Latest Odisha News

କୋଟିଆକୁ ଆଦର୍ଶ ପଞ୍ଚାୟତ କରାଯିବ: ମୁଖ୍ୟମନ୍ତ୍ରୀ

କୋରାପୁଟ: କୋଟିଆରେ ବିଭିନ୍ନ ପ୍ରକଳ୍ପର ଉଦ୍‌ଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୋଟ୍ ୧୮ କୋଟି ଟଙ୍କା ପ୍ରକଳ୍ପର ଶୁଭାରମ୍ଭ ହୋଇଛି । ୧୩ କୋଟିର ପ୍ରକଳ୍ପ ଉଦ୍‌ଘାଟନ ଓ ୫ କୋଟି ଟଙ୍କାରେ ସେତୁ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ମୁଖ୍ୟମନ୍ତ୍ରୀ । ଏହି ଅବସରରେ କୋଟିଆବାସୀଙ୍କୁ ସମ୍ବୋଧିତ କରି ମୁଖ୍ୟମନ୍ତ୍ରୀ କହିଛନ୍ତି, କୋଟିଆ ପଞ୍ଚାୟତକୁ ଆଦର୍ଶ ପଞ୍ଚାୟତ କରାଯିବ । ସମସ୍ତ ଅଞ୍ଚଳର ବିକାଶ ପାଇଁ ସରକାର ପ୍ରତିଶ୍ରୁତିବଦ୍ଧ । ଏଥିସହ ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତି ଦେଇଛନ୍ତି ସେ କୋଟିଆ ଯିବେ । ସେଠାକାର  ଲୋକଙ୍କୁ ଭେଟିବେ ।

ନବୀନ କହିଛନ୍ତି, ଓଡ଼ିଆ ଆମ ଭାଷା । ପ୍ରଭୁ ଜଗନ୍ନାଥ ଆମ ବଡ଼ ଠାକୁର । କୋରାପୁଟ ଶାବର ଶ୍ରୀକ୍ଷେତ୍ର ଭାବେ ସର୍ବତ୍ର ପରିଚିତ । କୋଟିଆକୁ ଆଦର୍ଶ ପଞ୍ଚାୟତ ଭାବେ ଗଢ଼ି ତୋଳାଯିବ । କୋଟିଆ ପଞ୍ଚାୟତରେ ଶିକ୍ଷା, ସ୍ୱାସ୍ଥ୍ୟ, ଯୋଗାଯୋଗ, ପିଇବା ପାଣି, ବିଜୁଳି ଆଦି ସବୁ ସୁବିଧାର ବିକାଶ କରାଯାଇଛି । ଖାଦ୍ୟ ସୁରକ୍ଷା ଠାରୁ ଆରମ୍ଭ କରି ସାମାଜିକ ନିରାପତ୍ତା ଯୋଗାଇ ଦିଆଯାଉଛି। ଜୀବନଜୀବିକା ପାଇଁ ମଧ୍ୟ ପଦକ୍ଷେପ ନିଆଯାଇଛି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ ମାଲକାନଗିରିରୁ ମୟୁରଭଞ୍ଜ, କୋରାପୁଟରୁ କଟକ, ସବୁ ଅଞ୍ଚଳର ବିକାଶ ପାଇଁ ସେ କାମ କରୁଛନ୍ତି । ବିକାଶର ସୁଫଳ ପ୍ରତି ପରିବାର ପାଖରେ ପହଞ୍ଚାଇବା ପାଇଁ, ରାଜ୍ୟର ସବୁ କୋଣ ଅନୁକୋଣରେ ପହଞ୍ଚାଇବା ପାଇଁ କାମ ଜାରି ରହିଛି । ଏହି ଅବସରରେ ସ୍ୱାଧୀନତା ସଂଗ୍ରାମରେ କୋରାପୁଟର ବଡ ଭୂମିକା ବିଷୟରେ ଆଲୋକପାତ କରିବା ସହ ଶହୀଦ ଲକ୍ଷ୍ମଣ ନାୟକଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ଗତବର୍ଷ କୋଟିଆର ବିକାଶ ପାଇଁ ସରକାର ଦେଢ଼ ଶହ କୋଟି ଟଙ୍କାର ପ୍ୟାକେଜ ଘୋଷଣା କରିଥିଲେ ।

Leave A Reply

Your email address will not be published.