Latest Odisha News

BREAKING NEWS

Unparliamentary Words: ସଂସଦରେ କେଉଁ ଶବ୍ଦ କହିବା ମନା? ରାହୁଲଙ୍କ ବୟାନରେ ବିବାଦ, ଜାଣନ୍ତୁ ଅସଂସଦୀୟ ଶବ୍ଦ କ’ଣ?

ନୂଆଦିଲ୍ଲୀ: ଲୋକସଭାର ମୌସୁମୀ ଅଧିବେଶନରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ଭାଷଣକୁ ନେଇ ବଡ଼ ବିବାଦ ଦେଖାଦେଇଛି। ଭାଷଣ ସମୟରେ ସେ “ଅନ୍ଧଭକ୍ତ” ଓ “ଇଡିଏଟ୍ ବା ମୂର୍ଖ” ଭଳି ଶବ୍ଦ ବ୍ୟବହାର କରିଥିବା ଅଭିଯୋଗ କରି ବିଜେପି ତୀବ୍ର ପ୍ରତିବାଦ କରିଥିଲା। କେନ୍ଦ୍ର ସଂସଦୀୟ ବ୍ୟାପାର ମନ୍ତ୍ରୀ କିରନ ରିଜିଜୁ ଲୋକସଭା ବାଚସ୍ପତିଙ୍କ ନିକଟରେ ଏଭଳି ଅସଂସଦୀୟ ମନ୍ତବ୍ୟକୁ କାର୍ଯ୍ୟବିବରଣୀରୁ ବାଦ ଦେବାକୁ ଦାବି କରିଥିଲେ। ପରେ ବାଚସ୍ପତି ଉକ୍ତ ଶବ୍ଦଗୁଡ଼ିକୁ ରେକର୍ଡରୁ ବାଦ ଦେବାକୁ ନିର୍ଦ୍ଦେଶ ଦେଇଥିଲେ।

ଏହି ଘଟଣା ପରେ ମନକୁ ଏକ ପ୍ରଶ୍ନ ଆସେ, କ’ଣ ସଂସଦରେ ପ୍ରକୃତରେ କିଛି ଶବ୍ଦ କହିବା ଉପରେ ନିଷେଧ ରହିଛି କି? ଏନେଇ କ’ଣ କହୁଛି ନିୟମ?

ଅସଂସଦୀୟ ଶବ୍ଦ କାହାକୁ କୁହାଯାଏ?

ସଂସଦରେ ସାଂସଦମାନଙ୍କୁ ସମ୍ବିଧାନର ଧାରା ୧୦୫(୨) ଅନୁଯାୟୀ ମୁକ୍ତ ଭାବରେ କହିବାର ସୁରକ୍ଷା ମିଳିଥାଏ। କିନ୍ତୁ ଏହି ସ୍ୱାଧୀନତା ସଂସଦର ନିୟମ ଓ ବାଚସ୍ପତିଙ୍କ ନିଷ୍ପତ୍ତି ଅଧୀନରେ ରହିଥାଏ। ଯଦି କୌଣସି ସାଂସଦ ଏପରି ଶବ୍ଦ ବ୍ୟବହାର କରନ୍ତି ଯାହା ଅପମାନଜନକ, ଅଶାଳୀନ, ମାନହାନିକାରକ, ଅସଭ୍ୟ କିମ୍ବା ସଦନର ମର୍ଯ୍ୟାଦା ବିରୋଧୀ, ତେବେ ତାହାକୁ ଅସଂସଦୀୟ ବୋଲି ଗଣାଯାଇପାରେ।

କୌଣସି ସ୍ଥାୟୀ ‘ବ୍ୟାନ୍’ ଶବ୍ଦ ତାଲିକା ଅଛି କି?

ନା, ସଂସଦରେ ସ୍ଥାୟୀ ଭାବେ ନିଷିଦ୍ଧ ଶବ୍ଦର କୌଣସି ତାଲିକା ନାହିଁ। ଲୋକସଭା ସଚିବାଳୟ “ଅସଂସଦୀୟ ଶବ୍ଦ ଓ ବାକ୍ୟାଂଶ (Unparliamentary Expressions)” ନାମରେ ଏକ ସନ୍ଦର୍ଭ ପୁସ୍ତିକା ପ୍ରକାଶ କରିଥାଏ। ଏଥିରେ ପୂର୍ବରୁ ବିଭିନ୍ନ ସଂସଦ ଓ ବିଧାନସଭାରେ ରେକର୍ଡରୁ ବାଦ ହୋଇଥିବା ହଜାର ହଜାର ଶବ୍ଦ ଓ ବାକ୍ୟାଂଶ ସଂକଳିତ ରହିଛି। ତେବେ ଏହା ‘ନିଷିଦ୍ଧ ଶବ୍ଦ ତାଲିକା’ ନୁହେଁ, ବରଂ ଏକ ରେଫରେନ୍ସ ବୁକ୍। ଅର୍ଥାତ୍ କୌଣସି ଶବ୍ଦ ଅସଂସଦୀୟ କି ନୁହେଁ, ତାହା ପ୍ରସଙ୍ଗ ଦେଖି ବାଚସ୍ପତି କିମ୍ବା ସଭାପତି ନିଷ୍ପତ୍ତି ନେଇଥାନ୍ତି।

କେଉଁ ନିୟମରେ ଏହି ବ୍ୟବସ୍ଥା ରହିଛି?

ଲୋକସଭାର ରୁଲ୍ ୩୮୦ ଅନୁଯାୟୀ, ବାଚସ୍ପତିଙ୍କୁ ଯଦି ଲାଗେ ଯେ କୌଣସି ଶବ୍ଦ ଅପମାନଜନକ, ଅଶାଳୀନ, ଅସଂସଦୀୟ କିମ୍ବା ସଦନର ଗରିମା ବିରୋଧୀ, ତେବେ ସେ ତାହାକୁ କାର୍ଯ୍ୟବିବରଣୀରୁ ବାଦ ଦେବାକୁ ନିର୍ଦ୍ଦେଶ ଦେଇପାରିବେ। ରୁଲ୍ ୩୮୧ ଅନୁଯାୟୀ, ବାଦ ଦିଆଯାଇଥିବା ଅଂଶକୁ ତାରକା (*) ଚିହ୍ନ ସହ ” ଅଧ୍ୟକ୍ଷଙ୍କ ନିର୍ଦ୍ଦେଶକ୍ରମେ ବାଦ ଦିଆଯାଇଛି (Expunged as ordered by the Chair)” ବୋଲି ଉଲ୍ଲେଖ କରାଯାଏ।

କେଉଁ ଶବ୍ଦ ପୂର୍ବରୁ ରେକର୍ଡରୁ ବାଦ ହୋଇଛି?

ବିଭିନ୍ନ ସମୟରେ ଦୁର୍ନୀତିଗ୍ରସ୍ତ / ଭ୍ରଷ୍ଟ, ଅଯୋଗ୍ୟ / ଅକ୍ଷମ, ହିପୋକ୍ରିସି(କପଟତା /ଛଳନା), ଡ୍ରାମା, ଠକ / ପ୍ରତାରକ,  ଅପରାଧୀ, ଅରାଜକତାବାଦୀ  କିମ୍ବା ଅରାଜକ ବ୍ୟକ୍ତି, କୁମ୍ଭୀର କାନ୍ଦଣା, ଏକଛତ୍ରବାଦୀ, ବିଶ୍ୱାସଘାତକ, ଜୁମଲାଜୀବୀ, ନଟଙ୍କି(ନାଟକବାଜି / ଢୋଙ୍ଗ), ଅକାମୀ / ଅପଦାର୍ଥ / ନିକମ୍ମା, ଅନ୍ଧଭକ୍ତ, ଷ୍ଟୁପିଡ୍ ଭଗଳି ଅନେକ ଶବ୍ଦକୁ ସଂସଦର କାର୍ଯ୍ୟଧାରା ରେକର୍ଡରୁ ହଟାଯାଇଛି । କିନ୍ତୁ ଏହି ଶବ୍ଦଗୁଡ଼ିକୁ ସଂସଦରେ ସବୁବେଳେ ନିଷିଦ୍ଧ ବୋଲି କୁହାଯାଇପାରିବ ନାହିଁ। କୌଣସି ଶବ୍ଦ ଅସଂସଦୀୟ କି ନୁହେଁ, ତାହା ବ୍ୟବହାରର ପ୍ରସଙ୍ଗ ଓ ବାଚସ୍ପତିଙ୍କ ନିଷ୍ପତ୍ତି ଉପରେ ନିର୍ଭର କରେ। ଅର୍ଥାତ୍, ସଂସଦରେ କୌଣସି ଶବ୍ଦ ଉପରେ ସ୍ଥାୟୀ ପ୍ରତିବନ୍ଧକ ନାହିଁ। ସଦନର ମର୍ଯ୍ୟାଦା, ପ୍ରସଙ୍ଗ ଓ ବାଚସ୍ପତିଙ୍କ ବିବେଚନା ହିଁ ନିର୍ଣ୍ଣୟ କରେ କୌଣସି ଶବ୍ଦ ରେକର୍ଡରେ ରହିବ କି ନାହିଁ।

Leave A Reply

Your email address will not be published.