Latest Odisha News

ଜୋନ୍ ଚିହ୍ନଟ କରିବେ ଜିଲ୍ଲାପାଳ ଓ ମ୍ୟୁନିସପାଲ କମିଶନର

ଭୁବନେଶ୍ୱର: ଆଜିଠାରୁ ରାଜ୍ୟରେ ଲାଗୁ ହୋଇଛି ଲକଡାଉନ୪.୦ । ଏହା ମେ’ ୩୧ ଯାଏଁ ବଳବତ୍ତର ରହିବ । କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶ ଅନୁସାରେ ରାଜ୍ୟ ସରକାର ୪ର୍ଥ ପର‌୍ୟ୍ୟାୟର ଲକଡାଉନ ନିୟମ ପାଳନ କରିବେ । ମାତ୍ର ଏଥିରେ ଜିଲ୍ଲାପାଳ ଓ ମ୍ୟୁନିସପାଲ କମିସନରଙ୍କୁ ଅଧିକ କ୍ଷମତା ମିଳିଛି । ଜିଲ୍ଲାପାଳ ଓ ମ୍ୟୁନିସପାଲ କମିସନରମାନେ ଏଣିକି ଜୋନ ଚିହ୍ନଟ କରିବେ । ଏନେଇ ରାଜ୍ୟ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ସୂଚନା ଦେଇଛନ୍ତି ।

ସେ କହିଛନ୍ତି ରେଡ, ଅରେଞ୍ଜ ଓ ଗ୍ରୀନ ଜୋନକୁ ସ୍ଥାନୀୟ ଅଧିକାରୀମାନେ ଚିହ୍ନଟ କରିବେ ।କଣ୍ଟେନମେଣ୍ଟ ଜୋନରେ ସମସ୍ତ ପ୍ରକାର କଟକଣା ଜାରି ରହିବ । କୋଭିଡ କେୟାର ସେଣ୍ଟର ଓ କୋଭିଡ ହସ୍ପିଟାଲ କଣ୍ଟେନମେଣ୍ଟ ଜୋନ ଭଳି କଟକଣା ରହିବ । ବାହାରେ କୌଣସି ବ୍ୟକ୍ତି ଛେପ ପକାଇ ପାରିବେ ନାହିଁ । ନିୟମ ଉଲଂଘନ କଲେ କାର‌୍ୟ୍ୟାନୁଷ୍ଠାନ ହେବ । ସଂପୃକ୍ତ ବ୍ୟକ୍ତିଙ୍କୁ ଜରିମାନା କରାଯିବ । ସାମାଜିକ ଦୂରତ୍ୱ ୨ ମିଟର ବ୍ୟବଧାନ ରଖିବା ସମସ୍ତଙ୍କ ପାଇଁ ଜରୁରୀ ।

ଅର୍ଥନୈତିକ ଗତିବିଧି ଫେରାଇ ଆଣିବାକୁ ଉଦ୍ୟମ ହୋଇଛି । କୃଷି, ଉଦ୍ୟାନ, ଶିଳ୍ପକୁ ଗୁରୁତ୍ୱ ଦିଆଯାଉଛି । ରାଜ୍ୟ ରାଜ୍ୟ ମଧ୍ୟରେ ବସ ଚାଲିବା ନେଇ ନିଷ୍ପତ୍ତି ହୋଇନାହିଁ । ବାଇକ, ଘରୋଇ ଗାଡ଼ି, ଟ୍ୟାକ୍ସି ଚାଲିପାରିବ । ଜାତୀୟ ଓ ଅନ୍ତର୍ଜାତୀୟ ବିମାନ ସେବାକୁ ଅନୁମତି ମିଳିବ ନାହିଁ । କିନ୍ତୁ ଏୟାର ଆମ୍ବୁଲାନ୍ସ ପାଇଁ ଅନୁମତି ମିଳିବ । ସ୍କୁଲ, କଲେଜ ଓ ଅନ୍ୟ ଶିକ୍ଷାନୁଷ୍ଠାନ ବନ୍ଦ ରହିବ । ଅନଲାଇନ ପାଠପଢ଼ା ଚାଲୁ ରହିବ । ହେଟେଲ, ରେଷ୍ଟୁରାଣ୍ଟ ବନ୍ଦ ରହିବ । କିନ୍ତୁ ହୋମ ଡେଲିଭରି ପାଇଁ କୌଣସି ଅସୁବିଧା ନାହିଁ ।

କ୍ୟାଣ୍ଟିନ ସିନେମା, ସପିଂମଲ, ଜିମ, ଅଡିଟୋରିୟମ ଆଦି ବନ୍ଦ ରହିବ । ସ୍ପୋଟର୍ସ ପରିସର ଖୋଲିବ । ଖେଳାଳି ଭିତରକୁ ପ୍ରବେଶ କରି ପାରିବେ କିନ୍ତୁ ଦର୍ଶକମାନେ ଯାଇପାରିବେ ନାହିଁ । ସାମାଜିକ, ରାଜନୈତିକ, ଧାର୍ମିକ କାର‌୍ୟ୍ୟକ୍ରମ ବନ୍ଦ ରହିବ । ଧର୍ମାନୁଷ୍ଠାନରେ ପୂଜାର୍ଚ୍ଚନା କରାଯାଇପାରିବ ନାହିଁ ବୋଲି ସମ୍ବାଦିକ ସମ୍ମିଳନୀରେ ଅସିତ ତ୍ରିପାଠୀ କହିଛନ୍ତି ।

Leave A Reply

Your email address will not be published.