ଭୁବନେଶ୍ୱର: ଆଜି ଲୋକସେବା ଭବନ କନଭେନ୍ସନ୍ ସେଣ୍ଟରରେ ରାଜ୍ୟସ୍ତରୀୟ ବନ ଅଧିକାରୀ ସମ୍ମିଳନୀ ଆୟୋଜିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଯୋଗଦେଇ ଉପସ୍ଥିତ ବନ ଅଧିକାରୀମାନଙ୍କୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି ଯେ, ବୃକ୍ଷରୋପଣ କାର୍ଯ୍ୟକ୍ରମରେ ଜନବସତି ଅଞ୍ଚଳରେ ଏପରି ଗଛ ଲଗାଇବା ଉଚିତ ଯାହା ଲୋକଙ୍କୁ ଫଳ, ପୁଷ୍ପ ପ୍ରଦାନ କରୁଥିବା ସହିତ ଛାୟା ପ୍ରଦାନ କରିପାରିବ । ତେବେ ଯାଇ ଲୋକମାନେ ଏସବୁ ବୃକ୍ଷର ଉପଯୁକ୍ତ ଯତ୍ନ ନେବେ ।
ସେହିଭଳି ପଥପାର୍ଶ୍ୱ ବୃକ୍ଷରୋପଣ କାର୍ଯ୍ୟକ୍ରମରେ ଲୋକମାନଙ୍କ କାମରେ ଲାଗିଲା ଭଳି ଗଛ ରୋପଣ କରନ୍ତୁ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ରାଜ୍ୟସ୍ତରୀୟ ବନ ଅଧିକାରୀ ସମ୍ମିଳନୀରେ ଉପସ୍ଥିତ ବନଖଣ୍ଡ ଅଧିକାରୀମାନଙ୍କୁ ପରାମର୍ଶ ଦେଇଛନ୍ତି ।
ମୁଖ୍ୟମନ୍ତ୍ରୀ ଆହୁରି କହିଥିଲେ ଯେ, ଆମ ରାଜ୍ୟର ଏକ-ଚତୁର୍ଥାଂଶ ଲୋକ ହେଉଛନ୍ତି ଆଦିବାସୀ ସଂପ୍ରଦାୟର ଲୋକ । ସେମାନେ ମୁଖ୍ୟତଃ ବଣ ଜଙ୍ଗଲ ଏବଂ ଏହାର ଆଖପାଖ ଅଞ୍ଚଳରେ ବସବାସ କରନ୍ତି । ସେମାନଙ୍କ ପାଇଁ ସଂଘର୍ଷହୀନ ସହାବସ୍ଥାନ ସୃଷ୍ଟି ଓ ସେମାନଙ୍କ ସୁରକ୍ଷା କରିବା ହେଉଛି ସରକାରଙ୍କ ନୈତିକ ଦାୟିତ୍ୱ । ବନ ଅଧିକାରୀମାନେ ସମସ୍ତେ ମୁଖ୍ୟତଃ ଗରିବ, ଆଦିବାସୀ, ଦଳିତ ବର୍ଗ ଲୋକଙ୍କ ସହିତ ମିଳାମିଶା କରୁଛନ୍ତି । ଜଙ୍ଗଲ ସୁରକ୍ଷା ନିୟମ ପାଳନ ସମୟରେ ସେମାନଙ୍କ ସହ ସମ୍ବେଦନଶୀଳତା ସହ ବ୍ୟବହାର କରିବା ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ ।
ଏଥି ସହିତ ହାତୀ ମନୁଷ୍ୟ ସଂଘର୍ଷକୁ ହ୍ରାସ କରିବା ପାଇଁ ବିଭାଗ ପକ୍ଷରୁ ଜଙ୍ଗଲ ଭିତରେ ହାତୀ ଖାଦ୍ୟ ପାଇଁ ଧାନ ଚାଷ କରିବା ପାଇଁ ବିଭାଗକୁ ସେ ପରାମର୍ଶ ଦେଇଥିଲେ ।
ମୁଖ୍ୟମନ୍ତ୍ରୀ ଆହୁରି କହିଥିଲେ, ”ପରିବେଶ ସୁରକ୍ଷା ପାଇଁ ବୃକ୍ଷରୋପଣ ଅତ୍ୟନ୍ତ ଆବଶ୍ୟକ । ବୃକ୍ଷରୋପଣ ସହିତ ତା’ର ସୁରକ୍ଷା, ପରିଚାଳନା ଓ ତଥା ସବୁଜ ବଳୟ ବୃଦ୍ଧି ପ୍ରତି ଆମକୁ ଦୃଷ୍ଟି ଦେବାକୁ ପଡିବ । ଏଥିସହିତ ବନ୍ୟପ୍ରାଣୀଙ୍କ ସୁରକ୍ଷା ପ୍ରତି ମଧ୍ୟ ମୁଖ୍ୟମନ୍ତ୍ରୀ ଗୁରୁତ୍ୱ ଦେଇଥିଲେ । ବନ୍ୟପ୍ରାଣୀ ଶିକାର ରୋକିବା, ଜଙ୍ଗଲ ନିଆଁ ରୋକିବାରେ ଜଙ୍ଗଲ ବିଭାଗ ଭଲ କାମ କରୁଛି । ତଥାପି ଏ କ୍ଷେତ୍ରରେ ଶତ ପ୍ରତିଶତ ସଫଳତା ହାସଲ କରିବାକୁ ପଡିବ ”।
ଏହା ସହ ଆବଶ୍ୟକ ସ୍ଥଳେ ବ୍ୟାପକ ଜନସଚେତନ ସୃଷ୍ଟି ସହିତ ନୂଆ ଟେକ୍ନୋଲୋଜିର ପ୍ରୟୋଗ କରିବା ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ । ଜଙ୍ଗଲ ସୁରକ୍ଷା ପାଇଁ ସ୍ୱେଚ୍ଛାସେବୀ ସଂଗଠନ, ନାଗରିକ ସୁରକ୍ଷା ମଞ୍ଚ ଇତ୍ୟାଦିର ସହଯୋଗ କାମନା କରିଥିଲେ। ଏଥିସହିତ ଜଙ୍ଗଲ ସୁରକ୍ଷା କ୍ଷେତ୍ରରେ କେନ୍ଦୁଝର ଜିଲ୍ଲାର ପ୍ରମିଳା ପ୍ରଧାନଙ୍କ ଉଦ୍ୟମକୁ ମୁଖ୍ୟମନ୍ତ୍ରୀ ଧନ୍ୟବାଦ ଦେଇଥିଲେ ।
ମୁଖ୍ୟମନ୍ତ୍ରୀ ୨୦୩୬ ସମୃଦ୍ଧ ଓଡିଶା ଗଠନ ପାଇଁ ପରିକଳ୍ପନା କରାଯାଇଥିବା ସବୁଜ ଓଡିଶା ଗଠନର ଲକ୍ଷ୍ୟ ପୂରଣରେ ବିଭାଗୀୟ ଅଧିକାରୀଙ୍କ ନିଷ୍ଠାପର ଯୋଗଦାନ କାମନା କରିବା ସହିତ ବିଭାଗୀୟ କର୍ମଚାରୀ ଓ ଅଧିକାରୀଙ୍କ ଦକ୍ଷତା ବୃଦ୍ଧି ପାଇଁ ତାଲିମ୍ ଓ ଗବେଷଣା ଦିଗ ପ୍ରତି ଗୁରୁତ୍ୱାରୋପ କରି ଲୋକମାନଙ୍କ ସେବା କରିବା ପାଇଁ ଉତ୍ସର୍ଗୀକୃତ ମନୋଭାବ ନେଇ କାମ କରିବା ପାଇଁ ଆହ୍ୱାନ ଦେଇଥିଲେ ।
ଦୁର୍ନୀତି ବିରୋଧରେ ସରକାରଙ୍କ ଆଭିମୁଖ୍ୟ ଉପରେ ଆଲୋକପାତ କରି ମୁଖ୍ୟମନ୍ତ୍ରୀ କହିଲେ ଯେ, ବର୍ତ୍ତମାନର ସରକାର ଦୁର୍ନୀତି ବିରୋଧରେ ଶୂନ୍ୟସହନଶୀଳତା ନୀତି ଅବଲମ୍ବନ କରୁଛନ୍ତି । ତେଣୁ, ଅଧିକାରୀ ମାନେ ଦୁର୍ନୀତିରୁ ଦୂରରେ ରୁହନ୍ତୁ ବୋଲି ମୁଖ୍ୟମନ୍ତ୍ରୀ ସତର୍କ କରାଇଦେଇଥିଲେ ।
କାର୍ଯ୍ୟକ୍ରମରେ ଆଞ୍ଚଳିକ ଉଦ୍ଭିଦ ଗବେଷଣା କେନ୍ଦ୍ର, ଉଦ୍ୟାନ କୃଷି ବିଭାଗ ଏବଂ ଓଡିଶା ରାଜ୍ୟ ବିହନ ନିଗମ ମଧ୍ୟରେ ଏକ ତ୍ରିପାକ୍ଷିକ ଚୁକ୍ତିପତ୍ର ସ୍ୱାକ୍ଷର ହୋଇଥିଲା । ଏହାଦ୍ୱାରା ରାଜ୍ୟର କୃଷକ ମାନଙ୍କୁ ସୁଲଭ ମୂଲ୍ୟରେ ଉନ୍ନତ ମାନର ଫଳ ଚାରା ଯୋଗାଇ ଦିଆଯିବ । ଜଙ୍ଗଲ ସମ୍ପଦର ସଂରକ୍ଷଣ ଏବଂ ବିଭାଗର ସଫଳତା ଉପରେ ପର୍ଯ୍ୟବସିତ ଏକ କ୍ଷୁଦ୍ର ଚଳଚ୍ଚିତ୍ର ପ୍ରଦର୍ଶିତ ହୋଇଥିଲା ।
Comments are closed.