Latest Odisha News

BREAKING NEWS

ଟୋକିଓରେ ଓଡ଼ିଶା ବିଜନେସ ମିଟକୁ ସମ୍ବୋଧିତ କଲେ ମୁଖ୍ୟମନ୍ତ୍ରୀ, ପୁଞ୍ଜିପତିଙ୍କୁ କଲେ ଆମନ୍ତ୍ରଣ

ଟୋକିଓର ଓକୁରାରେ ଆୟୋଜିତ ହୋଇଛି ଓଡ଼ିଶା ବିଜନେସ ମିଟ୍ ୨୦୨୩ । ଏହାକୁ ସମ୍ବୋଧିତ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଓଡ଼ିଶାରେ ଶିଳ୍ପର ସମ୍ଭାବନା ନେଇ ପୁଞ୍ଜିପତିଙ୍କୁ ଅବଗତ ସହ ଓଡ଼ିଶାରେ ନିବେଶ ପାଇଁ ଆମନ୍ତ୍ରଣ କରିଛନ୍ତି । ଏଥିରେ ଜାପାନ ଓ ଭାରତୀୟ ଉପ ମହାସାଗରୀୟ ଅଞ୍ଚଳର ୨ଶହରୁ ଅଧିକ ଶିଳ୍ପପତି, ବ୍ୟବସାୟୀ ଓ ନିବେଶକ ଯୋଗ ଦେଇଥିଲେ । ଯୋଗ ଦେଇଥିବା ଶିଳ୍ପପତି ଓ ବ୍ୟବସାୟୀମାନଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଓଡ଼ିଶାରେ ନିବେଶ ପାଇଁ ରହିଥିବା ଭରପୁର ସୁଯୋଗ, ସମ୍ଭାବନା ଓ ରାଜ୍ୟ ସରକାରଙ୍କର ଉତ୍ତମ ଶିଳ୍ପନୀତି ସମ୍ପର୍କରେ ବୁଝାଇଥିଲେ । ଏଥିସହ ଓଡ଼ିଶାକୁ ଆସି ଶିଳ୍ପ ପ୍ରତିଷ୍ଠା କରିବାକୁ ପୁଞ୍ଜିପତି ମାନଙ୍କୁ ଆହ୍ବାନ କରିଥିଲେ ମୁଖ୍ୟମନ୍ତ୍ରୀ।

ସୂଚନା ଅନୁସାରେ ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ଜାପାନରେ ଅବସ୍ଥାପିତ ପ୍ରବାସୀ ଓଡ଼ିଆଙ୍କ ସହ ଆଲୋଚନା କରିବା ସହ ନୈଶ୍ୟ ଭୋଜିରେ ସାମିଲ ହେବେ । ଆସନ୍ତାକାଲି ରାଜ୍ୟ ସରକାରଙ୍କ ଏକ ପ୍ରତିନିଧି ଦଳ ନିପନ ଷ୍ଟିଲ କର୍ପୋରେସନର କିମିସୁ ଷ୍ଟିଲ ୱାର୍କସ ସେଣ୍ଟର ପରିଦର୍ଶନ କରିବେ । ଏହାସହ ମେଟାଲ, ଆଇଟି, ପର୍ଯ୍ୟଟନ, ଆଲୁମିନିୟମ, ଟେକ୍ସଟାଇଲ, ଖାଦ୍ୟ ପ୍ରକ୍ରିୟାକରଣ ଓ ଗ୍ରୀନ୍ ହାଇଡ୍ରୋଜେନ୍ କ୍ଷେତ୍ରର ହବ ମଧ୍ୟ ବୁଲିବେ ।

ନବୀନଙ୍କ ସହ ଶିଳ୍ପ ମନ୍ତ୍ରୀ ପ୍ରତାପ ଦେବ, ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା, ଶିଳ୍ପ ବିଭାଗର ପ୍ରମୁଖ ସଚିବ ହେମନ୍ତ ଶର୍ମା, ଇଲେକ୍ଟ୍ରୋନିକ୍ସ ଓ ଆଇଟି ସଚିବ ମନୋଜ ମିଶ୍ର, 5T ସଚିବ ଭି.କେ ପାଣ୍ଡିଆନ, କ୍ରୀଡ଼ା ଓ ଯୁବ ବ୍ୟାପାର ସଚିବ ଓ ଇପିକଲର ପରିଚାଳନା ନିର୍ଦ୍ଦେଶକ ପ୍ରମୁଖ ଜାପାନ ଗସ୍ତରେ ସାମିଲ ହୋଇଛନ୍ତି । କ୍ଷେତ୍ର ପରିଦର୍ଶନ ସମୟରେ ଜାପାନର ପୁଞ୍ଜିପତିଙ୍କ ସହ ମୁଖ୍ୟମନ୍ତ୍ରୀ ଓ ପ୍ରତିନିଧି ଦଳ ଆଲୋଚନା କରିବେ। ଜାପାନ ଗସ୍ତ ପୁରା ଓଡ଼ିଶାକୁ ଉତ୍ସାହିତ କରିଛି ଓ ବିଦେଶରୁ ବଡ଼ ପୁ୍ଞ୍ଜି ଆସିବ ବୋଲି ଆଶା ରଖିଛନ୍ତି ରାଜ୍ୟ ସରକାର ।

Leave A Reply

Your email address will not be published.