Latest Odisha News

BREAKING NEWS

ଏପ୍ରିଲ ଶେଷ ସୁଦ୍ଧା ସମସ୍ତ ସ୍କୁଲରେ ବିଦ୍ୟୁତ ସଂଯୋଗ ବାଧ୍ୟତାମୂଳକ !

ଭୁବନେଶ୍ୱର:: ଆସନ୍ତା ଏପ୍ରିଲ ଶେଷ ସୁଦ୍ଧା ରାଜ୍ୟର ସମସ୍ତ ବିଦ୍ୟାଳୟଗୁଡିକରେ ବିଦ୍ୟୁତ ସଂଯୋଗ କରିବାକୁ ଗଣଶିକ୍ଷା ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି ।

ଅନେକ ସ୍କୁଲରେ ପୂର୍ବରୁ ବିଦ୍ୟୁତ ସଂଯୋଗ ନଥିବାରୁ ସ୍କୁଲଗୁଡିକ ଗ୍ରୀଷ୍ମ ଛୁଟି ପୂର୍ବରୁ ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଯାଉଥିଲା । ଯାହାଫଳରେ ଗତ କିଛି ବର୍ଷ ହେବ ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଲାଗି ସ୍କୁଲଗୁଡିକ ଶୀଘ୍ର ଛୁଟି ହେବା ଦ୍ୱାରା ପାଠପଢ଼ାରେ ବ୍ୟାଘାତ ସୃଷ୍ଟି ହେବା ସହ ଏକାଡେମୀକ କ୍ୟାଲେଣ୍ଡର ଅନୁଯାୟୀ କୋର୍ସ ମଧ୍ୟ ଶେଷ ହୋଇପାରୁନଥିଲା ।

ଏପରି ସମସ୍ୟାକୁ ଗୁରୁତ୍ୱ ଦେଇ ଗଣଶିକ୍ଷା ବିଭାଗ ଏପରି ନିଷ୍ପତ୍ତି ନେଇଛି । ରାଜ୍ୟର ସବୁ ସ୍କୁଲରେ ବିଦ୍ୟୁତ ସଂଯୋଗ ବ୍ୟବସ୍ଥା ରହିଲେ ଏପ୍ରିଲ ଏବଂ ମେ’ରେ ଉଜ୍ୱଳ ଏବଂ ଉତଥାନ ପାଠପଢ଼ାରେ କୌଣସି ସମସ୍ୟା ରହିବ ନାହିଁ ।

ତେବେ କେଉଁ ସବୁ ସ୍କୁଲରେ ବିଦ୍ୟୁତ ସଂଯୋଗ ଅଧାରେ ଅଟକିଛି ଏବଂ ଆଉ କେଉଁ ସବୁ ସ୍କୁଲକୁ ଆଦୌ ସଂଯୋଗୀକରଣ କରାଯାଇ ନାହିଁ ତାହାର ରିପୋର୍ଟ ପ୍ରସ୍ତୁତ କରିବାକୁ ଜିଲ୍ଲାଶିକ୍ଷା ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଏହାବ୍ୟତିତ ଫେବୃଆରୀ ୨ୟ ସପ୍ତାହ ସୁଦ୍ଧା ଏହି ଯାଞ୍ଚ ରିପୋର୍ଟ ବିଭାଗକୁ ପ୍ରଦାନ କରିବା ଲାଗି ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି ।

ମିଳିଥିବା ସୂଚନା ଅନୁଯାୟୀ, ରାଜ୍ୟରେ ପ୍ରାଥମିକ ଏବଂ ଉଚ୍ଚପ୍ରାଥମିକ ସ୍କୁଲ ସଂଖ୍ୟା ୫୮ହଜାର ୮୯ଟି ଥିବା ବେଳେ ମାଧ୍ୟମିକ ସ୍କୁଲ ସଂଖ୍ୟା ୯୮୭୨ଟି । ତେବେ ୫୮ହଜାର ୮୯ଟି ସ୍କୁଲ ମଧ୍ୟରୁ ବର୍ତ୍ତମାନ ସୁଦ୍ଧା ୩୭ହଜାର ୬୫୯ଟି ସ୍କୁଲରେ ବିଦ୍ୟୁତ ସଂଯୋଗ କରାଯାଇନାହିଁ । ୬ହଜାର ୩୦୮ଟି ସ୍କୁଲକୁ ବିଦ୍ୟୁତ ସଂଯୋଗ କେବଳ ତାର ଭିଡିବାରେ ସୀମିତ ରହିଛି । ଅପରପକ୍ଷେ ମାଧ୍ୟମିକ ସ୍କୁଲଗୁଡିକ ମଧ୍ୟରୁ ୩୭୪୯ଟି ସ୍କୁଲକୁ ବିଦ୍ୟୁତ ସଂଯୋଗ କରାଯାଇନାହିଁ । ସେହିପରି ଜିଲ୍ଲାୱାରୀ ରିପୋର୍ଟ ଅନୁଯାୟୀ, ଅନୁଗୁଳ ଜିଲ୍ଲାରେ ୧୦୫୩ଟି ସ୍କୁଲରେ ବିଦ୍ୟୁତ ସଂଯୋଗ ନଥିବା ବେଳେ ବାଲେଶ୍ୱର ଜିଲ୍ଲାରେ ୧୩୩୬ଟି, ବରଗଡ଼ରେ ୧୧୩୬ଟି, ଭଦ୍ରକରେ ୯୧୭ଟି, ବଲାଙ୍ଗିରରେ ୧୭୩୬ଟି, ବୌଦ୍ଧରେ ୪୬୯, କଟକରେ ୧୨୮୦, ଦେଓଗଡ଼ରେ ୩୯୮, ଢ଼େଙ୍କାନାଳରେ ୧୦୩୧ଟି, ଗଜପତିରେ ୯୫୭, ଗଞ୍ଜାମରେ ୧୮୦୦, ଜଗତସିଂପୁରରେ ୫୭୯, ଯାଜପୁରରେ ୧୪୩୮, ଝାରସୁଗୁଡାରେ ୪୦୧, କଳାହାଣ୍ଡିରେ ୧୯୪୩, କନ୍ଧମାଳରେ ୧୫୧୯, କେନ୍ଦ୍ରାପଡ଼ାରେ ୧୦୮୧, କେନ୍ଦୁଝରରେ ୧୯୮୯, ଖୋର୍ଦ୍ଧାରେ ୭୮୨, କୋରାପୁଟରେ ୨୧୬୬, ମାଲକାନଗିରିରେ ୯୬୫, ମୟୁରଭଞ୍ଜରେ ୩୨୧୧, ନବରଙ୍ଗପୁରରେ ୧୬୦୨, ନୟାଗଡ଼ରେ ୬୬୨, ନୂଆପଡ଼ାରେ ୭୭୫, ପୁରୀରେ ୧୩୫୮, ରାୟଗଡାରେ ୧୫୭୩, ସମ୍ବଲପୁରରେ ୯୬୯, ସୋନପୁରରେ ୬୭୪, ସୁନ୍ଦରଗଡ଼ରେ ୧୮୫୯ଟି ସ୍କୁଲରେ ବିଦ୍ୟୁତ ସଂଯୋଗ ନାହିଁ ।

ଏହି ସବୁ ସ୍କୁଲଗୁଡିକ ମଧ୍ୟରୁ ପ୍ରାୟ ୨୦ପ୍ରତିଶତ ସ୍କୁଲରେ ବିଦ୍ୟୁତ ସଂଯୋଗ ପାଇଁ ସମସ୍ତ ପ୍ରକ୍ରିୟା ଶେଷ ହାଇଥିଲେ ମଧ୍ୟ ଏଯାବତ ବିଦ୍ୟୁତ ବଲଟିଏ ମଧ୍ୟ ଜଳି ପାରି ନାହିଁ । ଗତ କିଛି ବର୍ଷ ହେବ ମାର୍ଚ୍ଚରୁ ଗ୍ରୀଷ୍ମପ୍ରବାହ ଅସହ୍ୟ ହେଉଥିବାରୁ ସରକାରୀ ସ୍କୁଲଗୁଡିକ ଏପ୍ରିଲ ୨ୟ ସପ୍ତାହରୁ ଛୁଟି କରିବାକୁ ରାଜ୍ୟ ସରକାର ବାଧ୍ୟ ହେଉଛନ୍ତି ।

ମାତ୍ର ଘରୋଇ ସ୍କୁଲଗୁଡିକରେ ବିଦ୍ୟୁତ ବ୍ୟବସ୍ଥା ସାଙ୍ଗକୁ ଶ୍ରେଣୀ କକ୍ଷରେ ଶୀତତାପ ନିୟନ୍ତ୍ରିତ ବ୍ୟବସ୍ଥା ଲାଗି ସେହି ସବୁ ସ୍କୁଲ ମେ’ ୨ୟ ସପ୍ତାହରୁ ଛୁଟି କରାଯାଉଛି । ଫଳରେ ସରକାରୀ ସ୍କୁଲରେ ପାଠପଢ଼ାରେ ବ୍ୟାଘାତ ସୃଷ୍ଟି ହେଉଛି । ଏପରି ସମସ୍ୟାର ସମାଧାନ ଲାଗି ସବୁ ସ୍କୁଲକୁ ବିଦ୍ୟୁତ ସଂଯୋଗ ସହ ଫ୍ୟାନ୍ ଏବଂ ଥଣ୍ଡା ପାଣିର ବ୍ୟବସ୍ଥା ଲାଗି ଗୁରୁତ୍ୱ ଦିଆଯାଇଛି ।

ଅପରପକ୍ଷେ କିଛି ସ୍କୁଲର ପ୍ରଧାନ ଶିକ୍ଷକଙ୍କ କହିବା ଅନୁଯାୟୀ, ରାଜ୍ୟର ଅନେକ ସ୍କୁଲର ବିଦ୍ୟୁତ ବିଲ ପୈଠ କରାଯାଇନଥିବାରୁ ବିଦ୍ୟୁତ ସଂଯୋଗ ମଧ୍ୟ କାଟି ଦିଆଯାଇଛି । ସ୍କୁଲରେ ଯେଉଁ ବିଦ୍ୟୁତ ସଂଯୋଗ ବ୍ୟବସ୍ଥା ହେଉଛି ତାହାର ବିଲ ପୈଠ ଲାଗି ମଧ୍ୟ କୌଣସି ବ୍ୟବସ୍ଥା ନାହିଁ । ଅନେକ ସମୟରେ ସ୍କୁଲର ବିକାଶ ଲାଗି ଯେଉଁ ଅର୍ଥ ମିଳିଥାଏ ସେଥିରେ ବିଦ୍ୟୁତ ବିଲ୍ ପୈଠ କରାଯାଇଥାଏ । ବିଦ୍ୟୁତ ବିଲ ପୈଠ ଲାଗି ସ୍ୱତନ୍ତ୍ର ଅନୁଦାନ ବ୍ୟବସ୍ଥା ନଥିବାରୁ ଅନେକ ସ୍କୁଲରେ ବହୁ ଟଙ୍କା ବକେୟା ରହିଛି । ତେଣୁ ସବୁ ସ୍କୁଲକୁ ବିଦ୍ୟୁତ ସଂଯୋଗ କରିବା ସହ ବିଲ ଯେପରି ସଠିକ ସମୟରେ ପୈଠ କରାଯିବ ସେଥିଲାଗି ମଧ୍ୟ ବିଭାଗ ପକ୍ଷରୁ ଗୁରୁତ୍ୱ ଦେବା ଆବଶ୍ୟକ ବୋଲି ଶିକ୍ଷକମାନେ କହିଛନ୍ତି ।

ଗଣଶିକ୍ଷା ବିଭାଗର ଅଧିକାରୀଙ୍କ କହିବା ଅନୁଯାୟୀ, ଏଣିକି ସ୍କୁଲରେ ବିଦ୍ୟୁତ ସଂଯୋଗ କରାଯିବା ସହ ବିଦ୍ୟୁତ ବିଲ ପୈଠ ଲାଗି ସ୍ୱତନ୍ତ୍ର ବ୍ୟବସ୍ଥା କରାଯିବ । ସମଗ୍ରଶିକ୍ଷା ଯୋଜନାରେ ଯେଉଁ ଅନୁଦାନ ମିଳୁଛି ସେଥିରୁ ବିଲ୍ ପୈଠ କରାଯିବ । ଶ୍ରେଣୀରେ ଗରମରେ ଯେପରି ପିଲାମାନେ ନପଢ଼ନ୍ତି ସେଥିଲାଗି ବିଭାଗ ପକ୍ଷରୁ ଗୁରୁତ୍ୱ ଦିଆଯିବା ସହ ମନ୍ତ୍ରୀ ଏବଂ ସଚିବ ଏପରି ସମସ୍ୟାର ସମାଧାନ ଖୁବଶୀଘ୍ର କରିବାକୁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି । ତେଣୁ ବିଦ୍ୟୁତ ସଂଯୋଗ ଲାଗି ଅବଶ୍ୟକ ବିଭାଗ ସହ ଯୋଗସୂତ୍ର କରାଯାଇ ପ୍ରକ୍ରିୟା ଶେଷ କରିବାକୁ ନିଷ୍ପତ୍ତି ହୋଇଛି ।

Leave A Reply

Your email address will not be published.