Latest Odisha News

BREAKING NEWS

ଆଜି ରାଷ୍ଟ୍ରୀୟ କୃଷକ ଦିବସ: ଟ୍ୱିଟ କରି କୃଷକଙ୍କୁ ଶୁଭେଚ୍ଛା ଜଣାଇଲେ ନବୀନ

ଭୁବନେଶ୍ୱର: ଜୟ ଯବାନ, ଜୟ କିଷାନ । ଏହାର ଅର୍ଥ ଦେଶକୁ ସୁରକ୍ଷା ଦେଉଥିବା ଯବାନର ଜୟ ଓ ଦେଶର ଅନ୍ନଦାତା କୃଷକ କିଷାନର ଜୟ ।

ଆଜି ରାଷ୍ଟ୍ରୀୟ କୃଷକ ଦିବସ । ଦେଶ ପ୍ରତି କୃଷକ ମାନଙ୍କ ଅବଦାନକୁ ଲୋକଙ୍କ ମନରେ ଉଜ୍ଜୀବିତ ରଖିବା ନିମନ୍ତେ ସ୍ୱାଧୀନ ଭାରତର ପଞ୍ଚମ ପ୍ରଧାନମନ୍ତ୍ରୀ ଚୌଧୁରୀ ଚରଣ ସିଂ ନିଜ ଜନ୍ମଦିନ ଡିସେମ୍ବର ୨୩ କୁ ଜାତୀୟ କୃଷକ ଦିବସ ରୂପେ ଘୋଷଣା କରାଇଥିଲେ ।

ନିଜେ ଜଣେ କୃଷକ ନେତା ଥିବା ଚୌଧୁରୀ ଚରଣ ସିଂ ଭାରତର କୃଷକମାନଙ୍କ ଜୀବନଶୈଳୀକୁ ଉନ୍ନତ ମାନର କରାଇବା ନିମନ୍ତେ ଅନେକ ଯୋଜନା ମଧ୍ୟ କାର୍ଯ୍ୟକାରୀ କରାଇଥିଲେ ।

ବିଶ୍ୱକୁ ଖାଦ୍ୟ ଯୋଗାଇ କ୍ଷୁଧାମୁକ୍ତ ସମାଜ ଗଠନରେ କରିବାରେ କୃଷକଙ୍କ ଅବଦାନ ନିମନ୍ତେ ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମସ୍ତ କୃଷକ ଭାଇଭଉଣୀ ମାନଙ୍କୁ ଶୁଭେଚ୍ଛା ପ୍ରଦାନ କରିଛନ୍ତି ।

ଭୂତପୂର୍ବ ପ୍ରଧାନମନ୍ତ୍ରୀ ତଥା ମହାନ କୃଷକ ନେତା ଚରଣ ସିଂଙ୍କ ଜନ୍ମଦିନ ଅବସରରେ ପ୍ରଧାନମନ୍ତ୍ରୀ ମୋଦୀ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି । ଭାରତ ସମେତ ଆହୁରି ଅନେକ ଦେଶ ଏହି ଦିନକୁ କୃଷକ ଦିବସ ଭାବରେ ପାଳନ କରନ୍ତି ।

ଓଡ଼ିଶାରେ କୃଷକ:

ଓଡିଶାକୁ ଏକ କୃଷି ପ୍ରବଣ ରାଜ୍ୟ ଭାବେ ବିବେଚନା କରାଯାଏ । ଆମରାଜ୍ୟର ମୋଟ ଜନସଂଖ୍ୟାର ଦୁଇ ତୃତୀୟାଂଶ ଲୋକ କୃଷି ଉପରେ ନିର୍ଭରଶୀଳ । ତେବେ ଚାଷ ସମ୍ବନ୍ଧୀୟ ଜ୍ଞାନ କୌଶଳର ଅଭାବ ସାଙ୍ଗକୁ ଉନ୍ନତ ପଦ୍ଧତିର ଚାଷ ପ୍ରଣାଳୀକୁ ଉପଲ୍ଲବ୍ଧ କରାଇବା ସହିତ ଉତ୍ପାଦିତ ସାମଗ୍ରୀକୁ ଉପଯୁକ୍ତ ମୂଲ୍ୟରେ ବିକ୍ରି କରାଇବାର ବ୍ୟବସ୍ଥାର ଅଭାବ ଯୋଗୁଁ ଚାଷୀଙ୍କ ପରିସ୍ଥିତି ଏବେ ସଙ୍ଗିନ କହିଲେ ଅତ୍ୟୁକ୍ତି ହେବ ନାହିଁ ।

ସରକାର ବିଭିନ୍ନ ପ୍ରକାର ଶସ୍ୟ , ପନିପରିବା ଉତ୍ପାଦନ ସାଙ୍ଗକୁ କୃଷି ଆନୁଷଙ୍ଗିକ ବୃତ୍ତି ପ୍ରତି ଗୁରୁତ୍ୱାରୋପ କରି କୃଷି ବିକାଶ ପ୍ରକ୍ରିୟା କୁ ତ୍ବରାନିତ କଲେ ଏଭଳି ସମସ୍ୟାର ସମାଧାନ ହେବା ନେଇ ସମ୍ଭାବନା ରହିଛି ।

ଓଡ଼ିଶାରେ କୃଷି ବିଶ୍ୱବିଦ୍ୟାଳୟ:

୧୯୬୩ ମସିହାରେ ଓଡିଶାରେ କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ (ଓୟୁଟି) ପ୍ରତିଷ୍ଠା ହୋଇଥିଲା । ଏହାକୁ ଉଦଘାଟନ କରିଥିଲେ ଯୁକ୍ତରାଷ୍ଟ୍ର ଆମେରିକାର ଭାରତରେ ଅବସ୍ଥାପତି ତତ୍କାଳୀନ ରାଷ୍ଟ୍ରଦୂତ ପ୍ରଫେସର ଗଲବ୍ରେଥ ଓ ଓଡିଶାର ତତ୍କାଳୀନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ ।

ଏହି ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ହୋଇଥିଲା ଆମେରିକାର ଲାଣ୍ଡ ଗ୍ରାଣ୍ଡ କଲେଜ ଢାଞ୍ଚାରେ । ଭାରତର ଉତ୍ତରପ୍ରଦେଶର ପନ୍ଥ ନଗରଠାରେ ସ୍ଥାପିତ ହୋଇଥିଲା ଦେଶର ପ୍ରଥମ କୃଷି ବିଶ୍ୱବିଦ୍ୟାଳୟ ଆଉ ଓୟୁଏଟି ଥିଲା ଦ୍ଵିତୀୟ କୃଷି ବିଶ୍ୱବିଦ୍ୟାଳୟ । ଏହି ବିଶ୍ୱବିଦ୍ୟାଳୟ ସ୍ଥାପନର ମୁଖ୍ୟ ଉଦ୍ଦେଶ୍ୟ ଥିଲା ତୃଣମୂଳ ସ୍ତରରେ ଚାଷୀମାନଙ୍କର ସମସ୍ୟାକୁ ଅନୁଧ୍ୟାନ କରି ସେହି ସମସ୍ୟାଗୁଡିକୁ ବିଶ୍ୱବିଦ୍ୟାଳୟର ଗବେଷଣାଗାରକୁ ଆଣି ସେଠି ପରୀକ୍ଷାନିରୀକ୍ଷା କରି ସମାଧାନର ପନ୍ଥା ବାହାର କରିବା । ତାପରେ ସେହି ପନ୍ଥାକୁ ଚାଷୀମାନଙ୍କ ନିକଟରେ ପହଞ୍ଚାଇ ପ୍ରକୃତ ଚାଷ କ୍ଷେତ୍ରରେ ପ୍ରୟୋଗ କରିବା ପୁନଶ୍ଚ ସମସ୍ୟା ଉପୁଜିଲେ ତାଙ୍କୁ ମଧ୍ୟ ଗବେଷଣାଗାରକୁ ଆଣି ସମସ୍ୟାର ସମାଧାନ ପଥ ବାହାର କରିବା । ଏହା ଏକ ନିରନ୍ତର ପ୍ରକ୍ରିୟା ରୂପେ କାର୍ଯ୍ୟ କରି ଚାଷୀମାନଙ୍କୁ ଆତ୍ମନିର୍ଭରଶୀଳ କରାଇବ । ଏହାକୁ କୁହାଯାଉଥିଲା କ୍ଷେତର ଗବେଷଣା ଗାର ।

ଖାଦ୍ୟ ବିନା ଜୀବନର କଳ୍ପନା ଅସମ୍ଭବ ହୋଇଥିବା ବେଳେ ରାଜ୍ୟ ତଥା ଦେଶର ଆବଶ୍ୟକତାକୁ ପୂରଣ କରୁଥିବା କୃଷକ ମାନଙ୍କ ପାଖରେ ପ୍ରତ୍ୟେକଟି ନାଗରିକ ଚିର ଋଣୀ ଅଟେ।

ତଥାପି ଦେଶର କୃଷକ ଆଜିବି ଅଭାବ ଅନାଟନ ତଥା ଅସୁବିଧା ମଧ୍ୟ ଦେଇ ଗତି କରୁଛି । କେଉଁଠି ଋଣ ଭାରରେ ଆତ୍ମହତ୍ୟାର ତ ଆଉ କେଉଁଠି ଚାଷୀ ଆନ୍ଦୋଳନର ସମ୍ବାଦ ପ୍ରତିଦିନ ଖବରକାଗଜର ପୃଷ୍ଠା ମଣ୍ଡନ କରୁଛି ।

ଦେଶର ଅନ୍ନଦାତା କୃଷକ ମାନଙ୍କ ସମସ୍ୟାର ଅନ୍ତ କେବେ ଘଟିବ ତାହା ବର୍ତ୍ତମାନ ସମୟରେ ଏକ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

Leave A Reply

Your email address will not be published.