Latest Odisha News

BREAKING NEWS

ମୁଖ୍ୟମନ୍ତ୍ରୀ ବିଜେପୁର ଆସନ ଛାଡିବା ପଶ୍ଚିମ ଓଡିଶା ଲାଗି ଅପମାନ ସଦୃଶ: ବିଜେପି

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବରଗଡ ଜିଲ୍ଲା ବିଜେପୁର ବିଧାନସଭା ଆସନ ଛାଡିବା ନିଷ୍ପତ୍ତିକୁ ସୋମବାର ଦିନ ବିଜେପି ସମାଲୋଚନା କରିଛି ।

ଗଣମାଧ୍ୟମକୁ ସୂଚନା ଦେଇ ବିଜେପି ନେତା ଜୟନାରାୟଣ ମିଶ୍ର କହିଛନ୍ତି, “ବିପୁଳ ଭୋଟରେ ଜିତିଥିବା ବିଜେପୁର ଆସନକୁ ମୁଖ୍ୟମନ୍ତ୍ରୀ କ’ଣ ପାଇଁ ଛାଡୁଛନ୍ତି, ସେନେଇ ବୁଝିବା କଷ୍ଟକର । ତେବେ ଏହାର ପଛରେ ଯାହା କାରଣ ଥାଉନା କାହିଁକି, ନବୀନଙ୍କ ଏହି ନିଷ୍ପତ୍ତି ପଶ୍ଚିମ ଓଡିଶାବାସୀଙ୍କ ଲାଗି ଏକପ୍ରକାର ଅପମାନ ସଦୃଶ” ।

ଆହୁରି ମଧ୍ୟ ବିଜେପୁର ଉପନିର୍ବାଚନ ଜିତିବା ତଥା ଶାସକ ଦଳ ବିଜେଡିକୁ ପରାଜିତ କରିବା ଲାଗି ବିଜେପି ଜୋରଦାର୍ ପ୍ରଚେଷ୍ଟା କରିବ ବୋଲି ସେ ପ୍ରକାଶ କରିଛନ୍ତି ।

ଏହାର ପ୍ରତିଉତ୍ତର ଦେବାକୁ ଯାଇ ମୁହଁ ଖୋଲିଛନ୍ତି ବିଜେଡି ନେତା ନବ ଦାସ । ବିଜେପୁର ଆସନ ଛାଡିବା ଫଳରେ ମୁଖ୍ୟମନ୍ତ୍ରୀ ସେଠାକାର ଜନତାଙ୍କୁ ଅଣଦେଖା କରିବା ନେଇ ଯେଉଁ ଚର୍ଚ୍ଚା ହେଉଛି, ତାହା ସମ୍ପୂର୍ଣ୍ଣ ଭୁଲଧାରଣା ବୋଲି ଶ୍ରୀଯୁକ୍ତ ଦାସ କହିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯେ, କିଛିଦିନ ପୂର୍ବରୁ ମୁଖ୍ୟମନ୍ତ୍ରୀ ନବୀନ ବିଜେପୁରବାସୀଙ୍କ ଲାଗି ଏକ ସ୍ୱତନ୍ତ୍ର ପ୍ୟାକେଜ୍ ଘୋଷଣା କରିଥିଲେ ଏବଂ ସେ ବ୍ୟକ୍ତିଗତ ଭାବେ ବିଜେପୁରର ଉନ୍ନତି ଉପରେ ନଜର ରଖିବେ ବୋଲି ମଧ୍ୟ କହିଥିଲେ ।

“ତେଣୁ ମୁଖ୍ୟମନ୍ତ୍ରୀ ଦେଇଥିବା ପ୍ରତିଶୃତି ଉପରେ ପଶ୍ଚିମ ଓଡିଶାବାସୀ ଆଶା ଓ ଭରସା ରଖନ୍ତୁ ବୋଲି ଶ୍ରୀଯୁକ୍ତ ଦାସ ପ୍ରକାଶ କରିଛନ୍ତି” ।

Leave A Reply

Your email address will not be published.