Latest Odisha News

ରାଜ୍ୟଗୋଷ୍ଠୀ କ୍ରୀଡା: ଆସନ୍ତୁ ଜାଣିବା ଭାରତ ପାଇଁ କେଉଁ ୫ ଖେଳାଳି ସ୍ୱର୍ଣ୍ଣ ଜିତିବା ନିଶ୍ଚିତ

ଭୁବନେଶ୍ୱର: ଆଉ ୨ ଦିନ ପରେ ବର୍ମିଂହାମରେ ୨୮ ଜୁଲାଇରୁ ଆରମ୍ଭ ହୋଇଯିବ ରାଜ୍ୟଗୋଷ୍ଠୀ କ୍ରୀଡାର ୨୨ତମ ସଂସ୍କରଣ । ଏଥିରେ ୭୨ ଦେଶର ୫୦୦୦ରୁ ଅଧିକ ଆଥଲେଟ ୨୦ଟି ଭିନ୍ନ ଭିନ୍ନ ଖେଳରେ ଦକ୍ଷତା ପ୍ରଦର୍ଶନ କରିବେ । ଭାରତ ୧୮ଥର ପାଇଁ ଏହି ମୁକାବିଲାକୁ ଓହ୍ଲାଇବ । ୧୯୩୦, ୧୯୫୦, ୧୯୬୨ ଓ ୧୯୮୬ରେ ଭାରତ ଏଥିରେ ଅଂଶଗ୍ରହଣ କରି ନ ଥିଲା । ୨୦୧୮ରେ ଭାରତ ସମୁଦାୟ ୬୬ ପଦକ(୨୬ ସ୍ୱର୍ଣ୍ଣ, ୨୦ରୌପ୍ୟ, ୨୦ ବ୍ରୋଞ୍ଜ) ଜିତି ତୃତୀୟ ସ୍ଥାନରେ ରହିଥିଲା । ଭାରତର ଷ୍ଟାର ଆଥଲେଟ ତଥା ଜାଭେଲିନ ଥ୍ରୋୟର ନୀରଜ ଚୋପ୍ରା ଆଘାତ ସମସ୍ୟାରୁ ଓହରିଯିବା ଫଳରେ ଏକ ସ୍ୱର୍ଣ୍ଣ ପଦକ ହାତଛଡା ହୋଇଛି କହିଲେ ଭୁଲ ହେବନି । ତେବେ ତାଙ୍କ ବ୍ୟତୀତ ଏହି ୫ ଖେଳାଳି ଭାରତ ପାଇଁ ନିଶ୍ଚିତ ସ୍ୱର୍ଣ୍ଣ ପଦକ ଜିତିବେ ବୋଲି ଆଶା କରାଯାଉଛି, ସେମାନେ ହେଲେ-

ପିଭି ସିନ୍ଧୁ (ବ୍ୟାଡମିଂଟନ): ଭାରତର ଷ୍ଟାର ବ୍ୟାଡମିଂଟନ ଖେଳାଳି ପିଭି ସିନ୍ଧୁ ଏହି ପ୍ରତିଯୋଗିତାରେ ୨ଥର ଅଂଶଗ୍ରହଣ କରି ପଦକ ଜିତିଛନ୍ତି । ୨୦୧୪ ଗ୍ଲାସଗୋ ଗେମ୍ସରେ ସେ ବ୍ରୋଞ୍ଜ ଓ ୨୦୧୮ରେ ରୌପ୍ୟ ପଦକ ଜିତିଥିଲେ । ଏଥର ସେ ନିଶ୍ଚିତ ତାଙ୍କ ପଦକର ରଙ୍ଗ ହଳଦିଆ କରିବାକୁ ଚାହିଁବେ । ସବୁଠାରୁ ବଡ କଥା ସେ ଏବେ ଜବରଦସ୍ତ ଫର୍ମରେ ଅଛନ୍ତି ।
ମନିକା ବାତ୍ରା(ଟିଟି): ଗତ ସଂସ୍କରଣରେ ମନିକା ବାତ୍ରା ଟେବୁଲ ଟେନିସରେ ଭାରତ ପାଇଁ ପ୍ରଥମ ମହିଳା ଭାବେ ସ୍ୱର୍ଣ୍ଣ ଜିତି ଇତିହାସ ରଚିଥିଲେ । ସେ ଏହି ସଫଳତା ବଜାୟ ରଖିବେ ବୋଲି ଆଶା କରାଯାଉଛି ।


ମୀରାବାଇ ଚାନୁ(ଭାରୋତୋଳନ): ଟୋକିଓ ଅଲିମ୍ପିକ୍ସରେ ମୀରାବାଇ ଚାନୁ ଭାରୋତୋଳନରେ ରୌପ୍ୟ ପଦକ ଜିତି ଭାରତକୁ ଗୌରାବାନ୍ୱିତ କରିଛନ୍ତି । ରାଜ୍ୟଗୋଷ୍ଠୀ କ୍ରୀଡାର ଗତ ସଂସ୍କରଣରେ ସେ ସ୍ୱର୍ଣ୍ଣ ପଦକ ଜିତିଥିଲେ । ତାଙ୍କଠାରୁ ବର୍ମିଂହାମ କ୍ରୀଡାରେ ଆଉ ଏକ ସ୍ୱର୍ଣ୍ଣ ଆଶା କରିବା କିଛି ମୂର୍ଖାମୀ ହେବନି ।
ରବି କୁମାର ଦାହିୟା (କୁସ୍ତି): କୁସ୍ତିର ପୁରୁଷ ୫୭ କିଗ୍ରା ବିଭାଗରେ ଟୋକିଓ ଅଲିମ୍ପିକ୍ସରେ ରୌପ୍ୟ ପଦକ ଜିତିଥିବା ରବି କୁମାର ଦାହିୟା ବର୍ମିଂହାମରେ ସ୍ୱର୍ଣ୍ଣିମ ସଫଳତା ପାଇଁ ଉଦ୍ୟମ କରିବେ । ୨୦୨୨ ଏସିଆନ ଚାମ୍ପିୟନଶିପରେ ସ୍ୱର୍ଣ୍ଣ ଜିତିଥିବାରୁ ତାଙ୍କଠାରୁ ଭାରତ ରାଜ୍ୟଗୋଷ୍ଠୀ କ୍ରୀଡାରେ ସ୍ୱର୍ଣ୍ଣ ପଦକ ଆଶା କରୁଛି ।

ନିଖତ ଜରୀନ (ବକ୍ସିଂ): ଗତ ମାସରେ ବିଶ୍ୱ ବକ୍ସିଂ ଚାମ୍ପିୟନଶିପରେ ଭାରତ ପାଇଁ ଇତିହାସ ରଚିଥିବା ମହିଳା ବକ୍ସର ନିଖତ ଜରୀନ ରାଜ୍ୟଗୋଷ୍ଠୀ କ୍ରୀଡାରେ ସଫଳତା ଦୋହରାଇବା ଲକ୍ଷ୍ୟରେ ରହିଛନ୍ତି । ରାଜ୍ୟଗୋଷ୍ଠୀ କ୍ରୀଡାରେ ସ୍ୱର୍ଣ୍ଣ ପଦକ ଜିତିବା ପାଇଁ ତାଙ୍କ ନିକଟରେ ସୁବର୍ଣ୍ଣ ସୁଯୋଗ ରହିଛି ।

Comments are closed.