Latest Odisha News

୨୬ରୁ ଆଦିବାସୀ ମେଳା, ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ଵର: ସଜେଇ ହେଉଛି ଆଦିବାସୀ ପଡିଆ । ସ୍ମାର୍ଟ ସିଟିରୁ ମିଳିବ ଗାଁ ମାଟିର ବାସ୍ନା । ମାଟି ପଲମରୁ ଚକୁଳି, କାଠ ଚୁଲି ତିଆରି ମଣ୍ଡା ଆରିସା ଏବଂ କନ୍ଧମାଳ ହଳଦୀର ବାସ୍ନା । ସ୍ମାର୍ଟସିଟିରେ ସୃଷ୍ଟି ହେବ ଗାଁର ପରିବେଶ । ଆସନ୍ତା ୨୬ତାରିଖରୁ ଆଦିବାସୀ ପଡିଆରେ ଆରମ୍ଭ ହେବାକୁ ଯାଉଛି ଆଦିବାସୀ ମେଳା ୨୦୨୪ । ଏଥିପାଇଁ ଚାଲିଛି ଜୋରଦାର ପ୍ରସ୍ତୁତି । ଗୋଟିଏ ସ୍ଥାନରେ ଜମିବ ଖାଦ୍ୟପେୟ, ସଂସ୍କୃତି ଓ ଆଦିବାସୀଙ୍କ ନିତିଦିନିଆ ଚାଲିଚଳନିର ଆସର । ତେବେ ମେଳାରେ ଆଦିବାସୀ ଅଞ୍ଚଳର ଜିନିଷ କିଣାବିକା ସାଙ୍ଗକୁ ସନ୍ଧ୍ୟାରେ ଝୁମିବେ ସ୍ମାର୍ଟସିଟି ବାସୀ ।

ଅନୁସୂଚିତ ଜାତି ଓ ଜନଜାତି ବିଭାଗ ଦ୍ୱାରା ଆୟୋଜିତ ଏହି ମେଳା ଚଳିତ ବର୍ଷ ଜାନୁଆରି ୨୬ରୁ ଆରମ୍ଭ ହୋଇ ଫେବୃଆରି ୫ ତାରିଖ ପର୍ଯ୍ୟନ୍ତ ଚାଲିବ । ଅପରାହ୍ଣ ୨ଟାରୁ ରାତି ୧୦ ଟା ପର୍ୟ୍ୟନ୍ତ ସର୍ବସାଧାରଣଙ୍କ ନିମନ୍ତେ ଖୋଲା ରହିବ । ସନ୍ଧ୍ୟା ୬ଟାରେ ମେଳାର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ମେଳାରେ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ଅନେକ ଜାତି ଓ ଜନଜାତି ଶ୍ରେଣୀର ଲୋକ ଅଂଶଗ୍ରହଣ କରିବେ । ମେଳାରେ ଆଦିବାସୀ ସଂପ୍ରଦାୟର ଘର, ଚାଲିଚଳଣୀ,ଖାଦ୍ୟପେୟ ଓ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ଦେଖିବାକୁ ମିଳିବ। ଏଥିସହିତ ମେଳାରେ ଆଦିବାସୀ ପରମ୍ପରା ସହ ଜଡ଼ିତ ସାଂସ୍କୃତିକ କାର୍ଯ୍ୟକ୍ରମର ମଧ୍ୟ ଦେଖିବାକୁ ମିଳିବ। ୧୯୫୧ ମସିହାରୁ ଏହି ମେଳା କଟକରେ ଅନୁଷ୍ଠିତ ହେଉଥିବାବେଳେ ୧୯୫୪ ମସିହାରେ ଭୁବନେଶ୍ୱରକୁ ସ୍ଥାନାନ୍ତର ହୋଇଥିଲା ।

ଜନଜାତି ସ୍ୱୟଂ ସହାୟକ ଗୋଷ୍ଠୀ ପ୍ରକୋଷ୍ଠ, ଆଦିବାସୀ ହାଟ, ଆଦିବାସୀ କଳା ସାମଗ୍ରୀ, ଖାଦ୍ୟ ବଜାର ଆଦି ମେଳାର ଆକର୍ଷଣ ପାଲଟିବ ବୋଲି ବିଭାଗ ପକ୍ଷରୁ କୁହାଯାଇଛି। ଓଡ଼ିଶା ସରକାରଙ୍କ ଅନୁସୂଚିତ ଜନଜାତି ଉନ୍ନୟନ ବିଭାଗ ପୃଷ୍ଠପୋଷକତାରେ ଏହି ମେଳା ଅନୁଷ୍ଠିତ ହୋଇଆସୁଛି। ଆଦିବାସୀମାନଙ୍କର ହସ୍ତଶିଳ୍ପ, କଳାକୃତି, କୃଷିଜାତ ସାମଗ୍ରୀ ଏବଂ ସେମାନଙ୍କ ଦ୍ୱାରା ଜଙ୍ଗଲରୁ ସଂଗୃହୀତ ଦ୍ରବ୍ୟ ଗୁଡ଼ିକ ପ୍ରଦର୍ଶିତ କରାଇବା ଓ ସେସବୁର ବିକ୍ରି ନିମନ୍ତେ ଏକ ବଜାର ସୃଷ୍ଟି କରିବା ମେଳାର ମୁଖ୍ୟ ଉଦ୍ଦେଶ୍ୟ ରହିଥିବା ବେଳେ ଜନଜାତି ବର୍ଗଙ୍କର ସଂସ୍କୃତି, ନୃତ୍ୟ, ସଙ୍ଗୀତ ଓ ଜୀବନଯାପନ ଶୈଳୀକୁ ରାଜ୍ୟ ବାସୀଙ୍କ ସହ ପରିଚିତ କରାଇବା ମଧ୍ୟ ଅନ୍ୟ ଏକ ଲକ୍ଷ୍ୟ ।

 

 

Leave A Reply

Your email address will not be published.