ଭୁବନେଶ୍ୱର: ପଞ୍ଚାୟତ ନିର୍ବାଚନରେ ନିୟୋଜିତ କର୍ମଚାରୀଙ୍କ ପାଇଁ ରାଜ୍ୟ ନିର୍ବାଚନ ଆୟୋଗଙ୍କ ବଡ଼ ଘୋଷଣା । ପୂର୍ବରୁ ରହିଥିବା ମୃତ୍ୟୁଜନିତ ଅନୁକମ୍ପା ରାଶିକୁ ବଢ଼ାଯାଇଛି । ନିର୍ବାଚନ ଡ଼୍ୟୁଟିରେ ମୃତ୍ୟୁ ହେଲେ ଏଣିକି ମିଳିବ ୩୦ ଲକ୍ଷର ଅନୁକମ୍ପା ରାଶି । ହିଂସା, ଅସାମାଜିକ ଲୋକଙ୍କ ଆକ୍ରମଣ, ବୋମା ବିସ୍ଫୋରଣ, ସଂଘବଦ୍ଧ ଆକ୍ରମଣରେ ନିର୍ବାଚନ ଡ଼୍ୟୁଟିରେ ଥିବା କର୍ମଚାରୀ ମୃତ୍ୟୁବରଣ କଲେ ଏହି ଅନୁକମ୍ପା ରାଶି ଦିଆଯିବ । ଡ଼୍ୟୁଟିରେ ଥାଇ ଅନ୍ୟ କାରଣରୁ ମୃତ୍ୟୁ ହେଲେ ୧୫ ଲକ୍ଷ ଟଙ୍କାର ଅନୁକମ୍ପା ରାଶି ଯୋଗାଇ ଦିଆଯିବ ।
ହିଂସାରେ ନିର୍ବାଚନ ଡ଼୍ୟୁଟିରେ ଥିବା କର୍ମଚାରୀ ଦିବ୍ୟାଙ୍ଗ ହେଲେ ୧୫ ଲକ୍ଷ ଟଙ୍କା ମିଳିବ । ଆଖି ନଷ୍ଟ ହୋଇଗଲେ ୧୫ ଲକ୍ଷ ଟଙ୍କା ମିଳିବ । କୌଣସି ଦୁର୍ଘଟଣା କାରଣରୁ ଦିବ୍ୟାଙ୍ଗ ହୋଇଗଲେ ସାଢ଼େ ୭ ଲକ୍ଷ ଟଙ୍କାର ଅନୁକମ୍ପା ରାଶି ମିଳିବ । ଡ଼୍ୟୁଟି ସମୟରେ ଗୁରୁତର ଆହତ ହେଲେ ସର୍ବାଧିକ ୨ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମିଳିବ ସହାୟତା । ନିର୍ବାଚନ ଡ଼୍ୟୁଟି କରୁଥିବା କର୍ମଚାରୀଙ୍କ କରୋନାରେ ମୃତ୍ୟୁ ହେଲେ ମିଳିବ ୩୦ ଲକ୍ଷ ଟଙ୍କାର ଅନୁକମ୍ପା ରାଶି । ଏହାସହ କରୋନା ସଂକ୍ରମଣ ହେଲେ ସମ୍ପୂର୍ଣ୍ଣ ମାଗଣା ଚିକିତ୍ସା ଯୋଗାଇଦିଆଯିବ ।
କରୋନା ସମୟରେ ନିର୍ବାଚନ ହେଉଥିବାରୁ ଏଭଳି ନିଷ୍ପତ୍ତି ନିଆଯାଇଛି । ଏହାଛଡ଼ା ସରକାରୀ କର୍ମଚାରଙ୍କ ବ୍ୟତୀତ ନିର୍ବାଚନ ଡ଼୍ୟୁଟିରେ ଥିବା ବେସରକାରୀ ଗାଡ଼ି ଡ୍ରାଇଭର ଓ ହେଲପରଙ୍କୁ ଏହି ଅନୁକମ୍ପା ରାଶି ପ୍ରଦାନ କରାଯିବ ।
Comments are closed.