Latest Odisha News

BREAKING NEWS

ଦୀର୍ଘ ୧୦ ଘଣ୍ଟା ବିଳମ୍ବରେ ଖୋଲିଲା ଶ୍ରୀଜଗନ୍ନାଥଙ୍କ ଦ୍ୱାର, ଆରମ୍ଭ ହେଲା ନୀତିକାନ୍ତି

ପୁରୀ: ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଶ୍ରୀମନ୍ଦିର ଦ୍ୱାର ଶେଷରେ ଖୋଲିଲା । ପାଖାପାଖି ୧୦ ଘଣ୍ଟା ବିଳମ୍ବରେ ଭିତର ଦ୍ୱାର ଫିଟିବା ପରେ ଶ୍ରୀମନ୍ଦିରରେ ଶ୍ରୀଜୀଉମାନଙ୍କର ପାରମ୍ପରିକ ନୀତିକାନ୍ତି ପୁଣି ଆରମ୍ଭ ହୋଇଛି ।

ମିଳିଥିବା ସୂଚନାନୁଯାୟୀ, ସେବାୟତ ଗୋଷ୍ଠୀ ଏବଂ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ ମଧ୍ୟରେ ଏକ ବୈଠକ ଅନୁଷ୍ଠିତ ହେବା ପରେ ସେବାୟତମାନଙ୍କ ଦ୍ୱାରା ପାରମ୍ପରିକ ନୀତିକାନ୍ତି ଆରମ୍ଭ ହୋଇଛି । ଶୁକ୍ରବାର ଦିନ ସନ୍ଧ୍ୟା ସମୟରେ ଏହି ବୈଠକ ପୁରୀ ଜିଲ୍ଲାପାଳ ଜ୍ୟୋତି ପ୍ରକାଶ ଦାସ ତଥା ଶ୍ରୀଜଗନ୍ନାଥ ମନ୍ଦିର ପରିଚାଳନା କମିଟିର ସଦସ୍ୟମାନଙ୍କ ଉପସ୍ଥିତିରେ ଅନୁଷ୍ଠିତ ହୋଇଥିଲା ।

ଏହି ବୈଠକ ପରେ ଗଣମାଧ୍ୟମକୁ ସୂଚନା ପ୍ରଦାନ କରି ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନର ମୁଖ୍ୟ ପ୍ରଶାସକ ପ୍ରଦୀପ୍ତ ମହାପାତ୍ର କହିଛନ୍ତି, ସେବାୟତମାନେ ସନ୍ଧ୍ୟା ୫ ଘଟିକା ସମୟରେ ଶ୍ରୀମନ୍ଦିର ମୁଖ୍ୟ ଦ୍ୱାର ଗୁଡ଼ିକୁ ଫିଟାଇବା ପରେ ଶ୍ରୀଜୀଉମାନଙ୍କ ନୀତିକାନ୍ତି ପୂନର୍ବାର ଆରମ୍ଭ ହୋଇଛି ।

“ମନ୍ଦିର ଦ୍ୱାର ଖୋଲିବା ପରେ ଶ୍ରୀଜୀଉମାନଙ୍କ ପାରମ୍ପରିକ ନୀତି ଅନୁଷ୍ଠିତ ହେବା ସହିତ ଭକ୍ତମାନେ ଦର୍ଶନ ଲାଭ କରିପାରିଛନ୍ତି,” ବୋଲି ସେ କହିଛନ୍ତି ।

ମୁଖ୍ୟ ପ୍ରଶାସକ ପ୍ରଦୀପ୍ତ ମହାପାତ୍ରଙ୍କ କହିବାନୁଯାୟୀ ଯେହେତୁ ଅନେକ ସମୟ ଧରି ବିଭିନ୍ନ ରାଜ୍ୟ ତଥା ଦୂର ଦୂରାନ୍ତତରରୁ ଆସିଥିବା ଭକ୍ତମାନେ ଦୀର୍ଘ ସମୟ ଧରି ମନ୍ଦିର ଦ୍ୱାର ବନ୍ଦ ରହିଥିବା ହେତୁ ଦର୍ଶନ ଲାଗି ପ୍ରତୀକ୍ଷା କରିଥିଲେ । ସେମାନେ କିପରି ନିଶ୍ଚିତ ଦର୍ଶନ କରିପାରିବେ ସେଥିଲାଗି ସେମାନଙ୍କର ପରିଚୟ ଗ୍ରହଣ କରାଯାଇ ରାତିରେ ମଧ୍ୟ ଦର୍ଶନ କରିବାର ସୁଯୋଗ ପ୍ରଦାନ କରାଯିବ ବୋଲି ମୁଖ୍ୟ ପ୍ରଶାସକ ସୂଚନା ପ୍ରଦାନ କରିଛନ୍ତି ।

ଏଠାରେ ସୂଚନାଯୋଗ୍ୟ, ଗୁରୁବାର ଅପରାହ୍ନରୁ ପୋଲିସ-ସେବାୟତଙ୍କ ମଧ୍ୟରେ ବିବାଦ ଯୋଗୁଁ ଶୁକ୍ରବାର ସକାଳୁ ଶ୍ରୀମନ୍ଦିର ମୁଖ୍ୟ ଦ୍ୱାର ଗୁଡ଼ିକ ବନ୍ଦ ରହିଥିଲା । ତେଣୁ ଶ୍ରୀଜଗନ୍ନାଥଙ୍କ ଦର୍ଶନାଭିଳାଷୀ ହଜାର ହଜାର ଭକ୍ତମାନେ ବାଧ୍ୟ ହୋଇ ମନ୍ଦିର ସମ୍ମୁଖସ୍ଥ ଲୁହା ବ୍ୟାରିକେଡ଼ ଭଙ୍ଗାରୁଜା କରି ଭିତରକୁ ପ୍ରବେଶ କରିବାକୁ ଉଦ୍ୟମ ଜାରି ରଖିଥିଲେ । ପରବର୍ତ୍ତୀ ସମୟରେ ବ୍ୟାରିକେଡ଼ ସମ୍ପୂର୍ଣ୍ଣ ଭାଙ୍ଗି ଭିତରକୁ ପ୍ରବେଶ କରିବାକୁ ସକ୍ଷମ ହୋଇପାରିଥିଲେ ।

Leave A Reply

Your email address will not be published.