Latest Odisha News

BREAKING NEWS

ଆସନ୍ତାକାଲି ବରଗଡ ଯିବେ ମୁଖ୍ୟମନ୍ତ୍ରୀ, ଗଙ୍ଗାଧର ମେହେର ଉଠା ଜଳସେଚନ ପ୍ରକଳ୍ପର କରିବେ ଉଦଘାଟନ

ବରଗଡ: ବହୁ ଦିନର ଅପେକ୍ଷା ପରେ ପୁରଣ ହେବାକୁ ଯାଉଛି ବରଗଡବାସୀଙ୍କ ସ୍ଵପ୍ନ । ଆସନ୍ତାକାଲି ବରଗଡ ଗସ୍ତରେ ଯାଇ ଗଙ୍ଗାଧର ମେହେର ଉଠା ଜଳସେଚନ ପ୍ରକଳ୍ପର ଶୁଭ ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ । ଏହା ସହ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ନିର୍ମିତ  କର୍କଟ ରୋଗ ଚିକିତ୍ସା କେନ୍ଦ୍ର ଓ ନୃସିଂହନାଥ ପୀଠର ବିକାଶ ଓ ରୂପାନ୍ତରଣ ଆଦିର ଉଦଘାଟନ ସହିତ ଅନ୍ୟ ୫୯ ଗୋଟି ବିଭିନ୍ନ ପ୍ରକଳ୍ପର ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ | ଏହା ବ୍ୟତୀତ ବିଭିନ୍ନ ଉନ୍ନତି ମୂଳକ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ଗଙ୍ଗାଧର ମେହେର ଉଠା ଜଳସେଚନ ପ୍ରକଳ୍ପ ମାଧ୍ୟମରେ ବରଗଡ଼ ଜିଲ୍ଲା ସମେତ ସୋନପୁର ଜିଲ୍ଲାର ୧୨୯ଟି ଗାଁର ଜମିକୁ ମାଡିବ ପାଣି।  ବରଗଡ଼ ଜିଲ୍ଲାର ମରୁଡ଼ି ପ୍ରପୀଡ଼ିତ ଅଞ୍ଚଳ ଭାବେ ବେଶ୍ ପରିଚିତ ବିଜେପୁର , ସୋହେଲା , ବରପାଲି ଓ ବରଗଡ଼ ବ୍ଲକ ସମେତ ସୋନପୁର ଜିଲ୍ଲା ଡୁଙ୍ଗୁରୀପାଲି ବ୍ଲକର ସମୁଦାୟ ୧୨୯ ଗାଁ କୁ ଜଳ ସେଚିତ ହେବ।  ୨୦୧୭ମସିହାରେ ମୂଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବରଗଡବାସୀଙ୍କୁ ଦେଇଥିବା ପ୍ରତିଶ୍ରୁତିକୁ ଆସନ୍ତାକାଲି ତାହା ବାସ୍ତବ ରୂପ ନେବାକୁ ଯାଉଛି । ୧୬୭୭.୪୨ କୋଟି ଟଙ୍କା ବିନିମୟରେ ଏହି ବୃହତ ଜଳସେଚନ ପ୍ରକଳ୍ପ କରାଯାଇଥିବା ବେଳେ ବିଜେପୁର ବ୍ଲକର ୭୭ଟି ଗାଁର ୧୫୨୦୦ହେକ୍ଟର, ସୋହେଲା ବ୍ଲକର ୬୪୦୦ହେକ୍ଟର, ବରପାଲି ବ୍ଲକର ୧୯ଟି ଗାଁର ୩୮୪୦ ସହ ବରଗଡ଼ ବ୍ଲକର କିଛିଟା ଗାଁ ସମେତ ଡୁଙ୍ଗୁରୀପାଲି ଗାଁର ଆଂଶିକ ଅଞ୍ଚଳକୁ ଜଳ ସେଚନର ସୁବିଧା ବ୍ୟବସ୍ଥା କରାଯାଇଛି।

ସେହିପରି ୨୦୧୯ ମସିହାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବରଗଡରେ କ୍ୟାନ୍ସର ହସ୍ପିଟାଲ ନିର୍ମାଣ କରାଯିବ ବୋଲି ଘୋଷଣା କରିଥିଲେ । ୧୦୬ କୋଟି ୬ ଲକ୍ଷ ଟଙ୍କା ବିନିମୟରେ ନିର୍ମିତ ହୋଇଥିବା ୧୦୦ ଶଯ୍ୟା ବିଶିଷ୍ଟ ଏହି ବିରାଟ କ୍ୟାନ୍ସର ହସ୍ପିଟାଲର ଆସନ୍ତାକାଲି ଶୁଭ ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ |ସାରା ପଶ୍ଚିମ ଓଡ଼ିଶାରେ କ୍ୟାନ୍ସର ଆକ୍ରାନ୍ତଙ୍କ ସଂଖ୍ୟା ଦୈନନ୍ଦିନ ବୃଦ୍ଧି ପାଇବାକୁ ଲାଗିଥିବା ବେଳେ ବରଗଡ଼ ଜିଲ୍ଲା କ୍ୟାନ୍ସର ପ୍ରବଣ ଜିଲ୍ଲାରେ ଉଭା ହୋଇଛି । ବରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ନିକଟରେ ପ୍ରାୟ ୧୦୬କୋଟି ୬ ଲକ୍ଷ ଟଙ୍କା ବିନିମୟରେ ୧୨୬୮୨ ବର୍ଗ ମିଟରରେ ୫ ମହଲା ବିଶିଷ୍ଟ ଏକ ବିରାଟ କ୍ୟାନ୍ସର  ହସ୍ପିଟାଲ ନିର୍ମାଣ  କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଯାଇଛି | ଯାହାକୁ ମୁଖ୍ୟମନ୍ତ୍ରୀ ଆସନ୍ତାକାଲି ଉଦ୍ଘାଟନ କରିବାକୁ ଯାଉଛନ୍ତି |

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆସନ୍ତାକାଲି ଦିନ ୧୨ ଟାରେ ବିଜେପୁର ବ୍ଲକ ସ୍ଥିତ କନାପାଲୀ ଗ୍ରାମରେ ହେବାକୁଥିବା ସାଧାରଣ ସଭାରେ ଯୋଗଦାନ କରି ଗଙ୍ଗାଧର ମେହେର ଜଳସେଚନ ପ୍ରକଳ୍ପ , କେନ୍ସର ହସ୍ପିଟାଲ ଓ ୨୨ କୋଟି  ୭୮ ଲକ୍ଷ  ଟଙ୍କା ବିନିମୟରେ ନୃସିଂହନାଥପୀଠର ବିକାଶ ଓ ରୂପାନ୍ତରଣର ଉଦଘାଟନ କରିବେ | ସେହିପରି ୩୪୨ କୋଟି ୬୯ ଲକ୍ଷ ୬୩ ହଜାର ଟଙ୍କା ବ୍ୟୟରେ ୫୯ ଗୋଟି ବିଭିନ୍ନ ଉନ୍ନୟନ ମୂଳକ ପ୍ରକଳ୍ପର ଶୁଭ ଉଦଘାଟନ କରିବେ ଏବଂ ୨୬୩ କୋଟି ୩୩ ଲକ୍ଷ ୧୮ ହଜାର ଟଙ୍କା ବ୍ୟୟରେ ନୂତନ ୨୧ ଗୋଟି ବିଭିନ୍ନ ଉନ୍ନୟନ ମୂଳକ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିବେ |

Leave A Reply

Your email address will not be published.