସୁଭାଷ ବୋଷଙ୍କ ସଂଗ୍ରହାଳୟ ଯାଇ ତାଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ ।

ବସ୍ ଟର୍ମିନାଲ ଶିଳାନ୍ୟାସ ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ଅନ୍ତର୍ଜାତୀୟ ସ୍ତରରେ ବସ୍ ଟର୍ମିନାଲ ନିର୍ମାଣ କରାଯିବ । ଏହାକୁ ଦେଶର ଏକ ମଡେଲ ବସ୍‌ ଟର୍ମିନାଲ ଭାବରେ ଗଢାଯିବ । ଏଠାକୁ ଆସୁଥିବା ସମସ୍ତଙ୍କ ମନରେ ନେତାଜୀଙ୍କ ସ୍ମୃତି ଯେପରି ଜାଗ୍ରତ ହୋଇପାରିବ ସେଥିପାଇଁ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।

ପ୍ରସ୍ତାବିତ ବସ ଟର୍ମିନାଲରେ ନେତାଜୀଙ୍କର ଜୀବନୀ ଓ ସଂଗ୍ରାମର ଝଲକ ସବୁଠାରେ ଦେଖିବାକୁ ମିଳିବ । ଏଠାକୁ ଆସୁଥିବା ପ୍ରତିଟି ଲୋକ ନେତାଜୀଙ୍କ ସାହସ ଓ ଦେଶଭକ୍ତିର ବାର୍ତ୍ତା ନେଇ ଫେରିବ । ଏହି ବସ୍‌ ଟର୍ମିନାଲ ହଜାର ବର୍ଷର ସହର କଟକର ଗରିମାକୁ ଆହୁରି ବୃଦ୍ଧି କରିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

ନେତାଜୀଙ୍କୁ ଭାରତମାତାର ଅମୂଲ୍ୟ ରତ୍ନ ଭାବରେ ବର୍ଣ୍ଣନା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ତାଙ୍କର ଦୃଢ ନେତୃତ୍ବ, ସାହସ ଓ ଅତୁଳନୀୟ ଦେଶଭକ୍ତି ପାଇଁ ସେ ପ୍ରତିଟି ଭାରତୀୟଙ୍କ ହୃଦୟରେ ଅମର ହୋଇ ରହିବ । ଯେତେବେଳେ ବି ନେତାଜୀଙ୍କ ଜନ୍ମସ୍ଥାନକୁ ଆସିଛନ୍ତି ସେତେବେଳେ ଭାବୁକ ହୋଇଯାନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

୧୨ ଏକର ଜମିରେ ନିର୍ମାଣ ହେବ ପ୍ରସ୍ତାବିତ ବସ୍ ଟର୍ମିନାଲ । ଏଥିରେ ଖର୍ଚ୍ଚ ହେବ ୬୫ କୋଟି ଟଙ୍କା । ଟର୍ମିନାଲରେ ଏକାସଙ୍ଗରେ ରହିପାରିବ ୧୮୦ଟି ବସ୍ । ସାଧାରଣ ଯାତ୍ରୀବାହୀ ବସ୍‌ ପାଇଁ ଅଲଗା ସ୍ଥାନ ରହିବ । ଯାତ୍ରୀଙ୍କ ପାଇଁ ଅତ୍ୟାଧୁନିକ ସୁବିଧା ଉପଲବ୍ଧ ହେବ । ଦୁଇ ବର୍ଷ ଭିତରେ କାମ ସାରିବାକୁ ଲକ୍ଷ୍ୟ ରଖାଯାଇଛି ।

Leave A Reply

Your email address will not be published.