Latest Odisha News

BREAKING NEWS

ବଢୁଛି ଶୀତ ଲହରୀ, ଉପକୂଳବର୍ତ୍ତୀ ଓଡ଼ିଶାରେ ପ୍ରକୋପ ଅଧିକ

ଭୁବନେଶ୍ୱର: ବଢୁଛି ଶୀତ ଲହରୀ । ରାତିରେ ଓଡ଼ିଶାର ପ୍ରାୟ ଅଧିକାଂଶ ଅଞ୍ଚଳରେ ତାପମାତ୍ରା ଦିନକୁ ଦିନ ହ୍ରାସ ପାଇ ଥଣ୍ଡା ବୃଦ୍ଧି ହେବାରେ ଲାଗିଛି । ତେବେ ଓଡ଼ିଶାର ବିଶେଷକରି ଉପକୂଳବର୍ତ୍ତୀ ଅଞ୍ଚଳରେ ଆଗାମୀ ୧୨ ଘଣ୍ଟା ମଧ୍ୟରେ ରାତିର ପାରଦ କ୍ରମେ ଆହୁରି ଖସିବାର ସମ୍ଭାବନା ରହିଛି ବୋଲି ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି ।


ଗଣମାଧ୍ୟମକୁ ସୂଚନାଦେଇ ପାଣିପାଗ କେନ୍ଦ୍ରର ନିର୍ଦ୍ଦେଶକ ଡ. ଏଚ ଆର୍ ବିଶ୍ୱାସ କହିଛନ୍ତି, ଓଡ଼ିଶା ଉପର ଦେଇ ପଶ୍ଚିମା ପବନ ବହିବା ଯୋଗୁଁ ଓଡ଼ିଶାର ଉପକୂଳବର୍ତ୍ତୀ ଅଞ୍ଚଳରେ ରାତିର ତାପମାତ୍ରାରେ କ୍ରମଶଃ ହ୍ରାସ ଘଟିଥିବାର ରେକର୍ଡ଼ କରାଯାଇଛି । ମାତ୍ର ଶୁକ୍ରବାର ଅପରାହ୍ନରୁ ପାଣିପାଗ ପରିବର୍ତ୍ତନ ହେବା ଯୋଗୁଁ ଆଗାମୀ ୧୨ ଘଣ୍ଟା ମଧ୍ୟରେ ବିଶେଷ କରି ତଟୀୟ ଅଞ୍ଚଳର ତାପମାତ୍ରା ହ୍ରାସ ପାଇ ଥଣ୍ଡାର ପ୍ରକୋପ ବୃଦ୍ଧି ପାଇବାର ସମ୍ଭାବନା ରହିଛି ବୋଲି କହିଛନ୍ତି ପାଣିପାଗ କେନ୍ଦ୍ରର ନିର୍ଦ୍ଦେଶକ ଡ. ବିଶ୍ୱାସ ।

ତେବେ ପରିବର୍ତ୍ତିତ ପାଣିପାଗର ପ୍ରଭାବ ଯୋଗୁଁ ଶୁକ୍ରବାର ରାତିରେ ଗଞ୍ଜାମ, ଗଜପତି ଓ ରାୟଗଡ଼ା ଜିଲ୍ଲାର କେତେକାଂଶରେ ସାମାନ୍ୟ ବୃଷ୍ଟିପାତ ହେବାର ସମ୍ଭାବନା ରହିଛି ।

ଇତିମଧ୍ୟରେ, ରାଜ୍ୟର ସର୍ବନିମ୍ନ ତାପମାତ୍ରା କେନ୍ଦୁଝରରେ (୯.୮) ଡ଼ିଗ୍ରୀ ରେକର୍ଡ଼ କରାଯାଇଛି ।

ରାଜ୍ୟ ଯେଉଁସବୁ ସ୍ଥାନମାନଙ୍କରେ ୧୨ ଡ଼ିଗ୍ରୀରୁ କମ୍ ତାପମାତ୍ରା ରେକର୍ଡ଼ ହୋଇଛି ସେହି ସ୍ଥାନଗୁଡ଼ିକ ହେଲା – ଅନୁଗୁଳ (୧୨), ବାରିପଦା (୧୧.୪), ଝାରସୁଗୁଡ଼ା (୧୧.୪), ସମ୍ବଲପୁର (୧୧.୭), ହୀରାକୁଦ (୧୨.୫), ତାଳଚେର (୧୦.୪), ବଲାଙ୍ଗୀର (୧୨.୫), କୋରାପୁଟ (୧୨.୬), ଫୁଲବାଣୀ (୧୧.୬) ଏବଂ ସୋନପୁର (୧୧) ଡ଼ିଗ୍ରୀ ସେଲସିୟସ ।

Leave A Reply

Your email address will not be published.