Latest Odisha News

BREAKING NEWS

ସଂସ୍କୃତିର ସଙ୍ଗମ କ୍ଷେତ୍ର ଦକ୍ଷିଣ ଓଡ଼ିଶା

ମାୟାଧର ନାୟକଙ୍କ ନିୟମିତ ସ୍ତମ୍ଭ : ଶବ୍ଦ ତୂଣୀର… 

ଦକ୍ଷିଣ ଓଡ଼ିଶା ଦକ୍ଷତାର ଓଡ଼ିଶା , ତୃପ୍ତତାର ଓଡ଼ିଶା ଦୁର୍ଦ୍ଦାନ୍ତତାର ଓଡ଼ିଶା । ଦକ୍ଷିଣ ଓଡ଼ିଶା ଦୁର୍ବାର ଓଡ଼ିଶା । ବନଜଙ୍ଗଲରୁ ଆରମ୍ଭ କରି ପାହାଡ ପର୍ବତର ପ୍ରାଚୁର୍ଯ୍ୟ ଦିନେ ଦକ୍ଷିଣ ଓଡ଼ିଶାକୁ ଦୁର୍ଭେଦ୍ୟ ଦୁର୍ଗର ଦୃଢ ଭାବମୂର୍ତ୍ତି ପ୍ରଦାନ କରିଥିଲା । ଏଠି ଥିଲା ଓଡ଼ିଶା ବିଖ୍ୟାତ ରାଜବଂଶର ରାଜବାଟୀସବୁ ଏବଂ ପ୍ରଜାମାନେ ଥିଲେ ପ୍ରଖର ଯୋଦ୍ଧା ଜଣେଜଣେ ।

କିମ୍ବଦନ୍ତୀରୁ ଇତିହାସ ପର୍ଯ୍ୟନ୍ତ ଦକ୍ଷିଣ ଓଡ଼ିଶାର ଆଭାସଚିତ୍ର ବିଚିତ୍ର ବର୍ଣ୍ଣାଳୀରେ ବିସ୍ମୟକର । ରାଜାମାନେ କେବଳ ରାଜନୀତି
କରୁନଥିଲେ କି ଶାସନ କରୁନଥିଲେ, ସାହିତ୍ୟ କଳା-ସଂସ୍କୃତି ପାଇଁ ତଥା ଏକ ସାଂସ୍କୃତିକ ଓଡିଶାର ଅଭ୍ୟୁତ୍‌ଥାନ ପାଇଁ ଅନନ୍ୟ ଅନୁପ୍ରେରଣାର ଉଜ୍ଜ୍ୱଳ ଦୃଷ୍ଟାନ୍ତ ପ୍ରଦର୍ଶନ କରିଆସୁଥିଲେ ପ୍ରଜାମାନେ ମାଟି ଆଉ ମାଆର ମହତ ରକ୍ଷା ପାଇଁ ପ୍ରାଣପାତ କରିବାକୁ କୁଣ୍ଠିତ ହେଉନଥିଲେ କଦାପି । ମାତ୍ର ବ୍ରିଟିଶ୍ ଶାସନକାଳରେ ଏହି ଶୂରବୀରର ଭୂଖଣ୍ଡକୁ ଶାସନଗତ ସୁବିଧାବାଦ ତଥା ସାମ୍ରାଜ୍ୟବାଦର ସ୍ୱାର୍ଥରକ୍ଷା ଦୃଷ୍ଟିରୁ ସାମିଲ୍‌ କରାଇ ଦିଆଗଲା ମାଡ୍ରାସ୍ ପ୍ରେସିଡେନ୍‌ସୀ ସହିତ । ଏହାଫଳରେ ପାରମ୍ପରିକ ରାଜଶକ୍ତିର ସ୍ପର୍ଦ୍ଧା ହେଲା ଭୂଲୁଣ୍ଠିତ ଏବଂ ପ୍ରଜାଶକ୍ତି ହେଲା ପଦାନତ ।

ପରାଧୀନ ଭାରତବର୍ଷରେ ଦକ୍ଷିଣ ଓଡ଼ିଶାର ଏହି ଦଶା ଏକ ଐତିହାସିକ ବିଡମ୍ବନା । ତଥାପି ପାଉଁଶ ତଳର ନିଆଁ ପରି ଏ ମାଟିର ମଲାଟ ତଳେ ପ୍ରସ୍ତୁତ ହେଉଥିଲା ଅନାଗତ ଭବିଷ୍ୟତର ଆଗ୍ନେୟ ଆହ୍ୱାନୀ । ଉତ୍କଳ ସମ୍ମିଳନୀର ମହାମଞ୍ଚରେ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ପାଇଁ ଯେଉଁ ଭାଷାଭିତିକ ଆନ୍ଦୋଳନର ଆବାଜ ଉଠିଥିଲା, ତାହାର ପୃଷ୍ଠଭୂମିରେ ଥିଲା ଏହି ଦୁର୍ବାର ଦକ୍ଷିଣ ଓଡ଼ିଶାର ଦୃପ୍ତ ଦାବୀନାମା । କାରଣ ମାନକ ଓଡ଼ିଶା ଭାଷାର ଭଣ୍ଡାରକୁ ସର୍ବାଧିକ ଅବଦାନ ଦେଇଛନ୍ତି ଏ ମାଟିର ବରପୁତ୍ରବର୍ଗ ଭଞ୍ଜ, ବଳଦେବ, ଗୋପାଳକୃଷ୍ଣଙ୍କଠାରୁ ଆରମ୍ଭ କରି ବହୁ ବିଦ୍ୱାନ ପଣ୍ଡିତଙ୍କର ଏହି ପବିତ୍ରଭୂମି ଓଡ଼ିଶା ଭାଷାର ଆଭିଜାତ୍ୟକୁ ଅକ୍ଷୁର୍ଣ୍ଣ ରଖିବାରେ ଛାଡିଯାଇଛି ଅକ୍ଷୟକୀର୍ତ୍ତିର ଉଜ୍ଜ୍ୱର୍ସ୍ୱଳ ଇତିହାସ ।

ମୁଁ ଏସବୁ ତଥ୍ୟର ଜଞ୍ଜାଳ ଭିତରକୁ ନଯାଇ ସତ୍ୟର କେତୋଟି ଝଲକ ମାତ୍ର ସୂଚାଇଦେବାକୁ ଚାହୁଁଛି  ସେ ସତ୍ୟ ଯେତେ ଅପ୍ରିୟ ହେଉନା କାହିଁକି ଏକାନ୍ତ ପ୍ରଣିଧାନ ଯୋଗ୍ୟ । ବ୍ରିଟିଶ୍ ସରକାର ଦକ୍ଷିଣ ଓଡ଼ିଶାକୁ ମାଡ୍ରାସ୍ ପ୍ରେସିଡେନ୍‌ସୀର ଅନ୍ତର୍ଭୁକ୍ତ କରିବା ଦ୍ୱାରା ଯେପରି ଏହାର ପାରମ୍ପରିକ ରାଜଶକ୍ତିକୁ ମ୍ଲାନନିଷ୍ପ୍ରଭ କରିଦେଇ ପ୍ରଜାଶକ୍ତିର ପ୍ରମତ୍ତତାକୁ ପ୍ରାଣହୀନ କରିଦେଇଥିଲେ । ସ୍ୱାଧୀନତା ପରେ ଏଇ କିଛିବର୍ଷ ତଳେ ଓଡ଼ିଶା ସରକାର ସେହିପରି ଅବିଭକ୍ତ ଗଞ୍ଜାମ-କୋରାପୁଟକୁ ନେଇ ମୁଣ୍ଡ ଉଠାଇଆସିଥିବା ଦକ୍ଷିଣ ଓଡ଼ିଶାକୁ ଆହୁରି ଗୁଡିଏ ନୂଆ ନାଆଁର ତାଲିକାରେ ଜିଲ୍ଲାୱାରୀ ଖଣ୍ଡଖଣ୍ଡ କରିଦେବା ଦ୍ୱାରା ଏହାର ଅଖଣ୍ଡ ଆତ୍ମଶକ୍ତିକୁ ସବୁଦିନ ପାଇଁ ବିଭାଜିତ କରିଦେଲେ । ଏହାଦ୍ୱାରା ଜିଲ୍ଲାପାଳ ଚାକିରିର କେବଳ ବଢତି ହେଲା, ଅଧିକ ସରକାରୀ ଅଫିସ ଖୋଲାଯାଇ ଦପ୍ତରଗୁଡାକୁ ପରାଙ୍ଗପୁଣ୍ଠ ସରକାରୀ ଦରବାରର ଗୋଟିଏ ଗୋଟିଏ କର ଆଦାୟକାରୀ କ୍ୟାମ୍ପସ୍‌ରେ ପରିଣତ କରାଗଲା ଏବଂ ଭୂଇଁଫୋଡା ଶାସନର ଦୁର୍ନୀତି-ଧାରାକୁ ନୂଆ ନୂଆ ଜିଲ୍ଲାରେ ବିସ୍ତାର କରିଦିଆଗଲା । ମାତ୍ର ଦୁଇଟି ଜିଲ୍ଲାକୁ ଛୋଟବଡ ଗୁଡିଏ ଜିଲ୍ଲାରେ ତାଲିକାଧୀନ କରାଇ ଓଡ଼ିଶା ସରକାର କି ବାହାଦୂରୀ ଦେଖାଇଲେ ।

ତା’ ମାଆ ମହାଦେଈକୁ ଜଣା, ମାତ୍ର ମୋର ବିନମ୍ର ମତ ଯେ ଏହାଦ୍ୱାରା କେବଳ ଶାସନର ଓ ପ୍ରଶାସନର ଫାଇଦା ହେଲା; ହେଲେ ଦକ୍ଷିଣ ଓଡ଼ିଶାର ଜନଗଣ ଦ୍ୱିତୀୟଥର ପାଇଁ ଦେଖାଇ ଶିକାର ହେଲେ ଏକ ସୁଦୂରପ୍ରସାରୀ ସରକାରୀ ଷଡଯନ୍ତ୍ରର ! ଏ ଷଡଯନ୍ତ୍ରର ସ୍ୱରୂପକୁ ଏବେ ହୁଏତ ଦକ୍ଷିଣଓଡିଶାବାସୀ ଦେଖିପାରୁନାହାନ୍ତି । କିନ୍ତୁ ଅଦୂର ଭବିଷ୍ୟତର ଏହାର ବିଷମୟ ପରିଣାମକୁ ଅଙ୍ଗେ ନିଭାଇବେ ନାତି-ଅଣନାତିଙ୍କୁ ନେଇ ଆମର ଉତ୍ତରଦାୟାଦ ।

ପ୍ରଥମତଃ, ଏହି ବିଭାଜନକୁ ନିଜର ଆର୍ଥିକ ଆଁ’ର ଚାହିଦା ମେଣ୍ଟାଇ ଇବାକୁ ଯାଇ ଓଡ଼ିଶା ସରକାର ନୂଆଯୋଜନା ନାଆଁରେ
କାଏମ୍ କରିଦେଲେ, କିନ୍ତୁ ଦକ୍ଷିଣ ଓଡିଶାର ଆତ୍ମିକ ସୂତ୍ରକୁ ଛିନ୍ନ କରିଦେଲେ ସବୁଦିନ ପାଇଁ । ଆଦିବାସୀ ଓ ଅଧିବାସୀଙ୍କ ଓଡ଼ିଶା ହୋଇ ସାରା ଓଡିଶାର ଦକ୍ଷିଣଦୁଆରୀ ଘର ବୋଲାଉଥିଲା, ତାହା ଆଜି ଗୋଟାଏ ଭଙ୍ଗାଘର । ଯେଉଁଠି ଜନ ଅସନ୍ତୋଷର ପ୍ରତିକ୍ରିୟା ସ୍ୱରୂପ ନବଜନ୍ମ ନେଇଛି ମାଓବାଦୀ ଲାଲ୍‌ବାହିନୀ ।

ପରିସଂଖ୍ୟାନକୁ ଅନୁଧ୍ୟାନ କଲେ ସ୍ପଷ୍ଟ ଜଣାଯିବ ଯେ ଅବିଭକ୍ତ ଗଞ୍ଜାମ କୋରାପୁଟର ଦକ୍ଷିଣ ଓଡ଼ିଶା ଯେତେ ମାଓବାଦୀ ଆକ୍ରମଣରେ ଅତିଷ୍ଠ ହେଉନଥିଲା । ବର୍ତ୍ତମାନର ଶାସନ-ପ୍ରଶାସନର ମିଳିତ ମେଣ୍ଟର ଚକ୍ରାନ୍ତରେ ଚୂର୍ଣ୍ଣାଭୂତ ଦକ୍ଷିଣ ଓଡ଼ିଶା ପ୍ରତ୍ୟହ ପ୍ରାଣପୀଡା ଭୋଗୁଛି ନବ୍ୟ ମାଓବାଦୀ ଅଭିଯାନର ସନ୍ତ୍ରାସୀ ସଂପ୍ରସାରଣ ଦ୍ୱାରା ଦକ୍ଷିଣ ଓଡ଼ିଶାର ଏହି ନୈତିକ ଓ ସାଂସ୍କୃତିକ ମଞ୍ଚକୁ ମୁଁ ରାଜନୈତିକ ମଞ୍ଚ ଭାବରେ ବ୍ୟବହାର କରିବାକୁ ଯାଉନାହିଁ । ମାତ୍ର ଗୋଟିଏ କଥା ଏଠାରେ ସ୍ପଷ୍ଟ ସୂଚାଇଦେବାକୁ ଚାହୁଁଛି ଯେ ଗତକାଲିର ରାଜତନ୍ତ୍ର ଲାଳିତ ରାଜାମାନଙ୍କର ରାଜନୀତି ଏ ମାଟିର କଳା ସାହିତ୍ୟ ସଂସ୍କୃତିର କ୍ରମବିସ୍ତାର ପାଇଁ ଯେଉଁ ନବଜାଗରଣକୁ ଜନ୍ମ ଦେଇଥିଲା, ଆଜିକାଲିକାର ଗଣତନ୍ତ୍ରପାଳିତ ମନ୍ତ୍ରୀମାନଙ୍କର ରାଜନୀତି ଅତୀତର ସେ ରେନେଁସା ବା ନବଜାଗରଣକୁ ଦେଇସାରିଛି ଦାରୁଣ ମୃତ୍ୟୁଦଣ୍ଡାଦେଶ !

 

ଆଉ ଏ ମାଟିରେ ଭଂଜ, ବଦଳଦେ କି ଗୋପାଳକୃଷ୍ଣମାନେ ଜନ୍ମ ନେବା ଏକ ଦିବାସ୍ୱପ୍ନ । ଆଜି ଏଠି କେବଳ ଟଙ୍କା ଟଙ୍କା ପଛରେ ସମସ୍ତେ ଟିଙ୍କ କିଏ ପଚାରୁଛି କଳା ସାହିତ୍ୟ ସଂସ୍କୃତି କଥା ? ଇଏ ଆଜି କି ରାଜନୀତି ? ଏଇ ଦକ୍ଷିଣ ଓଡ଼ିଶାରୁ ବିଶ୍ୱନାଥ ଦାସ, ସଦାଶିବ ତ୍ରିପାଠୀ, ବିନାୟକ ଆଚାର୍ଯ୍ୟ, ବିଜୁ ପଟ୍ଟନାୟକ ପ୍ରମୁଖ ମୁଖ୍ୟମନ୍ତ୍ରୀ ହୋଇଛନ୍ତି, ପୁଣି ସର୍ବାଗ୍ରେ ସ୍ମରଣୀୟ ଗଜପତି କୃଷ୍ଣଚନ୍ଦ୍ର ମଧ୍ୟ ଏଇ ଦକ୍ଷିଣ ଓଡ଼ିଶାରୁ ହିଁ ସାକାର କରିଛନ୍ତି ସ୍ୱତନ୍ତ୍ର ଓଡିଶାର ସ୍ୱପ୍ନ । ବିଜୁତନୟ ନବୀନ ମଧ୍ୟ ଏହି ବୀରମାଟି ଦକ୍ଷିଣ   ଓଡ଼ିଶାର ସମର୍ଥନ ପାଇ ଏବେ ସାରା ଓଡ଼ିଶାର ମୁଖ୍ୟମନ୍ତ୍ରୀ । ଅଥଚ ଏ ଲୋହିତ ଲାଭାର ମାଟି ଯେଉଁ ତିମିରେକୁ ସେଇ ତିମିରେ ।

ଦକ୍ଷିଣ ଓଡ଼ିଶାର ଦାବୀନାମା ଆଜି ସରକାରୀ ସିରସ୍ତାର ଫାଇଲ୍ ଫାଙ୍କରେ ଫେରାର୍ ! ଦୂରପର୍ବତସବୁ ଦିବ୍ୟସୁନ୍ଦର ଦିଶୁଛି କିନ୍ତୁ ସବୁ ଜଙ୍ଗଲ ପାଲଟିଛି ଜଉଘରର ଜଳୁଛି, ଜଳୁଛି, ନିଭିବାର ନାହିଁ ଏ ନିସ୍ତାରହୀନ ଜ୍ୱଳନରୁ ।

କିଏ ବୁଝିବ ଦକ୍ଷିଣର ଏ ଦୁଃଖ ? ସମସ୍ତେ ତ ‘ଦକ୍ଷିଣା’ ଦାୟରେ ଦୋରସ୍ତ !

ଚାହୁଁଚି କିଏ ଚିଲିକାର ନୀଳ ଚଞ୍ଚଳ ଚାହାଣିକୁ ? ଚିତ୍ରପଟ ଚିରିଗଲାଣି ଚାଲିଛି କେବଳ ଚିଙ୍ଗୁଡିଚାଷ ଘେରିବନ୍ଧା ଫେରିବାଲାଙ୍କ ପର୍ଦ୍ଦାଫାଶ ! ଏଇ ଓଡ଼ିଶାର ଦକ୍ଷିଣଦୁଆରୀ ଘରୁ କେତେ କଳାକାର, କେତେ ଶିଳ୍ପୀ ପୃଥିବୀ ପ୍ରଖ୍ୟାତ ହୋଇପାରିଛନ୍ତି । ଖଲ୍ଲିକୋଟ ଏଇ କଳା ସଂସ୍କୃତିର ଆଧୁନିକ ଏନ୍ତୁଡିଶାଳ । କିନ୍ତୁ କାହିଁ, କର୍ପୂର ଉଡିଗଲା ପରେ କନାକୁ ବି ଅନାଉଛି କିଏ ?

ଦକ୍ଷିଣ ଓଡ଼ିଶା ତନ୍ତ୍ରଭୂମି । ଏହି ତନ୍ତ୍ରଭୂମିର ମନ୍ତ୍ର ଆଜି ମସୀଲିପ୍ତ । ଗାଆଁଗଆଁରେ ଗ୍ରାମଦେବତାର ଦେଉଳସବୁ ଦିଶୁଛି ଅସ୍ଥିକଙ୍କାଳସାର ଅସ୍ତିତ୍ୱ ପରି । ଦିଅଁମାନେ ଶୋଇପଡିଛନ୍ତି ପଥରବେଦିରେ । ଆଉ ଶୁଭୁ ନାହିଁ ପ୍ରେରଣାର ପୂରବୀ : ଭାଷା ଛନ୍ଦର ଭୈରବୀ । ଏ ଭୂମି ହେଉଛି ସଂସ୍କୃତିର ସଙ୍ଗମକ୍ଷେତ୍ର । ଏଠି ଏକାଧାରରେ ସାମନ୍ତବାଦୀ ସାହିତ୍ୟ ଓ ଆଦିବାସୀ ଲୋକସାହିତ୍ୟର ଯୁଗନଦ୍ଧ ଅଭିବ୍ୟକ୍ତି ଉଲ୍ଲେଖଯୋଗ୍ୟ । ଭଂଜଭୂମି ଗଞ୍ଜାମରେ ରୀତିକାବ୍ୟର ମହାସମୁଦ୍ର ଉଚ୍ଛୁଳି ଉଠିଥିଲା ବେଳେ ଆଦିଭୂମି କୋରାପୁଟର ପବନରେ ଲହରି ସୃଷ୍ଟି କରିଛି ଆଦିବାସୀ ସାହିତ୍ୟର ପ୍ରାଣସ୍ପନ୍ଦନ । ଓଡ଼ିଶା ଭାଷାକୁ ମହାର୍ଘ ମାନ୍ୟତା ପ୍ରଦାନ କରିବାରେ ଦକ୍ଷିଣ ଓଡ଼ିଶାର ଅବଦାନ ଅବିସ୍ମରଣୀୟ । ଅଥଚ ମାତୃଭାଷାର ମର୍ଯ୍ୟାଦା ପାଇଁ ମିନିଟିଏ ଚିନ୍ତନ କି ଚର୍ଚ୍ଚା କାହିଁ ?

ଆଜି ତାମିଲ, ତେଲଗୁ, ମାଲୟାଲମ୍‌, କନ୍ନଡ ସମେତ ସଂସ୍କୃତ ଭାଷା ନିଜ ନିଜର ମାନ୍ୟତା ଦାବୀରେ କେନ୍ଦ୍ରରୁ ଶହେକୋଟି ଲେଖାଏଁ ଆର୍ଥିକ ଅନୁଦାନ ପାଇସାରିଲେଣି, ମାତ୍ର ଆମର ନିଦ ଭାଙ୍ଗି ପାରିଲାନାହିଁ ଏଯାଏଁ । ସାଧାରଣ ଓଡ଼ିଆ ଭାଷାକୁ ମାନ୍ୟତା ସମ୍ପନ୍ନ ଏକ ମାନକ ମହାଭାଷାରେ ପରିଣତ କରିସାରିଥିବା ଦକ୍ଷିଣ ଓଡ଼ିଶା ଆଜି ଦାବୀଦାର୍ କେନ୍ଦ୍ରରୁ ଓଡ଼ିଶା ଭାଷା ପାଇଁ ଶହେକୋଟି ଟଙ୍କା ଆଦାୟ କ୍ଷେତ୍ରରେ ।

ଏଥିପାଇଁ ଅବିଳମ୍ବେ ଆରମ୍ଭ ହେଉ କ୍ଷେତ୍ରପ୍ରସ୍ତୁତିର ପର୍ବ । ଦକ୍ଷିଣ ଓଡ଼ିଶାରେ ପ୍ରଥମେ ପ୍ରତିଷ୍ଠା ହେଉ ଓଡ଼ିଶାର ସାଂସ୍କୃତିକ ରାଜଧାନୀ । ବିଦ୍ୱାନ, ବୁଦ୍ଧିଜୀବୀ, ବାଗ୍ମୀବର୍ଗ ଏକଜୁଟ ହୁଅନ୍ତୁ ଏବଂ ଏହି ମହତ ଲକ୍ଷ୍ୟ ଓ ଲୟ ନିମନ୍ତେ ପରମ ଶୁଭେଚ୍ଛୁ ଭୂମିକାରେ ଅବତୀର୍ଣ୍ଣ ହୁଅନ୍ତୁ ଏ ମାଟିର ଅଭୁଲା ରାଜବଂଶ । ଏଠୁ ଦାବୀର ଫର୍ଦ୍ଦ ପଢାହେଲେ ଯାଇ ଓଡ଼ିଶା ସରକାରଙ୍କ କୁମ୍ଭକର୍ଣ୍ଣୀ ନିଦ୍ରାର ଅନ୍ତ ଘଟିବ ନିଶ୍ଚୟ ।

ଆଜି ଆଉଥରେ ଏକ ଜୋର୍‌ଦାର୍ ଭାଷା ଆନ୍ଦୋଳନର ସମୟ ପହଞ୍ଚିଛି । ଦକ୍ଷିଣ ଓଡ଼ିଶା ନିକଟରୁ ଏହାର ନିର୍ଭରଯୋଗ୍ୟ ନେତୃତ୍ୱ ଦାବୀ କରୁଛି ମୁଁ ।

ଯାଜପୁର ରୋଡ, ଯାଜପୁର
ମୋ : ୯୮୬୧୦୩୪୧୬୩

Leave A Reply

Your email address will not be published.