Latest Odisha News

BREAKING NEWS

ସ୍କଚ୍ ଆଓ୍ୱାର୍ଡ ପରେ ଜଗତସିଂହପୁର ଓ ନବରଙ୍ଗପୁର ଜିଲ୍ଲାପାଳଙ୍କୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: କୋଭିଡ୍ ପରିଚାଳନାରେ ଉଲ୍ଲେଖନୀୟ ପ୍ରଦର୍ଶନ ପାଇଁ ଜଗତସିଂହପୁର ଓ ନବରଙ୍ଗପୁର ଜିଲ୍ଲାକୁ ଜାତୀୟସ୍ତରର ସ୍କଚ୍ ଆୱାର୍ଡ-୨୦୨୦ ମିଳିଛି । ଅନ୍‌ଲାଇନ୍ ମାଧ୍ୟମରେ ଏହି ପୁରସ୍କାର ଉତ୍ସବ କରାଯାଇଥିଲା । ଏହି ସଫଳତା ପରେ ଉଭୟ ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ନବୀନ ଟ୍ୱିଟ୍ କରି ଲେଖିଛନ୍ତି ଗୋଷ୍ଠୀ ସଚେତନତା, ଆଧୁନିକ ଟେକ୍ନୋଲୋଜିର ବ୍ୟବହାର ଓ ପଞ୍ଚାୟତିରାଜ ବ୍ୟବସ୍ଥାର ସହଭାଗିତାରେ ରାଜ୍ୟ ସରକାର କରୋନା ପରିସ୍ଥିତିର ଦୃଢ଼ ମୁକାବିଲା କରୁଛନ୍ତି ।

ଗତକାଲି ପ୍ରଦାନ କରାଯାଇଛି ସ୍କଚ୍ ସିଲଭର୍ ଆଓ୍ୱାର୍ଡ । ଜଗତସିଂହପୁର ଜିଲ୍ଲାପାଳ ସଂଗ୍ରାମ କିଶୋର ମହାପାତ୍ର ଏହାକୁ ଗ୍ରହଣ କରିଥିଲେ । ସ୍କଚ୍ ଗ୍ରୁପ୍ ପକ୍ଷରୁ କରାଯାଇଥିବା ୱେବ୍‌ନାରରେ ଯୋଗ ଦେଇଥିଲେ ୪ ଶହରୁ ଅଧିକ ବରିଷ୍ଠ ପ୍ରଶାସନିକ ଅଧିକାରୀ, ପ୍ୟାନେଲିଷ୍ଟ ଓ ବୁଦ୍ଧିଜୀବୀ । କୋଭିଡ୍ ପରିଚାଳନା କ୍ଷେତ୍ରରେ ନୋମିନେଟ୍ ହୋଇଥିବା ଦେଶର ବିଭିନ୍ନ ଜିଲ୍ଲାର ଜିଲ୍ଲାପାଳମାନେ ସେମାନଙ୍କ କୋଭିଡ୍ ପରିଚାଳନା ଶୈଳୀ ଉପରେ ମତ ଉପସ୍ଥାପନ କରିଥିଲେ ।
ଫାଇନାଲ୍ ରାଉଣ୍ଡକୁ ଯାଇଥିଲେ ଓଡ଼ିଶାର ଜଗତସିଂହପୁର, ସୁବର୍ଣ୍ଣପୁର ଓ ନବରଙ୍ଗପୁର ଜିଲ୍ଲା । ଶେଷରେ ଓଡ଼ିଶାର ଜଗତସିଂହପୁର ଓ ନବରଙ୍ଗପୁର ଜିଲ୍ଲାକୁ ସ୍କଚ୍ ସିଲ୍‌ଭର୍ ଆୱାର୍ଡ ପ୍ରଦାନ କରାଯାଇଥିଲା । ଏହି ସମ୍ମାନ ପରେ ବିଭିନ୍ନ ମହଲରେ ଉତ୍ସାହ ଦେଖିବାକୁ ମିଳିଛି ।

Leave A Reply

Your email address will not be published.