Latest Odisha News

ମୁଖ୍ୟମନ୍ତ୍ରୀଙ୍କ କୋଭିଡ ସମୀକ୍ଷା, ସତର୍କ ରହିବା ସହ ସଚେତନତା କାର୍ଯ୍ୟକ୍ରମ ଜାରି ରଖିବାକୁ ପରାମର୍ଶ

ଭୁବନେଶ୍ବର : ରାଜ୍ୟରେ କୋଭିଡ ସ୍ଥିତି ସମ୍ପର୍କରେ ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ । ଏହି ଅବସରରେ ମୁଖ୍ୟମନ୍ତ୍ରୀ ପ୍ରଶାସନକୁ ସତର୍କ ରହିବା ସହିତ ସଚେତନତା କାର୍ଯ୍ୟକ୍ରମ ଜାରି ରଖିବା ପାଇଁ ପରାମର୍ଶ ଦେଇଛନ୍ତି । ତା ସହିତ ବରିଷ୍ଠ ନାଗରିକ ଓ ସମ୍ମୁଖ ଯୋଦ୍ଧାଙ୍କୁ ବୁଷ୍ଟର ଡୋଜ୍ ଦେବା ଉପରେ ମଧ୍ୟ ମୁଖ୍ୟମନ୍ତ୍ରୀ ଗୁରୁତ୍ବ ଆରୋପ କରିଛନ୍ତି ।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ରାଜ୍ୟରେ ବର୍ତ୍ତମାନ ସକ୍ରିୟ କୋଭିଡ ରୋଗୀ ସଂଖ୍ୟା ସ୍ଥିର ରହିଥିବା ବେଳେ ନୂଆ ପଜିଟିଭ କେସ୍‌ରେ ମଧ୍ୟ ହ୍ରାସ ଘଟିଛି । ତୃତୀୟ ଲହରରେ ଡାକ୍ତରଖାନା ଉପରେ ବିଶେଷ ଚାପ ପଡିନାହିଁ । କିନ୍ତୁ ଏଥିରେ ଆତ୍ମସନ୍ତୋଷର ସ୍ଥାନ ନାହିଁ । ସଂପୂର୍ଣ୍ଣ ପ୍ରସ୍ତୁତ ରହି ପ୍ରଶାସନ ପରିସ୍ଥିତି ଉପରେ ନଜର ରଖିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ । ତା ସହିତ ମିଶନ ଶକ୍ତି ଗୋଷ୍ଠୀଙ୍କର ସକ୍ରିୟ ସହଯୋଗରେ ସାରା ରାଜ୍ୟରେ ସଚେତନତା କାର୍ଯ୍ୟକ୍ରମ ଜାରି ରଖିବା ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ ।

ଜନସାଧାରଣ ଯେପରି କୋଭିଡ ସୁରକ୍ଷା ନିୟମାବଳୀ ଠିକ୍‌ ଭାବରେ ପାଳନ କରନ୍ତି, ସେଥିପ୍ରତି ବିଶେଷ ଯତ୍ନବାନ ହେବା ପାଇଁ ମୁଖ୍ୟମନ୍ତ୍ରୀ ପୋଲିସକୁ ପରାମର୍ଶ ଦେଇଥିଲେ । ସେହିପରି ପୃଥକ ବାସରେ ଘରେ ରହି ଚିକିତ୍ସିତ ହେଉଥିବା ରୋଗୀଙ୍କର ସ୍ବାସ୍ଥ୍ୟ ଅବସ୍ଥା ସଂପର୍କରେ ରାପିଡ୍ ଆକ୍ସନ ଟିମ୍ ଓ କ୍ଷେତ୍ର କର୍ମଚାରୀମାନେ ଠିକ୍ ଭାବରେ ତଦାରଖ କରିବା ପାଇଁ ମଧ୍ୟ ପରାମର୍ଶ ଦେଇଥିଲେ । ବର୍ତ୍ତମାନ ପରିସ୍ଥିତିରେ ଆତଙ୍କିତ ନ ହୋଇ କୋଭିଡ ସୁରକ୍ଷା ନିୟମାବଳୀକୁ ସଠିକ୍‌ ଭାବରେ ପାଳନ କରିବା ପାଇଁ ଜନସାଧାରଣଙ୍କୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ ।

ଉନ୍ନୟନ କମିଶନର ତଥା ସ୍ବତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନା କୋଭିଡ ନିୟମାବଳୀର ପରିପାଳନ ନିମନ୍ତେ ପ୍ରଶାସନ ନେଇଥିବା ବିଭିନ୍ନ ପଦଷେପ ସଂପର୍କରେ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରାଇଥିଲେ । ସ୍ବାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଆର୍.କେ ଶର୍ମା ରାଜ୍ୟରେ କୋଭିଡ ସ୍ଥିତି ସଂପର୍କରେ ଏକ ବିସ୍ତୃତ ଚିତ୍ର ଉପସ୍ଥାପନା କରିଥିଲେ । ରାଜ୍ୟରେ ଦୈନିକ ଟେଷ୍ଟିଂ ୬୫ ହଜାରରୁ ୭୦ ହଜାର ରହିଥିବା ବେଳେ, ପଜିଟିଭିଟି ହାର ୧୧.୪ ପ୍ରତିଶତ ରହିଛି । ଯାହାକି ଜାତୀୟ ହାର ଠାରୁ କମ୍‌ ଅଟେ । ଯାଜପୁର, ବାଲେଶ୍ବର, କଟକ, ସୁନ୍ଦରଗଡ ଓ ଖୋର୍ଦ୍ଧାରେ ପଜିଟିଭିଟି ହାର ତୁଳନାତ୍ମକ ଭାବେ ଅଧିକ ଅଛି ବୋଲି ସେ ସୂଚନା ଦେଇଥିଲେ । ସେହିପରି ଟିକାକରଣ ସ୍ଥିତି ମଧ୍ୟ ସନ୍ତୋଷଜନକ ରହିଛି ବୋଲି ସ୍ବାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଆର୍.କେ ଶର୍ମା ସୂଚନା ଦେଇଥିଲେ ।

 

Comments are closed, but trackbacks and pingbacks are open.