Latest Odisha News

BREAKING NEWS

ଭାଙ୍ଗିଲା କାନପୁର କପର୍ ଡ୍ୟାମ୍…ବାଜିଲା ସାଇରନ;ଜଗି ରହିଛନ୍ତି ପୋଲିସ ପ୍ରଶାସନ

ବଡ଼ବିଲ:କେନ୍ଦୁଝର ଯୋଡ଼ା ବ୍ଲକ୍ ବାସୁଦେବପୁର ଠାରେ ବୈତରଣୀ ଉପରେ ନିର୍ମାଣାଧୀନ କାନୁପୁର ବୃହତ୍ ଜଳସେଚନ ପ୍ରକଳ୍ପର କପର୍ ଡ୍ୟାମ୍ ଭାଙ୍ଗିଯାଇଛି । ଯୋଡ଼ା ବ୍ଲକ୍ ବାସୁଦେବପୁର ଠାରେ ନିର୍ମାଣାଧୀନ କାନୁପୁର ବୃହତ୍ ଜଳସେଚନ ପ୍ରକଳ୍ପ କପର୍ ଡ୍ୟାମ୍ ଭାଙ୍ଗିଲା । ଗୁରୁବାର ସକାଳ ପ୍ରାୟ ୭ଟା ୩୦ ମିନିଟ୍ ରେ ମାଟି ବନ୍ଧ ବା କପର୍ ଡ୍ୟାମ୍ ଭାଙ୍ଗିବା ପରେ ମୁଖ୍ୟ ଡ୍ୟାମର ୬ଟି ରେଡିୟାଲ ଏବଂ ୨ଟି ଡିପ୍ଲିସନ୍ ସ୍କୁଇସ୍ ଗେଟ୍ ଖୋଲାଯାଇଛି । ୮ ଟି ଗେଟ୍ ମାଧ୍ୟମରେ ପ୍ରତି ସେକେଣ୍ଡକୁ ୫୦୦ ରୁ ୭୦୦ କ୍ୟୁସେକ୍ ବନ୍ୟାଜଳ ଛଡ଼ା ଯାଉଛି । ଡ୍ୟାମ୍ ଅଞ୍ଚଳରେ ସତର୍କ ସାଇରନ୍ ବାଜା ଯାଇଛି । ପୋଲିସ ପ୍ରଶାସନ ଘଟଣା ସ୍ଥଳରେ ଜଗି ରହିଛନ୍ତି ।

ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁଁ ଡ୍ୟାମରେ ବିପୁଳ ପରିମାଣର ବର୍ଷାଜଳ ପ୍ରବେଶ କରୁଥିବାରୁ ଏହି ମାଟିବନ୍ଧ ଭାଙ୍ଗିଯାଇଛି । ଡ୍ୟାମର ସ୍ଥିତି ପରଖିବା ପାଇଁ ଚମ୍ପୁଆ ଉପଜିଲ୍ଲାପାଳ, ବଡ଼ବିଲ ତହସିଲଦାର ଡ୍ୟାମ କତ୍ତୃପକ୍ଷଙ୍କ ସହିତ ଡ୍ୟାମ ପରିଦର୍ଶନ କରି ଡ୍ୟାମର ସ୍ଥିତି ପରଖିଛନ୍ତି ।

ଲୋକଙ୍କୁ ନଦୀ ନିକଟକୁ ନଯିବା, ନଦୀ ପାର ହେବା କିମ୍ବା ପାଣିରେ ପ୍ରବେଶ ନକରିବାକୁ, ଛୋଟ ପିଲା ଓ ଗୃହପାଳିତ ପଶୁଙ୍କୁ ଦୂରରେ ରଖିବାକୁ ପରାମର୍ଶ ଦିଆଯାଇଛି। ପ୍ରଶାସନର ସୂଚନା କିମ୍ବା ସ୍ଥାନାନ୍ତର ନିର୍ଦ୍ଦେଶକୁ ତୁରନ୍ତ ପାଳନ କରିବା, ଗୁଜବ ପ୍ରଚାର ନକରିବା, କେବଳ ସରକାରୀ ସୂଚନା ଉପରେ ବିଶ୍ୱାସ କରିବାକୁ କୁହାଯାଇଛି ।

ଆସନ୍ତା ଜୁଲାଇ ଶେଷ ସୁଦ୍ଧା ନିର୍ମାଣାଧୀନ କାନୁପୁର ଡ୍ୟାମର ପ୍ରକଳ୍ପ କାର୍ଯ୍ୟ ଶେଷ ପାଇଁ ଲକ୍ଷ୍ୟ ରଖାଯାଇଥିଲା। ଏଥିପାଇଁ ୨ଟି ଡିପ୍ଲିସନ୍ ସ୍ଲୁଇସ୍ ଗେଟ୍ ଏବଂ ୫ ଟି ରେଡିୟଲ ଗେଟ୍ ନିର୍ମାଣ କାର୍ଯ୍ୟ ପାଇଁ ଅସ୍ଥାୟୀ ଭାବେ ମାଟି ପକାଇ ନିର୍ମାଣ ଏହି କପର ଡ୍ୟାମ କରାଯାଇଥିଲା । ମାତ୍ର ଲଗାଣ ବର୍ଷା ଫଳରେ ଏବେ ଧାର୍ଯ୍ୟ ସମୟ ସୀମା ମଧ୍ୟରେ ପ୍ରକଳ୍ପ ଶେଷ ହେବା ଦେଖାଯାଉନାହିଁ । ଗତ ବର୍ଷ ମଧ୍ୟ ସମାନ ପରିସ୍ଥିତି ଉପୁଜିଥିଲା । ତେବେ ଆଗକୁ ଏହାର ବଳକା ନିର୍ମାଣ କାର୍ଯ୍ୟ କେବେ ସମ୍ପୂର୍ଣ୍ଣ ହେବ ସେ ନେଇ ମଧ୍ୟ ଆଶଙ୍କା ଦେଖାଦେଇଛି ।


 

 

Comments are closed.