ଭୁବନେଶ୍ୱର: ସାରା ରାଜ୍ୟରେ ଜାରି ଶୀତ ଲହରୀ। ହାଡଭଙ୍ଗା ଶୀତକୁ ଜନଜୀବନ ଅସ୍ତବ୍ୟସ୍ତ। ୨ ଡିଗ୍ରୀ ସେଲସିୟସ ତାପମାତ୍ରାରେ ଥରିଲା ମୟୂରଭଞ୍ଜ। ଜିଲ୍ଲାରେ କୁହୁଡ଼ି ସାଙ୍ଗକୁ ହାଡ଼ଭଙ୍ଗା ଶୀତ। ମୟୂରଭଞ୍ଜ ଜିଲ୍ଲାର ସର୍ବନିମ୍ନ ତାପମାତ୍ରା ୨ ଡିଗ୍ରୀ ସେଲସିୟସକୁ ଖସିଛି ପାରଦ। ବିଶେଷ କରି ଶିମିଳିପାଳ ଏବଂ ଶିମିଳିପାଳ ପାଦ ଦେଶରେ ଥିବା ଗାଁ ଗୁଡିକରେ ହାଡ଼ ଭଙ୍ଗା ଶୀତ ଅନୁଭୂତ ହେଉଛି।
ଶିମିଳିପାଳ ଜାତୀୟ ଉଦ୍ୟାନର ଉପର ବାରାକାମୁଡାରେ ୨ ଡିଗ୍ରୀ, ଚହଲାରେ ୪ ଡିଗ୍ରୀ, ଗୁଡ଼ିଗୁଡ଼ିଆ ୬ ଡିଗ୍ରୀ, ବରେଇପାଣି ୭ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି। ହାଡ଼ଭଙ୍ଗା ଶୀତ ଯୋଗୁଁ ଲୋକମାନେ ଘରୁ ବାହାରିବା କଷ୍ଟକର ହୋଇପଡିଛି। ଲୋକମାନେ ଶୀତ ଦାଉରୁ ରକ୍ଷା ପାଇବା ପାଇଁ ନିଆଁ ଜାଳି ଘଣ୍ଟା ଘଣ୍ଟା ଧରି ବସି ରହୁଛନ୍ତି।
ସେହିପରି କୋରାପୁଟରେ ପ୍ରବଳ ଥଣ୍ଡା ସାଙ୍ଗକୁ ଘନ କୁହୁଡ଼ି। କିଛି ଦିନ ହେଲା ଜିଲ୍ଲାର ବିଭିନ୍ନ ସ୍ଥାନରେ ତାପମାତ୍ରା ୧୫ ଡିଗ୍ରୀ ତଳକୁ ରହୁଛି। ସକାଳ ସନ୍ଧ୍ୟାରେ ଘନ କୁହୁଡ଼ି ଛାଇ ରହୁଥିବାରୁ ଦୃଶ୍ୟମାନ ଦୂରତା କମ୍ ରହୁଛି। ଜନସାଧାରଣ ଏବଂ ଗାଡ଼ି ଚାଳକମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ବସ୍ ଓ ଛୋଟ ବଡ଼ ଯାନବାହନ ବିଳମ୍ବରେ ଚାଲୁଥିବାରୁ ଯାତାୟାତ ବ୍ୟବସ୍ଥା ପ୍ରଭାବିତ ହୋଇଛି ।
ସେପଟେ ରାଜ୍ୟରେ ପୁଣି ଶୀତ ବଢ଼ିବାରେ ଲାଗିଛି। ଦାରିଙ୍ଗବାଡ଼ିର ରାତି ତାପମାତ୍ରା ଖସି ୯ ଡିଗ୍ରୀରେ ପହଞ୍ଚିଛି। ସେହିଭଳି ଝାରସୁଗୁଡ଼ାର ତାପମାତ୍ରା ୧୦.୯ ଡିଗ୍ରୀ ଓ ଫୁଲବାଣୀର ତାପମାତ୍ରା ୧୧ ଡିଗ୍ରିକୁ ଖସିଛି। ରାଜ୍ୟର ମୋଟ୍ ୧୮ ସହରର ତାପମାତ୍ରା ୧୫ ଡିଗ୍ରୀ ତଳକୁ ଖସିଛି। ଏଥିସହ କଳାହାଣ୍ଡି, କନ୍ଧମାଳ ଓ ସୁନ୍ଦରଗଡ଼ ଜିଲ୍ଲାର କିଛି ସ୍ଥାନରେ ଅତି ଘନକୁହୁଡ଼ି ଦେଖାଯାଇଥିବା ବେଳେ ସୋନପୁର, ଟିଟିଲାଗଡ଼ ଓ ଝାରସୁଗୁଡ଼ାରେ ହାଲୁକାରୁ ମଧ୍ୟମଧରଣର କୁହୁଡ଼ି ଦେଖିବାକୁ ମିଳିଛି । କୋରାପୁଟ, ସୁନ୍ଦରଗଡ଼, କଳାହାଣ୍ଡି, କନ୍ଧମାଳ, ବଲାଙ୍ଗୀର, ସୋନପୁର ଓ ଝାରସୁଗୁଡ଼ା ଜିଲ୍ଲାର କିଛି ସ୍ଥାନରେ ଘନକୁହୁଡ଼ି ଦେଖାଯାଇପାରେ।