Latest Odisha News

୭୬ ବର୍ଷରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଜନନାୟକଙ୍କୁ ଜନ୍ମଦିନର ଶୁଭେଚ୍ଛା

ଭୁବନେଶ୍ୱର: ଆଜି ୭୬ ବର୍ଷରେ ପଦାର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କୋଭିଡ୍ ସଂକ୍ରମଣକୁ ଦୃଷ୍ଟିରେ ରଖି ଏବର୍ଷ ଜନ୍ମଦିନ ପାଳନ କରୁ ନାହାନ୍ତି ମୁଖ୍ୟମନ୍ତ୍ରୀ । ଆଜି ନବୀନ ନିବାସ ନଆସି କୋଭିଡରେ ମୃତ୍ୟୁବରଣ କରିଥିବା ଲୋକଙ୍କ ପରିବାରକୁ ସାହାଯ୍ୟ କରିବା ଓ ରକ୍ତଦାନ ଭଳି ମହତ କାର୍ୟ୍ୟରେ ସାମିଲ ହେବାକୁ ଶୁଭେଚ୍ଛୁ, ସମର୍ଥକ ଓ ଦଳୀୟ ନେତା ମନ୍ତ୍ରୀଙ୍କୁ କହିଛନ୍ତି ମୁଖ୍ୟମନ୍ତ୍ରୀ ।

ପାଞ୍ଚ ପାଞ୍ଚ ଥର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ୨୧ ବର୍ଷ ଧରି ରାଜ୍ୟର ଶାସନ ଗାଦିରେ ବସି ଆସିଛନ୍ତି । ପ୍ରତିଥର ତାଙ୍କର ଲୋକପ୍ରିୟତା ବଢ଼ି ଚାଲିଛି । ଦିନେ ରାଜନୀତିରେ ନୂଆ ଇନିଂସ ଆରମ୍ଭ କରିଥିବା ନୀବନ ଆଜି ପୋଖତ । କଥା କମ୍, କାମ ଅଧିକ ନବୀନଙ୍କ ମୂଳମନ୍ତ୍ର । ରାଜ୍ୟ ସହ ଜାତୀୟ ରାଜନୀତିରେ ତାଙ୍କର ସ୍ୱତନ୍ତ୍ର ଛାପ ରହିଛି ।
୨୦୦୦ ମସିହାରେ ଓଡ଼ିଶା ଏକ ପଛୁଆ ରାଜ୍ୟ ଭାବରେ ପରିଗଣିତ ହେଉଥିଲା । ନବୀନ ରାଜ୍ୟର ମୁଖ୍ୟମନ୍ତ୍ରୀ ହେବା ପରେ ୨୧ ବର୍ଷ ଭିତରେ ବଦଳିଛି ଓଡ଼ିଶାର ଭୋକର ଭୂଗୋଳ । ଦିନେ ଖାଦ୍ୟ ପାଇଁ ଅନ୍ୟ ରାଜ୍ୟ ଉପରେ ନିର୍ଭର କରୁଥିବା ଓଡ଼ିଶା ଏବେ ସ୍ୱାବଲମ୍ବୀ ହୋଇ ପାରିଛି । ସ୍ୱଚ୍ଛ ଭାବମୂର୍ତ୍ତି, ସ୍ଥିର ସରକାର, ଲୋକାଭିମୁଖୀ ଓ ଜନକଲ୍ୟାଣକାରୀ ଯୋଜନା ନବୀନ ସାଢ଼େ କୋଟି ଓଡ଼ିଆଙ୍କ ପ୍ରିୟ ହୋଇ ପାରିଛନ୍ତି ।
୧୯୯୭ ମସିହାରେ ଆସିକାରୁ ଜନତା ଦଳ ଟିକେଟରେ ଉପ-ନିର୍ବାଚନ ଲଢି ପ୍ରଥମେ ଲୋକସଭାକୁ ଯାଇଥିଲେ ନବୀନ ପଟ୍ଟନାୟକ । ବର୍ଷେ ପରେ ଭାଙ୍ଗିଥିଲା ଜନତା ଦଳ । ଗଠନ ହୋଇଥିଲା ବିଜୁ ଜନତା ଦଳ ବା ବିଜେଡି । ୧୯୯୮ରେ ବିଜେପି ମିଶି ଲୋକସଭା ନିର୍ବାଚନ ଲଢ଼ିଥିଲା ବିଜେଡି । ଆସିକାରୁ ପୁଣି ସାଂସଦ ନିର୍ବାଚିତ ହୋଇଥିଲେ ନବୀନ । ବାଜପେୟୀଙ୍କ ସରକାରରେ ସେ କେନ୍ଦ୍ରମନ୍ତ୍ରୀ ହୋଇଥିଲେ ।
ବର୍ଷେ ପରେ ବାଜପେୟୀ ସରକାର ଭାଙ୍ଗିବା ପରେ ୧୯୯୯ ନିର୍ବାଚନ ଜିତି ଲୋକସଭା ଯାଇଥିଲେ ନବୀନ । ୨୦୦୦ ଓ ୨୦୦୪ ବିଧାନସଭା ନିର୍ବାଚନରେ ବିଜେଡି-ବିଜେପି ଓଡ଼ିଶାରେ ମେଣ୍ଟ ସରକାର କରିଥିଲେ । ୨୦୦୯ ପରଠାରୁ ଏକାକୀ ନିର୍ବାଚନ ରଣାଙ୍ଗନାକୁ ଓହ୍ଲାଇଥିଲା ବିଜେଡି । ତାପରଠୁ ନବୀନଙ୍କ କ୍ରେଜ ଆଗରେ ବିରୋଧୀ ଚିତପଟାଙ୍ଗ ମାରିଛନ୍ତି । ପ୍ରତି ନିର୍ବାଚନରେ ଏକାକୀ ବିଜେଡି ଦଖଲକୁ ଯାଇଛି ଶହେରୁ ଅଧିକ ଆସନ ।

Leave A Reply

Your email address will not be published.